ଭୁବନେଶ୍ୱର ,୧୫ା୧(ଏସଏସନିଉଜ)ରାଜ୍ୟର ୮୦ ବର୍ଷ ବା ତାଠାରୁ ଉର୍ଦ୍ଧ୍ୱବୟସ୍କବ୍ୟକ୍ତି ଏବଂ ୮୦ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀମାନେ ଆଜିଠାରୁ ମାସକୁ ୩୫୦୦ ଟଙ୍କା ପେନସନ ପାଇବେ । ପୂର୍ବରୁ ସେମାନେ ୧୨୦୦ ଟଙ୍କା ପେନସନ ପାଉଥିବା ବେଳେ ଏଥିରେ ୨୩୦୦ ଟଙ୍କା ବୃଦ୍ଧି କରାଯାଇ ୩୫୦୦ ଟଙ୍କା କରାଯାଇଛି । ଏହା ଦ୍ୱାରା ରାଜ୍ୟର ୪,୧୭,୪୯୬ ଜଣ ବ୍ୟକ୍ତି ଉପକୃତ ହେବେ ।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝରଠାରେ ଏହି ବର୍ଦ୍ଧିତଭତ୍ତା ବିତରଣ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେଉଁ ସମାଜରେ ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଅସହାୟ ବ୍ୟକ୍ତିଙ୍କୁ ସମ୍ମାନ ଓ ଆଦର ଦିଆଯାଏ, ସେହି ସମାଜ ହେଉଛି ଏକ ଆଦର୍ଶ ସମାଜ । ଏ ମାନଙ୍କ ପ୍ରତି ସମାଜ ସମ୍ବେଦନଶୀଳ ହେବା ଆବଶ୍ୟକ । ବରିଷ୍ଠ ନାଗରିକ ମାନେ ହେଉଛନ୍ତି ଆମ ଆସ୍ଥା ଓ ବିଶ୍ୱାସର ମନ୍ଦିର । ସେମାନଙ୍କ ହସ, ଖୁସି ଏବଂ ଯୁବ ସମାଜ ଉପରେ ସେମାନଙ୍କ ଅଖଣ୍ଡ ଆସ୍ଥା ହିଁ ଆମ ବିରଳ ସମ୍ପତ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ପଡିଆରେ ଆୟୋଜିତ ଏହି ରାଜ୍ୟ ସ୍ତରୀୟ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଷ୍ଟ୍ରୀୟ ସାମାଜିକ କାର୍ୟ୍ୟକ୍ରମର ହିତାଧିକାରୀ ହୁଅନ୍ତୁ ବା ମଧୁବାବୁ ପେନସନ ହିତାଧିକାରୀ, ସମସ୍ତେ ଏହି ବର୍ଦ୍ଧିତ ପେନସନ ପାଇବେ । କେନ୍ଦୁଝର ଜିଲ୍ଲାର ମଧ୍ୟ ୯,୯୧୩ ଜଣ ବ୍ୟକ୍ତି ଏଥିରେ ଅନ୍ତର୍ଭୁକ୍ତ ଅଛନ୍ତି। ଆଜିର ଏହି କାର୍ୟ୍ୟକ୍ରମ ଏକ ଆଦର୍ଶ ସମାଜ ଆଡକୁ ଆମ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପାହାଚ । ନୂଆ ସରକାର ଆପଣ ମାନଙ୍କୁ କଥା ଦେଇଥିଲେ, କଥା ରଖିଛନ୍ତି । ଆପଣ ମାନଙ୍କ ପାଇଁ ଏହି ବର୍ଦ୍ଧିତ ପେନସନର ଶୁଭାରମ୍ଭ କରି ମୁଁ ବ୍ୟକ୍ତିଗତ ଭାବରେ ବହୁତ ଖୁସି ବୋଲି ସେ କହିଥିଲେ ।
ସେ ପୁଣି କହିଥିଲେ ଆମ ସରକାର ଆସିବାକୁ ମାତ୍ର ୭ ମାସ ହୋଇଛି । ଏହି ୭ ମାସ ମଧ୍ୟରେ ଆମ ସରକାର ଲୋକଙ୍କ କଲ୍ୟାଣ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଗତ ଦୁଇ ଦିନ ତଳେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ରାଜ୍ୟରେ କାର୍ୟ୍ୟକାରୀ କରିବା ପାଇଁ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଛି । ଏହା ମାଧ୍ୟମରେ ରାଜ୍ୟର ଗରିବ ଓ ଅସହାୟ ଲୋକଙ୍କୁ ଉନ୍ନତ ଚିକିତ୍ସା ସୁବିଧା ମିଳିବ । ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଏହି ଯୋଜନାରେ ୭୦ ବର୍ଷରୁ ଅଧିକ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ଯୋଡିଛନ୍ତି । ଗାଁ ଗଣ୍ଡାର ଲୋକମାନେ ସହରର ଭଲ ଭଲ ହସ୍ପିଟାଲରେ ଚିକିତ୍ସା ସୁବିଧା ପାଇ ପାରିବେ ବୋଲି କହିଥିଲେ ।କାର୍ୟ୍ୟକ୍ରମରେ କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଆଲୋକ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post
Next Post