ଲୁଚକାଳି ଖେଳୁଛି ଶୀତ

0 237

ଭୁବନେଶ୍ୱର,୧୮/୧(ଏସଏସନିୟୁଜ)ଲୁଚକାଳି ଖେଳୁଛି ଶୀତ । ରାଜ୍ୟରେ ଆଜିଠୁ ବଢିବ ସର୍ବନିମ୍ନ ତାପମାତ୍ରା । ଶୀତ କମିବ । କିନ୍ତୁ ପୁଣି ଗୁରୁବାରରୁ ଥଣ୍ଡାର ପ୍ରକୋପ ବଢିବ । ଆସନ୍ତା ସପ୍ତାହେ ଯାଏଁ ରାଜ୍ୟରେ ଶୀତ ଲୁଚକାଳି ଖେଳିବ । ଏନେଇ ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି।
ସୋମବାର ବୌଦ୍ଧ, ନୟାଗଡ଼, କନ୍ଧମାଳ, ପୁରୀ ଓ କଳାହାଣ୍ଡି ଜିଲ୍ଲାରେ ଘନ କୁହୁଡ଼ି ଦେଖାଦେଇଥିଲା। କଟକ, ଜଗତସିଂହପୁର, ଖୋର୍ଦ୍ଧା, ଅନୁଗୁଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ଗଞ୍ଜାମ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି। ତେଣୁ ସ୍ୱତନ୍ତ୍ର ରିଲିଫ୍ କମିଶନର୍ ସତର୍କ ସୂଚନା ଜାରି କରିଛନ୍ତି । ଯେଉଁ ଜିଲ୍ଲାଗୁଡିକରେ ଘନ କୁହୁଡ଼ିହୋଇଛି, ସେଠାକାର ଜିଲ୍ଲାପାଳ ଓ ଏସ୍‌ପିମାନେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକକହିଛନ୍ତି ଯେ,, ସୋମବାରରୁ ରାଜ୍ୟରେ ଥଣ୍ଡା କମିବ । କିନ୍ତୁ ଗୁରୁବାରରୁ ରାଜ୍ୟର ଅଧିକାଂଶ ସ୍ଥାନରେ ପୁଣି ଥଣ୍ଡା ଫେରିବ । ଏହାର ୩ଦିନ ପରେ ୨୩ରୁ ପୁଣି ଥଣ୍ଡା କମିବ। ଶୀତ କମିବା ଓ ବଢ଼ିବାର ଏଭଳି ଲୁଚକାଳି ସପ୍ତାହବ୍ୟାପୀ ଲାଗି ରହିବ। କିନ୍ତୁ ୧୮ରୁ ରାଜ୍ୟର ଅଧିକାଂଶ ସ୍ଥାନରେ ଉଭୟ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ବଢ଼ିବା ଆରମ୍ଭ ହେବ । ଆଭ୍ୟନ୍ତରୀଣ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ୧୯ ତାରିଖ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ରୁ ୫ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । ସର୍ବାଧିକ ତାପମାତ୍ରା ମଧ୍ୟ ସେହି ପରିମାଣରେ ବଢ଼ିବ ବୋଲି ଅନୁମାନ କରାଯାଉଛି।
ରବିବାର ଜାଡ଼ରେ ଥରିଛି ଫୁଲବାଣୀ । ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ୍‌କୁ ଖସିଛି । ସେହିପରି ଦାରିଙ୍ଗବାଡ଼ିରେ ତୁଷାରପାତ ହେବା ସହିତ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ୍‌କୁ ଓ ଝାରସୁଗୁଡ଼ାର ୮.୨ ଡିଗ୍ରୀ ସେଲସିୟସ୍‌କୁ ଖସିଛି ଷ ଆଭ୍ୟନ୍ତରୀଣ ଓଡ଼ିଶାର ୬ଟି ସହରରେ ଅସମ୍ଭାଳ ଶୀତ ଅନୁଭୂତ ହୋଇଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.