ମହାନଦୀରେ ଦେଖାଦେଲା ମଧ୍ୟମ ଧରଣର ବନ୍ୟା

0 145

ଭୁବନେଶ୍ୱର,୧୪/୮(ଏସଏସନିଉଜ) ଛତିଶଗଡ଼ ଓ ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିଥିବା ସହ ହୀରାକୁଦର ୩୪ଟି ଗେଟ୍ ଦେଇ ବନ୍ୟା ପାଣି ଛଡ଼ା ଯାଇଥିବାରୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଦେଖାଦେଇଛି ।ଯାହାଫଳରେ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ ଓ କଟକ ଜିଲ୍ଲାର ବିଭିର୍ଣ ସ୍ଥାନରେ ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ ବହୁ ସ୍ଥାନରେ ଲୋକମାନେ ପାଣି ଘେରରେ ରହିଛନ୍ତି। ମହାନଦୀର ପଛୁଆ ପାଣି ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଲକର ଚିଖିଲି, ଅନ୍ତରାଡି, ଘୁଘୁରାପାଲି ଆଦି ଗାଁରେ ଘରେ ପାଣି ପଶିବା ସହ ଗାଁ ଦାଣ୍ଡରେ ପାଣିର ସୁଅ ଛୁଟିଛି ।ଶହଶହ ଏକର ଚାଷଜମି ଜଳମଗ୍ନ ହୋଇଛି ।ବୌଦ୍ଧ ଜିଲ୍ଲାର ଜଗନ୍ନାଥ ସଡକ ଉପରେ ପ୍ରାୟ ୮ ଫୁଟର ବନ୍ୟାପାଣି ଚାଲିଛି ।ହରଭଙ୍ଗା ବ୍ଲକ୍‌ର ଅନେକ ଗାଁ ପ୍ରଭାବିତ ହୋଇ ଯାତାୟତ ପ୍ରଭାବିତ ହୋଇଛି ।ଗୁଲାପଡ଼ାରୁ ବିନିକା ଟାଉନ୍‌କୁ ସଂଯୋଗ କରୁଥିବା ରାସ୍ତା ବୁଡ଼ିଯିବା ପରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଠିକ୍ ସେଇଭଳି ମାଳତୀ ଯୋର ସେତୁ ଉପରେ ପାଣି ବଢ଼ିବା ଯୋଗୁଁ ସୋନପୁର ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି। ବୀରମହାରାଜପୁର-ଅମରପାଲି ରାସ୍ତାର ଘୁଂଘିଯୋର ରାସ୍ତା ଉପରେ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ବିଜେପୁର ସେତୁ ଉପରେ ମଧ୍ୟ ବନ୍ୟା ପାଣି ଚାଲିବାରୁ ବୀରମହାରାଜପୁରରୁ ବିଜେପୁର ଦେଇ ସୋନପୁରକୁ ଯୋଗାଯୋଗ ବିଛିନ୍ନ ହୋଇଛି ।
ଅନ୍ୟପଟେ ଆସନ୍ତାକାଲି ସଂଧ୍ୟାରେ ମୁଣ୍ଡଳୀରେ ୧୧ ଲକ୍ଷ କ୍ୟୁସେକ୍ ପାଣି ପାସ୍ କରିବାକୁ ଥିବାରୁ ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ଆଦି୪ ଜିଲ୍ଲାକୁ ସଜାଗ କରିଛନ୍ତି ଏସଆରସି ପ୍ରଦୀପ ଜେନା। ମହାନଦୀର ମଚ୍ଛୁଳା ପାଣି ଉଗ୍ର ରୂପ ଧରି ମାଡ଼ି ଆସୁଥିବାରୁ ମହାନଦୀର ଏ କରାଳ ରୂପକୁ ଦେଖି ନଈକୂଳିଆବାସୀ ଆତଙ୍କିତ ହୋଇପଡିଛନ୍ତି ।

Leave A Reply

Your email address will not be published.