ଲାଇନମ୍ୟାନଙ୍କୁ ଅପହରଣ କରି ବନ୍ଧା ହେଲେ ଯୁବକ

ବାରଙ୍ଗ,୨୬।୧୦(ଏସଏସନିଉଜ) ବାରଙ୍ଗ ବିଦ୍ୟୁତ୍ ବିଭାଗର ଲାଇନ ମ୍ୟାନଙ୍କୁ ଜଣେ ଯୁବକ ମରଣାତ୍ମକ ଆକ୍ରମଣ କରିବା ସହ ଅପହରଣ କରିବା ଅଭିଯୋଗରେ ରବିବାରଦିନ ଚନ୍ଦକା ଥାନା ପୋଲିସ ଅପହରଣକାରୀଙ୍କୁ କୋର୍ଟଚାଲାଣ କରିଛି । ସିଏ ହେଉଛନ୍ତି ଚନ୍ଦକାଥାନା ଅଳସୁଆ ଅଞ୍ଚଳରେ ରହୁଥିବା ସୁଧାଂସୁ ଶେଖର ଦାସ ଓରଫ ପପୁ ବୋଲି ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ , ଗତ ୧ ତାରିଖ ଦିନବାରଙ୍ଗ ବିଦ୍ୟୁତ୍ ବିଭାଗର ଲାଇନିମ୍ୟାନ ମହେଶ୍ୱର ଦାସ (୪୫) ରାତି ପ୍ରାୟ ୧୦ଟା ବେଳେ ଦାରୁଠେଙ୍ଗ ଗ୍ରାମରେ ଆଲେକ୍ସ ଟ୍ରେଡର୍ସ ନିକଟରେ ଥିବା ଟ୍ରାନ୍ସଫର୍ମର ବିଦ୍ୟୁତ ପୁନରୁଦ୍ଧାର କାର୍ଯ୍ୟ କରୁଥିବା ସମୟରେ ସୁଧାଂସୁ ଶେଖର ଦାସ ଓରଫ ପପୁ ଏବଂ ଅନ୍ୟ ଜଣେ ବ୍ୟକ୍ତି ସେଠାରେ ପହଞ୍ଚି ତାଙ୍କ କାମ ବିଷୟରେ ପଚାରିଥିଲେ। ସେମାନେ ମହେଶ୍ୱରକୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ବାଡ଼ି ଓ ଲୁହା ରଡରେ ଆକ୍ରମଣ କରିଥିଲେ। ପରେ ସେମାନେ ତାଙ୍କୁ ଓଲ୍ଲା ଇଲେକ୍ଟ୍ରିକ୍ ସ୍କୁଟରରେ ବସେଇ ଅନ୍ୟ ଏକ ସ୍ଥାନକୁ ଅପହରଣ କରି ପୁଣି ଆକ୍ରମଣ କରିଥିଲେ । ସେଠାରେ ମହେଶ୍ୱରକୁ ହତ୍ୟାଧମକ ଦେଇ ତାଙ୍କ ମୋବାଇଲ୍ ଫୋନ୍ ଓ ୧୮,୫୦୦/- ଟଙ୍କା ଛଡାଇ ନେଇଥିଲେ। ସୌଭାଗ୍ୟବଶତଃ ସେମାନଙ୍କ ହେପାଜତରୁ ମହେଶ୍ୱର ଖସି ପଳାଇଆସି ଚନ୍ଦକା ଥାନାରେ ଅଭିଯୋଗ କରିଥିଲେ ।ପୋଲିସ ତଦନ୍ତ କରି ରବିବାରଦିନ ଅଳସୁଆ ଅଞ୍ଚଳରୁ ସୁଧାଂସୁ ରହୁଥିବା ସୂଚନା ପାଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ କରିଥିଲେ। ଏହି ସମୟରେ ଅଭିଯୁକ୍ତ ସେହି ସ୍କୁଟର ସହିତ ପଳାଇବାକୁ ଚେଷ୍ଟା କରିଥିବାବେଳେ ତଳେ ପଡ଼ିଯାଇଥିଲେ ଏବଂ ତାଙ୍କୁ ପୋଲିସ ଟୀମଙ୍କ ଦ୍ୱାରା କାବୁ କରାଯାଇଥିଲା। ପଚରାଉଚରା ସମୟରେ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିଲେ।ଅପହରଣରେ ବ୍ୟବହୃତ ଓଲ୍ଲା ସ୍କୁଟର ଅଭିଯୁକ୍ତଠାରୁ ଜବତ୍ କରି ଆଜି କୋର୍ଟଚାଲାଣ କରିଛି ପୋଲିସ। ପୁର୍ବରୁ ଅଭିଯୁକ୍ତଙ୍କ ବିରୋଧରେ ସହିଦନଗର, ନନ୍ଦନକାନନ ଓ ବାରଙ୍ଗ ଥାନାରେ ଆକ୍ରମଣ, ଅପରାଧିକ ଧମକ ଏବଂ ହିଂସାତ୍ମକ ଅପରାଧ ଭଳି ବହୁ ମାମଲା ରହିଥିବାର ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।(ଜିତ ରାଉତଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.