ବାଧାବିଘ୍ନ ଦୂରୀକରଣର ମୁଖ୍ୟ ସହାୟକ- ଶ୍ରୀ ଗଣେଶ

0 127

-ବିଘ୍ନ ବିନାଶକ ଶ୍ରୀଗଣେଶଙ୍କ ଶରୀର ବର୍ଣ୍ଣନା-

ଶାସ୍ତ୍ରୀୟମତରେ ବାଧାବିଘ୍ନ ଦୂରୀକରଣ, ସୁଖସମୃଦ୍ଧି ଏବଂ ଜ୍ଞାନ ଆହରଣ ପାଇଁ ଯେଉଁ ଅଦୃଶ୍ୟ ଶକ୍ତି କାର୍ଯ୍ୟ କରିଥାଏ ତା’ର ପ୍ରତୀକ ହେଉଛନ୍ତି ଶ୍ରୀଗଣେଶ । ସେଇଥିପାଇଁ ସେ ବିଘ୍ନ ବିନାଶକ, ସିଦ୍ଧି ବିନାୟକ ଭାବରେ ମଧ୍ୟ ପରିଚିତ। ପ୍ରତ୍ୟେକ ଶୁଭକାର୍ଯ୍ୟ ଆରମ୍ଭ ପୂର୍ବରୁ ଶ୍ରୀଗଣନାଥଙ୍କ ପୂଜନ ନିଶ୍ଚିତ ଭାବରେ ସଂପାଦିତ ହୋଇଥାଏ। ବୈଜ୍ଞାନିକ ଦୃଷ୍ଟିକୋଣରୁ ଅନୁଧ୍ୟାନ କଲେ ଜଣାଯାଏ ଯେ ହସ୍ତୀମସ୍ତକ ଧାରଣ, ସ୍ଥୂଳ ଉଦର, ବକ୍ରତୁଣ୍ଡ ତଥା ମୂଷିକ ବାହନଧାରୀ ଶ୍ରୀଗଣେଶ ହେଉଛନ୍ତି ସର୍ବଗୁଣ ସମ୍ପନ୍ନ ବ୍ୟକ୍ତିତ୍ୱର ପ୍ରକାଶକ ଏବଂ ବାଧାବିଘ୍ନ ଦୂରୀକରଣର ମୁଖ୍ୟ ସହାୟକ।

ପୌରାଣିକ ଦୃଷ୍ଟିକୋଣରୁ ଦେଖିଲେ ମା’ ପାର୍ବତୀ ଦେବୀ ଗାଧୋଇବା ପୂର୍ବରୁ ଶରୀରରେ ହଳଦୀ ପ୍ରଲେପନ ସମୟରେ ମନରେ ଏକ ସନ୍ତାନ ଚିନ୍ତନ ମାଧ୍ୟମରେ ଗଣେଶଙ୍କୁ ସୃଷ୍ଟି କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ସେହି ମୂର୍ତ୍ତିରେ ଜୀବନ୍ୟାସ ମଧ୍ୟ ଦେଇଥିଲେ। ସ୍ନାନାଗାରକୁ ବାହାରୁ ଯେମିତି କେହି ନ ଆସନ୍ତି ତା’ର ତଦାରଖ ପାଇଁ ଦ୍ୱାରପାଳ ଭାବରେ ଗଣେଶଙ୍କୁ ନିୟୋଜିତ କରିଥିଲେ। ମାତ୍ର ବିଡ଼ମ୍ବନାର ବିଷୟ ଯେ- ମାତା ପାର୍ବତୀଙ୍କ ସ୍ୱାମୀ ଶିବଶଙ୍କର ସେଠାରେ ପହଞ୍ଚି ଭିତରକୁ ଯିବା ପାଇଁ ଆଗେଇ ଚାଲିଲେ। ଦ୍ୱାରପାଳ ଭାବରେ କାର୍ଯ୍ୟରତ ଶ୍ରୀଗଣେଶ ତାଙ୍କୁ ଭିତରକୁ ଯିବା ପାଇଁ ବାରଣ କଲେ। ଏତାଦୃଶ ବ୍ୟବହାରରେ କ୍ରୋଧାନ୍ୱିତ ହୋଇ ଶିବ ଗଣେଶଙ୍କ ମସ୍ତକ ଛେଦନ କଲେ। ମାତା ପାର୍ବତୀ ଏହା ଜାଣିବା ପରେ ଭୀଷଣ ମନ ଦୁଃଖରେ କ୍ରନ୍ଦନ କରି ଶିବଙ୍କୁ ପ୍ରାର୍ଥନା କଲେ ଗଣେଶଙ୍କୁ ପୁନଃ ଜୀବନଦାନ କରିବାକୁ। ଶିବଙ୍କ ରାଗ ଶାନ୍ତ ହେବା ପରେ ମାତା ପାର୍ବତୀଙ୍କୁ ଆଶ୍ୱାସନା ଦେଇ ଗଣେଶଙ୍କୁ ଜୀବଦାନ ଦେଇ ଏକ ବର ଦେଇଥିଲେ। ତାହା ହେଉଛି ପ୍ରତ୍ୟେକ ଦେବ-ଦେବୀଙ୍କ ପୂଜନ ପୂର୍ବରୁ ଅଥବା କୌଣସି ଶୁଭକାର୍ଯ୍ୟ ଆରମ୍ଭରେ ଶ୍ରୀଗଣେଶ ପ୍ରଥମେ ପୂଜା ପାଇବେ।

