ଗ୍ରାମାଞ୍ଚଳରେ ଆରମ୍ଭହେଲା କରୋନା ସ୍କ୍ରିନିଂ ଓ ସର୍ଭେ

0 495

ଭୁବନେଶ୍ବର :୧୦/୪(ଏସଏସଏନ୍) ଆଜି ଠାରୁ ରାଜଧାନୀ ଉପକଣ୍ଠ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳିର ପଟିଆ ଓ ରଘୁନାଥପୁର ଗ୍ରାମାଞ୍ଚଳରୁ ଆରମ୍ଭ ହୋଇଛି କରୋନା ସ୍କ୍ରିନିଂ ଓ ସର୍ଭେ। ଏହି କାର୍ଯ୍ୟକ୍ରମକୁ ସୁଚାରୁଭାବେ ପରିଚାଳନା କରିବାନେଇ ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ସ୍ବାସ୍ଥ୍ୟକର୍ମୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଛି କିଛି ଦଳ। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁସାରେ ‌ଆଜି ସ୍ବାସ୍ଥ୍ୟକର୍ମୀ ଦଳଗୁଡ଼ିକ ସ୍ବତନ୍ତ୍ର ଆମ୍ବୁଲାନ୍ସ୍ ଯୋଗେ ପଟିଆ ଓ ରଘୁନାଥପୁର ଅଞ୍ଚଳର ବିଭିନ୍ନ ସାହିରେ ପହଞ୍ଚି କରୋନା ସର୍ଭେ ଓ ସ୍କ୍ରିନିଂ ଆରମ୍ଭ କରିଛି। ପ୍ରାଥମିକ ପର୍ଯ୍ୟାୟରେ ଅଙ୍ଗନବାଡ଼ି କର୍ମୀ ଓ ଆଶା ମାନଙ୍କୁ କରୋନା ସଂକ୍ରମଣ ବିଷୟରେ ସବିଶେଷ ବିବରଣୀ ଦିଆଯିବା ସହ ସ୍ବାସ୍ଥ୍ୟକର୍ମୀମାନେ ଘର ଘର ବୁଲି ଲୋକ ମାନଙ୍କ ସ୍କ୍ରିନିଂ କରିଛନ୍ତି। ଯେଉଁମାନଙ୍କୁ ସାମାନ୍ୟ ଜ୍ବର, ଥଣ୍ଡା, କଫ କିମ୍ବା ଦେହ ଘୋଳାବିନ୍ଧା ହେଉଥିବା ଲକ୍ଷଣ ଦେଖାଯାଉଛି ସେମାନଙ୍କୁ ସ୍ବତନ୍ତ୍ର ଭାବେ ଶରୀରର ତାପମାତ୍ରା ଓ ଅନ୍ୟାନ ଆବଶ୍ୟକିୟ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ଆଜି ପ୍ରଥମ ଦିନରେ ଅଳ୍ପକେତକେ ସାହି ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ବେଳେ ପର୍ଯ୍ୟାୟ କ୍ରମେ ଅନ୍ୟ ସମସ୍ତଙ୍କ ସ୍କ୍ରିନିଂ କରାଯିବ ବୋଲି ଉପସ୍ଥିତ ଡ଼ାକ୍ତର ଦଳ ପ୍ରକାଶ କରିଛନ୍ତି। ଏହି ସମୟରେ ଗ୍ରାମବାସୀମାନେ ସ୍ବେଚ୍ଛାକୃତଭାବେ ଘରୁ ବାହାରି ନିଜ ସ୍ବାସ୍ଥ୍ୟ ପରୀକ୍ଷା କରିବାସହ ସାମାଜିକ ଦୂରତା ରକ୍ଷାକରି ମୁହଁରେ ମାସ୍କ କିମ୍ବା ରୁମାଲଦେଇ ପରୀକ୍ଷା କରାଇଥିଲେ। ଆବଶ୍ୟକ‌ସ୍ଥଳେ ବିଭିନ୍ନ ସଂନ୍ଧିଗ୍ଧ ରୋଗୀଙ୍କ ନମୁନା ସଂଗ୍ରହ କରିଛନ୍ତି ସ୍ବାସ୍ଥ୍ୟକର୍ମୀ। ସ୍କ୍ରିନିଂ ସମୟରେ ସ୍ବାସ୍ଥ୍ୟକର୍ମୀମାନେ ଗ୍ରାମବାସୀଙ୍କୁ ସାମାଜିକ ଦୂରତା ରକ୍ଷାକରିବା ଓ କରୋନା ସଂକ୍ରାନ୍ତିୟ ସମସ୍ତ ସରକାରୀ ନିର୍ଦ୍ଦେଶଗୁଡ଼ିକୁ ନିଷ୍ଠାପର ସହ ପାଳନ କରିବାନେଇ ହେଲଥ୍ ସୁପରଭାଇଜର ଦିଲ୍ଲୀପ ମହନ୍ତ ଓ ସ୍ବାସ୍ଥ୍ୟକର୍ମୀ ମହେଶ ସାହୁ ଅନୁରୋଧ କରିଥିଲେ। ସ୍ବାସ୍ଥ୍ୟ ପରୀକ୍ଷଣ ଦଳର ଡା.ସ୍ମିଗ୍ଧା ତ୍ରିପାଠୀ ଓ ଡା.ସତ୍ୟ ନାରାୟଣ ଦାଶ ଘର ଘର ବୁଲି ଲୋକଙ୍କୁ ଡ଼ାକି ସ୍କ୍ରିନିଂ କରିବା ସହ କରୋନା ସହ ମୁକାବିଲାର ଉପାଦେୟ ଓ ଉପଚାର ପରାମର୍ଶ ପ୍ରଦାନ କରିଥିଲେ। ଏହି ସମୟରେ ସ୍ବାସ୍ଥ୍ୟକର୍ମୀମାନଙ୍କ ସେବାକୁ ଗ୍ରାମବାସୀ ସ୍ବାଗତ ଜଣାଇବା ସହ ସେମାନଙ୍କ କାର୍ଯ୍ୟକୁ ସାଧୁବାଦ ଜଣାଇଥିଲେ। ଏମିତିକି ଅନେକ ବୟସ୍କ ବ୍ୟକ୍ତି ଡ଼ାକ୍ତରମାନଙ୍କୁ ସେବାକାର୍ଯ୍ୟକୁ ପ୍ରଣାମକରି ସେମାନଙ୍କ ମନୋବଳ ଦୃଢ଼କରିବାନେଇ ଆର୍ଶିବାଦ କରିଥିଲେ।

Leave A Reply

Your email address will not be published.