ଭୁବନେଶ୍ୱର,୧୦।୪(ଏସଏସନିଉଜ) ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଠ ନିର୍ମାଣ ପାଇଁ ଦାନ କରିଲେ ଦୁଇଟି ଗଛ। ରାଜଧାନୀ ଉପକଣ୍ଠ ଦାଢ଼ା ପଞ୍ଚାୟତର ମରିଚିଆ ଗ୍ରାମର ଯୋଗେନ୍ଦ୍ର ବେହେରାଙ୍କ ବାରିରୁ ଏହି ରଥ କାଠ ପୁରୀ ଅଭିମୁଖେ ଯାତ୍ରା କରିବ। ଯୋଗେନ୍ଦ୍ରଙ୍କ ବାରିରେ ପ୍ରାୟ ୧୫ରୁ ଉର୍ଦ୍ଧ ଫାଶୀ ଗଛ ରହିଛି। ମହାପ୍ରଭୁଙ୍କ ସେବାରେ ଏହି ଗଛକୁ ଅର୍ପଣ କରିବାକୁ ମନସ୍ଥ କରିଥିଲେ ଯୋଗେନ୍ଦ୍ର। ସେଥିପାଇଁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ସହିତ ଗତ ୬ ମାସ ତଳେ
ଯୋଗାଯୋଗ କରିଥିଲେ। ଶେଷରେ ପୁରୀରୁ ଗଛ କାଟିବା ପାଇଁ ଆସି ପହଞ୍ଚିଥିଲେ କର୍ମଚାରୀ। ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୁଇଟି ବିରାଟ ଗଛକୁ ବୁଧବାର କଟାଯାଇଛି। ପ୍ରଥମେ ଗଛ ମୂଳେ ବ୍ରାହ୍ମଣଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଥିଲା। ପରେ କଟର ମେସିନ ସାହାଯ୍ୟରେ ଗଛ ଦୁଇଟି କଟା ଯାଇଥିଲା। ନାମ ସଙ୍କୀର୍ତ୍ତନରେ ସମଗ୍ର ଅଞ୍ଚଳ ଫାଟି ପଡୁଥିଲା। ଗ୍ରାମର ଶତାଧିକ ମହିଳା ପୁରୁଷ ଏହି ପବିତ୍ର କାର୍ଯ୍ୟରେ ଉପସ୍ଥିତ ରହିଥିଲେ। ପୂର୍ବ ଜନ୍ମ କିମ୍ବା ଏହି ଜନ୍ମର ଫଳ ହେଉ କିମ୍ବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ନିଜ ବାରି ତଥା ଅଞ୍ଚଳରୁ କାଠ ଯାଇ ରଥ ନିର୍ମାଣ ହେବ ତାହାକୁ ନେଇ ନିଜକୁ ଗୌରବାନିତ ମନେ କରିଛନ୍ତି ଗ୍ରାମବାସୀ। ମହାପ୍ରଭୁ ଏହି ରଥରେ ବିରାଜମାନ ହେବେ ଯାହାକୁ ନେଇ ଭବବିହ୍ୱଳ ହୋଇପଡିଛନ୍ତି ଯୋଗେନ୍ଦ୍ରଙ୍କ ପରିବାର ସମେତ ସମଗ୍ର ଗ୍ରାମବାସୀ। ମହାପ୍ରଭୁଙ୍କ ବିନା ଆଦେଶରେ କୌଣସି କାର୍ଯ୍ୟ ହୁଏନି। ଏଠାରୁ ରଥ ନିର୍ମାଣ ପାଇଁ କାଠ ଯାଉଛି, ତାହା ମଧ୍ୟ ପ୍ରଭୁଙ୍କ ଇଚ୍ଛା ବୋଲି ପରିବାର ପକ୍ଷରୁ କୁହାଯାଇଛି।(ଜିତ ରାଉତଙ୍କ ରିପୋର୍ଟ)
Prev Post
Next Post