ଯେତେବେଳେ ବ୍ୟାସଦେବ ମହାଭାରତ ରଚନା ଆରମ୍ଭ କଲେ ସେତେବେଳେ ସେ ଶ୍ରୀଗଣେଶଙ୍କୁ ତାହା ଲେଖିବା ପାଇଁ ଅନୁରୋଧ କରିଥିଲେ। ଶ୍ରୀଗଣେଶ ତାଙ୍କ ଅନୁରୋଧ ରକ୍ଷାକରି ଗୋଟିଏ ସର୍ତ୍ତ ରଖିଥିଲେ। କହିଥିଲେ- ବ୍ୟାସଦେବ ମହାଭାରତ ରଚନାବେଳେ ପ୍ରତ୍ୟେକ ବାକ୍ୟ ଅନର୍ଗଳ କହି ଚାଲିଥିବେ ଏବଂ ତାକୁ ସେ ଲିପିବଦ୍ଧ କରୁଥିବେ। ମାତ୍ର ଅଟକିବେ ନାହିଁ। ଏହା ଶୁଣି ବ୍ୟାସଦେବ ଶ୍ରୀଗଣେଶଙ୍କୁ କହିଲେ ଠିକ୍‌ ଅଛି। ମୁଁ ସେଥିରେ ରାଜି ମାତ୍ର ମୋର ମଧ୍ୟ ଏକ ସର୍ତ୍ତ ରହିବ। ତାହା ହେଉଛି ମୁଁ ଯେଉଁଠି ଅଟକିଯିବି ମୋର ପ୍ରତ୍ୟେକ ଶ୍ଳୋକର ସଠିକ ବ୍ୟାଖ୍ୟା ପୂର୍ବକ ଯାହା ଲେଖିବା ପାଇଁ ଉପଯୁକ୍ତ, ତାକୁ ପୂର୍ଣ୍ଣ କରିବା ଦାୟିତ୍ୱ ହେଉଛି ଶ୍ରୀଗଣେଶଙ୍କର। ଉଭୟେ ଉଭୟଙ୍କ ସର୍ତ୍ତରେ ରାଜି ହୋଇ କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ତିନିବର୍ଷ ପରେ ମହାଭାରତ କାବ୍ୟ ସଂପୂର୍ଣ୍ଣ ହୋଇଥିଲା।

ବର୍ତ୍ତମାନ ବୈଜ୍ଞାନିକ ଭାବନାର ଚେତନା କିପରି ଶ୍ରୀଗଣେଶଙ୍କ ଉଦ୍ଦେଶ୍ୟରେ ଅନୁଶୀଳନ କରାଯାଇଛି, ସେ ସଂପର୍କରେ କିଞ୍ଚିତ୍‌ ତଥ୍ୟ ଏଠାରେ ଉପସ୍ଥାପନ କରାଯାଉଛି। ଶ୍ରୀଗଣେଶ ହେଉଛନ୍ତି ସଜୀବ ଶକ୍ତିର ଉପାଦାନ ବା ଅନୁଭବ ଶକ୍ତି। ତାଙ୍କର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ବୈଜ୍ଞାନିକ ବାର୍ତ୍ତା ପ୍ରଦାନର ମାଧ୍ୟମ ।

