ଡେଲାଙ୍ଗରେ ଲକ୍ ଡାଉନର ୪ର୍ଥ ଦିନ

0 213

ସାମାଜିକ ଦୂରତ୍ୱ ରକ୍ଷା ହେଉନି ପୋଲିସର ମୃଦୁ ଲାଠି ମାଡ଼,ରାଜ୍ୟ ବାହାରୁ ଆସିଥିବା ୨ ଶହରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ସଂଘରୋଧରେ ରହିବାକୁ ପରାମର୍ଶ,ଡେଲାଙ୍ଗ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରରେ ବର୍ହିବିଭାଗର ୧୦୦ରୁ ଉର୍ଦ୍ଧ୍ୱ ରୋଗୀ ପଞ୍ଜିକୃତ, ଅଧିକାଂଶ ଥଣ୍ଡା ସର୍ଦ୍ଦି ଓ ଜ୍ୱର
ଡେଲାଙ୍ଗ,୨୭/୩(ଏସଏସନିୟୁଜ) ବିଶ୍ୱ ମହାମାରୀର କରୋନା ସଂକ୍ରମଣରୁ ସୁରକ୍ଷା ପାଇଁ ଜାରି ହୋଇଥିବା ଲକ୍ ଡାଉନ ୪ର୍ଥ ଦିବସ ସୁଦ୍ଧା ବିଭିନ୍ନ ସ୍ଥାନରେ ସାମାଜିକ ଦୂରତ୍ୱ ରକ୍ଷା ହେଉ ନଥିବା ସ୍ୱାସ୍ଥ୍ୟ ଅଧିକାରୀ ଓ ପୋଲିସଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସକାଳ ୭ରୁ ୯ ଓ ଅପରାହ୍ନ ୩ରୁ ୫ଟା ପର୍ଯ୍ୟନ୍ତ ଅତିଆବଶ୍ୟକ ସାମଗ୍ରୀ କାରବାର କରିବା ପାଇଁ ଖାଉଟୀ ଓ ବ୍ୟବସାୟୀଙ୍କୁ ସୁଯୋଗ ଦିଆଯାଉଥିଲେ ମଧ୍ୟ ଖାଉଟୀମାନେ ୧ ମିଟର ସାମାଜିକ ଦୂରତ୍ୱ ରକ୍ଷା କରୁନଥିବାରୁ ପୋଲିସକୁ ମୃଦୁ ଲାଠି ଚାଳନା କରିବାକୁ ବାଧ୍ୟ ହୋଇଛି । କେତେକ ଦୋକାନୀଙ୍କୁ ତାଗିଦ୍ କରିଛନ୍ତି । ବିଭିନ୍ନ ଗାଁରେ ଯୁବକମାନେ ୫ ଜଣରୁ ଉର୍ଦ୍ଧ୍ୱ ବସି ତାସ ଖେଳିବା, କ୍ରିକେଟ୍ ଖେଳିବା, ଭୋଜିଭାତରେ ଏକାଠି ହୋଇଥିବା ଘଟଣାର ଫଟୋ ସୋସିଆଲ ମିଡିଆରେ ଭାୟରାଲ ହୋଇଛି । ଜନସାଧାରଣ ଓ ବିଶେଷ କରି ଯୁବ ସମାଜ ବୟସ୍କମାନଙ୍କୁ ଏ ସମୟରେ ସହାୟତା କରିବା ପରିବର୍ତେ ସଚେତନ ନ ହୋଇ ନିଜେ ଭୁଲ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଥାନା ଇନ୍‌ସପେକ୍ଟର ରଶ୍ମିରଞ୍ଜନ ପଟ୍ଟନାୟକ ସତର୍କ ସୂଚନା ଦେଇଛନ୍ତି ।ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରିପୋର୍ଟ ଅନୁସାରେ ଆଜି ପର୍ଯ୍ୟନ୍ତ ରାଜ୍ୟ ବାହାରୁ ଆସିଥିବା ୨ ଶହରୁ ଉର୍ଦ୍ଧ୍ୱ ବ୍ୟକ୍ତି ଓ ବିଦେଶରୁ ଆସିଥିବା ଜଣେ ବ୍ୟକ୍ତିଙ୍କୁ ପଞ୍ଜିକରଣ କରାଯାଇ ଘରେ ସଂଗରୋଧ ଭାବେ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବର୍ହିବିଭାଗରେ ୧୦୦ରୁ ଉର୍ଦ୍ଧ୍ୱ ରୋଗୀ ଚିକିତ୍ସା ପାଇଁ ଆସିଥିଲା ବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଥଣ୍ଡା ଜ୍ୱର, ସର୍ଦ୍ଦି, କଫ୍ ଆକ୍ରାନ୍ତ ଥିବା ଘଟଣା ଉପରେ ଗୁରୁତ୍ୱ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ । ଜଳବାୟୁ ପରିବର୍ତନ ସମୟରେ ସାଧାରଣତଃ ଥଣ୍ଡା ଜ୍ୱର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଥାଏ । ତେବେ ବର୍ତ୍ତମାନର କରୋନା ସଂକ୍ରମଣ ଆଶଙ୍କା ଦୃଷ୍ଟିରୁ ସ୍ୱାସ୍ଥ୍ୟ କର୍ମଚାରୀ ଦେଉଥିବା ପରାମର୍ଶକୁ ଗୁରୁତର ସହ ପାଳନ କଲେ ନିଜ ଜୀବନ ସହ ଅନ୍ୟମାନଙ୍କ ଜୀବନ ରକ୍ଷା ହୋଇପାରିବ ବୋଲି ଡେଲାଙ୍ଗ ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ସନ୍ତୋଷ ତ୍ରିପାଠୀ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.