ଏଫବିଆଇଙ୍କ ନଜରରେ ବାଇଡେନଙ୍କ ଶପଥ ଗ୍ରହଣ ସୁରକ୍ଷା ବ୍ୟବସ୍ଥା

0 248

ଲଣ୍ଡନ, ୧୯/୦୧(ସତ୍ୟସନ୍ଧାନ ଡେସ୍କ) ଆମେରିକାର ରାଜଧାନୀ ଓ୍ୱାଶିଂଟନରେ ହିଂସା ଆରମ୍ଭ ହେବା ପରେ ଜରୁରୀକାଳିନ ସ୍ଥିତି ଲାଗୁ ହୋଇଥିଲା । ଏହାପରେ ହ୍ୱାଇଟ ହାଉସକୁ ଏକ ଦୁର୍ଗରେ ପରିଣତ କରିଦିଆଯାଇଛି । ଜାନୁଆରୀ ୨୦ରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥଗ୍ରହଣ ସମାରୋହକୁ ନଜରରେ ରଖି ସିକ୍ରେଟ୍ ସର୍ଭିସ୍ ଓ ୟୁଏସ ନ୍ୟାଶନାଲ ଗାର୍ଡସଙ୍କୁ ମଧ୍ୟ ମୁତୟନ କରାଯାଇଛି । କୌଣସି ପ୍ରକାର ହିଂସାକୁ ପ୍ରତିହତ କରିବାକୁ ମଲ୍ଟି ଏଜେନ୍ସି କମାଣ୍ଡରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ୨୪ ଘଣ୍ଟା ଓ୍ୱାଶିଂଟନ ଉପରେ କଡା ନଜର ରଖାଯାଇଛି ।
ଗତ ସପ୍ତାହରେ ୟୁଏସ କ୍ୟାପିଟଲ ବିଲ୍ଡିଂରେ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ହିଂସାକାଣ୍ଡ ଭିଆଇଥିଲେ । ସେହିପରି ବାଇଡେନଙ୍କ ଶପଥଗ୍ରହଣ ସମାରୋହରେ ମଧ୍ୟ ହିଂସା ଆଶଙ୍କା ରହିଛି । ଏହାକୁ ନେଇ ଟ୍ରମ୍ପ ନିଜେ କହିଥିଲେ ଯେ, ତାଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପାଇଁ ଆମେରିକାବାସୀ କ୍ଷୁବ୍ଘ ରହିଛନ୍ତି ।ଓ୍ୱାଶିଂଟନ ପୋଷ୍ଟ ସହ ଆଲୋଚନା କରି ଜଣେ ପୂର୍ବତନ ଗୁଇନ୍ଦା ଅଧିକାରୀ କହିଛନ୍ତି ଯେ, ଆମେରିକାରେ ଏବେ ସୁରକ୍ଷା ସମ୍ବନ୍ଧରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଜାନୁଆରୀ ୬ରେ କ୍ୟାପିଟଲ ବିଲ୍ଡିଂ ଉପରେ ଆକ୍ରମଣ ହୋଇଥିଲା । ଏବେ ଆକ୍ରମଣ ହେଲେ କାର‌୍ୟ୍ୟାନୁଷ୍ଠାନ ନେବାକୁ ନ୍ୟାଶନାଲ୍ ଗାର୍ଡଙ୍କୁ କୌଣସି ଅନୁମତି ଦରକାର ନାହିଁ । କାହାକୁ ଏଫବିଆଇ ସ୍ୱାଟ୍ ଟିମ୍ ପାଇଁ ଜରୁରୀ କଲ୍ କରିବା ଦରକାର ନାହିଁ । ରେଡିଏସନ୍ ପ୍ରୋଟେକ୍ସନ, ବମ୍ ଡିଟେକ୍ଟର ଓ ହିଂସା ପ୍ରତିରୋଧୀ ବାହିନୀ ମୁତୟନ ଅଛନ୍ତି ।
ଓ୍ୱାଶିଂଟନରେ ସୁରକ୍ଷା ପାଇଁ ୧୫୦୦୦ରୁ ଅଧିକ ୟୁଏସ ନ୍ୟାଶନାଲ ଗାର୍ଡଙ୍କୁ ମୁତୟନ କରାଯାଇଛି । ଏହାମଧ୍ୟରୁ ୧୦୦୦୦ଜଣଙ୍କୁ ପଡିଆରେ ନିୟୋଜିତ କରାଯାଇଛି । ଅନ୍ୟ ୫ହଜାର ଯବାନ ଷ୍ଟାଣ୍ଡବାୟରେ ରହିବେ ।
ଏଫବିଆଇ କ୍ୟାପିଟଲ ବିଲ୍ଡିଂରେ ଗତ ସପ୍ତାହରେ ଘଟିଥିବା ହିଂସା ପରେ ବାଇଡେନଙ୍କ ଶପଥଗ୍ରହଣରେ ପୁଣି ହିଂସା ଆଶଙ୍କା କରିଥିଲା । ଏହାସହ ଦେଶର ୫୦ଟି ରାଜ୍ୟରେ ଆନ୍ଦୋଳନ ନେଇ ଗୁଇନ୍ଦା ରିପୋର୍ଟ ମିଳିଥିଲା । ଦଙ୍ଗା ଆଶଙ୍କା ମଧ୍ୟ ରହିଥିଲା । ତେଣୁ ସୁରକ୍ଷା ଦୃଷିକୋଣରୁ ଅଧିକ ଯବାନ ମୁତୟନ ହେବା ସହ ଓ୍ୱାଶିଂଟନ ଉପରେ କଡା ନଜର ରଖାଯାଇଛି ।

Leave A Reply

Your email address will not be published.