ମସ୍ତକ:- ଜୀବ ବିଜ୍ଞାନରେ ଏହା ଏକ ବୃହତ୍‌ ଅଙ୍ଗ, ଯାହା ଉତ୍ତମ ବିଚାର ଶକ୍ତିର ପ୍ରତୀକ। ଏହାକୁ ବିଜ୍ଞତା ବା ପ୍ରଞ୍ଚତା ମଧ୍ୟ କୁହାଯାଇପାରେ। ତାଙ୍କର ଦୀର୍ଘଶୁଣ୍ଢ ତେ‌େଜାଦୀପ୍ତର ମାର୍ଗଦର୍ଶକ। ଶ୍ରୀଗଜାନନଙ୍କ ଦର୍ଶନ ମାଧ୍ୟମରେ ଦର୍ଶକ ନିଜର ବିବେକ ଏବଂ ମନକୁ ସୁ-ସଂଚାଳିତ କରିପାରେ ଏବଂ ନିଜକୁ ଜଣେ ପ୍ରତିଭାବାନ ସୁପୁରୁଷ ଭାବରେ ପ୍ରତିଷ୍ଠିତ କରିପାରେ। ଉତ୍ଥାନ ପତନ, ଭଲ- ମନ୍ଦ, ଆଚାର ବ୍ୟବହାର ପ୍ରତ୍ୟେକ କ୍ଷେତ୍ରରେ ସନ୍ତୁଳନ ରକ୍ଷାକରି କାର୍ଯ୍ୟ କରିପାରେ। ମୋଟାମୋଟି ଭାବରେ ଦେଖିଲେ ଜଣେ ନିଜକୁ ବୁଦ୍ଧିଜୀବୀ ଭାବରେ ପରିପ୍ରକାଶ କରିବା ପାଇଁ ଗଜାନନଙ୍କ ମସ୍ତକରୁ ପ୍ରେରଣା ପାଇଥାଏ।
ଛାୟା

ଦୀର୍ଘକର୍ଣ୍ଣ:- ଏହା ନୂତନ ଚିନ୍ତନ ଏବଂ ନୂତନ ଦିଗ୍‌ଦର୍ଶନର ପ୍ରତୀକ। ଏତଦ୍‌ଭିନ୍ନ ଆଧ୍ୟାତ୍ମିକ ଜ୍ଞାନ ଆହରଣ ପାଇଁ ନିର୍ଣ୍ଣାୟକ ଭୂମିକାର ମାଧ୍ୟମ ଭାବରେ କାର୍ଯ୍ୟ କରିଥାଏ।

ଉଦର:- ମଣିଷ ଜୀବନରେ ଉତ୍ଥାନ, ପତନ ରହିବା ସ୍ୱାଭାବିକ। ଏହାକୁ ସହ୍ୟ କରିବାର ସହନଶୀଳତା ଏବଂ ଅନାୟସରେ ଟାଳି ନେବାର ଶକ୍ତି ଶ୍ରୀଗଣେଶଙ୍କ ଉଦର ଦର୍ଶନରୁ ପ୍ରେରଣା ମିଳିଥାଏ।

ମୂର୍ତ୍ତି ଉପବେସନର ମାହାତ୍ମ୍ୟ:- ଶ୍ରୀ ଗଣେଶଙ୍କ ଉପବେସନର ଢଙ୍ଗରେ ଅନେକ ମହତ୍ତ୍ୱ ରହିଛି। ଗୋଟିଏ ପାଦ ଭୂମିରେ ସ୍ପର୍ଶ କରୁଥିବାବେଳେ ଅନ୍ୟ ଏକ ପାଦ ଜଙ୍ଘ ଉପରେ ସ୍ଥାପିତ ହୋଇଥାଏ। ଏହାର ତାତ୍ପର୍ଯ୍ୟ ହେଉଛି – ଭୂମିରେ ସ୍ଥାପିତ ପାଦ ପ୍ରତ୍ୟେକ ଆହ୍ୱାନର ସମାଧାନ ପାଇଁ ଜଣକୁ ଦୃଢମନା କରିଥାଏ। ସେମିତି ଜଙ୍ଘ ଉପରେ ରହିଥିବା ପାଦ ଆତ୍ମା ସହିତ ବିବେକର ସଂଯୋଗ ସ୍ଥାପନ ଏବଂ ସମାଧାନର ମାର୍ଗ ନିର୍ଣ୍ଣୟନରେ ସହାୟକ ହୋଇଥାଏ।

ମୂଷିକ ବାହନ:- ଇଚ୍ଛାଶକ୍ତିକୁ ନିୟନ୍ତ୍ରଣ କରିବା ପାଇଁ ଏହା ଉତ୍ତମ ମାଧ୍ୟମ । ସମସ୍ତେ ଅବଗତ ଥିବେ ଯେ ମୂଷା ଏକ ସର୍ବଗ୍ରାସୀ ପ୍ରାଣୀ। ତା’ର ସବୁ ଖାଇବାର ଏବଂ ପାଇବାର ଇଚ୍ଛା ଥାଏ। ସେହିପରି ମଣିଷ ମନରେ ଯେଉଁ ଅଦମ୍ୟ ପିପାସା ତାକୁ ନିଜ ଅଧୀନରେ ରଖିବାର ମାର୍ଗ ମୂଷାଠାରୁ ପ୍ରେରଣା ମିଳିଥାଏ।

ଶ୍ରୀଗଣେଶଙ୍କର ଚାରିଗୋଟି ହସ୍ତରୁ ମିଳୁଥିବା ସଙ୍କେତ :-

ବାମ ଦୁଇ ହସ୍ତ :- ଗୋଟିଏ ହସ୍ତରେ ପଦ୍ମଫୁଲ ଏବଂ ଅନ୍ୟଟିରେ ଲଡ଼ୁ। ପଦ୍ମଫୁଲ ହେଉଛି ଆତ୍ମ ନିରୀକ୍ଷଣର ମାନଦଣ୍ଡ। ଠିକ୍ ସେମିତି ଲଡ଼ୁ ଧାରଣ ଆଧ୍ୟାତ୍ମିକ ପ୍ରବର୍ତ୍ତନାର ମୂଳ ପ୍ରବର୍ତ୍ତକ।

ଦକ୍ଷିଣରେ ଥିବା ଦୁଇ ହସ୍ତ :- ଗୋଟିକରେ ଲେଖନୀ ଧାରଣ ଏବଂ ଅନ୍ୟଟିରେ ଆଶୀର୍ବାଦ ପ୍ରଦାନ ସଙ୍କେତ। ଲେଖନୀ ଧରିଥିବା ହସ୍ତ ଉତ୍ସାହପୂର୍ଣ୍ଣ ଲେଖନୀ ଚାଳନା ପାଇଁ ଉଦ୍ଦିଷ୍ଟ ଏବଂ ଅନ୍ୟଟି ଆଶୀର୍ବାଦ ପ୍ରଦାନ ପାଇଁ ନିଧାର୍ଯ୍ୟ ।

ଥାଳିରେ ପ୍ରସାଦ :-ଏହା ପଞ୍ଚଭୂତାତ୍ମକ ଧନ ଏବଂ ଶକ୍ତି ପ୍ରଦାନର ପ୍ରତୀକ।

ଏହି ଅଙ୍ଗପ୍ରତ୍ୟଙ୍ଗ ବର୍ଣ୍ଣନାରୁ ଯେଉଁ ସୂଚନା ମିଳୁଛି, ତହିଁରୁ ପ୍ରମାଣିତ ଯେ ଶ୍ରୀ ଗଣେଶଙ୍କ ଦର୍ଶନ ମାଧ୍ୟମରେ ଜଣେ ନିଜକୁ ସାବଧାନ କରିପାରିବାର ଶକ୍ତି ଆହରଣ କରିଥାଏ। ତେଣୁ ଯଥାର୍ଥରେ କୁହାଯାଇଛି ଯେ-
ନମୋ ଗଣେଶ ବିଘ୍ନେଶ ଗିରିଜାନନ୍ଦନ ପ୍ରଭୁ।
ମମବିଘ୍ନଂ ନିହତ୍ୟାଶୁ ସର୍ବ ସିଦ୍ଧି- ପ୍ରଦ ଭବ । ଜୟ ପ୍ରଭୁ ଗଜାନନ’ ଜୟ…

Leave A Reply

Your email address will not be published.