ଭୁବନେଶ୍ୱର,୨୩।୧୨(ଏସଏସନିଉଜ)ଚନ୍ଦକା ଜଙ୍ଗଲର କୁମାରଖୁଣ୍ଟିରେ ରହୁଥିବା ୬ମାସର ମାଛେଉଣ୍ଡ ହାତୀ ଛୁଆ ସମ୍ଭୁ ମଙ୍ଗଳବାର ସକାଳେ ମୃତ୍ୟୁ ବରଣ କରିଛି।ମୃତ୍ୟୁର ପକୃତ କାରଣ ଜଣାପଡିନାହିଁ ।ତେବେ ଆସିବାର ଦିନକେଇଟା ପରେ ଛୁଆହାତୀର ମୃତ୍ୟୁକୁ ଗ୍ରହଣକରିପାରୁନାହାନ୍ତି ଅଂଚଳବାସୀ ।ସଠିକ ରୋଗ ନିରୁପଣ ନକରିପାରିବା ଯୋଗୁ ହାତୀଛୁଆଟିର ଜୀବନ ଚାଲିଗଲା ବୋଲି ଚର୍ଚ୍ଚା ଯୋର ଧରିଥିବାବେଳେ ହର୍ପିକ୍ସ୍ କିମ୍ବା ଆଭ୍ୟନ୍ତରିଣ ଅସୁବିଧା ଯୋଗୁ ହାତୀ ଛୁଆର ମୃତ୍ୟୁ ଘଟିଛି ବୋଲି ବନବିଭାଗ ସନ୍ଦେହ କରିଛି।
ପ୍ରକାଶ ଯେ,ଚଳିତ ମାସ ୧୪ ତାରିଖରେ କେନ୍ଦୁଝର ବନଖଣ୍ଡରୁ ଉଦ୍ଧାର ହୋଇ ଚନ୍ଦକା ଆସିଥିଲା ସମ୍ଭୁ। ଚନ୍ଦକା ଆସିଲା ପରେ ତାକୁ କୁମାରଖୁଣ୍ଟି ଠାରେ ଥିବା ବାଲ ହସ୍ତୀଭବନରେ ରଖାଯାଇ ଲାଳନପାଳନ ଆରମ୍ଭ ହୋଇଥିଲା। ମା ଓ ହାତୀ ପଲଠାରୁ ଅଲଗା ହୋଇ ଏକ ଖାଲରେ ପଡ଼ି ଯାଇଥିଲା ଏହି ୬ ମାସର ଅଣ୍ଡିରା ହାତୀଛୁଆ ସମ୍ଭୁ। ଖାଲରେ ପଡ଼ିବାରୁ ତା ପଛଗୋଡରେ ଆଘାତ ଲାଗି ଚାଲିବାରେ ଅସୁବିଧା ହେଉଥିଲା।ପରେ ବନବିଭାଗ ତାକୁ ଉଦ୍ଧାରକରି ମା ଓ ହାତୀପଲ ସହ ମିଶାଇବାକୁ ଚେଷ୍ଟା କରି ବିଫଳ ହେବାରୁ ଚନ୍ଦକାକୁ ନେଇ ଆସିଥିଲା।ଏଠାକୁ ଆସିବା ପରେ ଛୁଆ ହାତୀର ନାମ ଶମ୍ଭୁ ରଖାଯାଇଥିଲା। ହାତୀ ଛୁଆ ଆସିବା ପରେ ଚନ୍ଦକା ବନଖଣ୍ଡରେ ଖୁସିର ଲହରୀ ଖେଳିଯାଇଥିଲା। ହେଲେ ହଠାତ୍ ସମ୍ଭୂର ମୁତ୍ୟୁ ଘଟଣା ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରିଥିଲା।
ସୋମବାର ସକାଳୁ ସମ୍ଭୁ ହଠାତ୍ ଅସୁସ୍ଥ ହେବା ଆରମ୍ଭ ହୋଇଥିଲା।ଏହାପରେ ଚନ୍ଦକା ବନବିଭାଗ ଅଧିକାରୀ ସ୍ଥାନୀୟ ପଶୁଚିକିତ୍ସକ ଏବଂ ନନ୍ଦନକାନନର ପଶୁ ଚିକିତ୍ସା ଦଳ ସହିତ ପରାମର୍ଶ କ୍ରମେ ଚିକିତ୍ସା ଆରମ୍ଭ କରିଥିଲେ। ସନ୍ଧ୍ୟାରେ ସ୍ବାସ୍ଥ୍ୟରେ ଉନ୍ନତି ହେବା ସହ ଖାଦ୍ୟଗ୍ରହଣ କରି ଧୀରେଧୀରେ ଚାଲିବା ଆରମ୍ଭ କରିଥିଲା । ହେଲେ ମଙ୍ଗଳବାର ସକାଳେ ପୁଣି ଥରେ ତା ସ୍ୱାସ୍ଥ୍ୟରେ ଅବନତି ଦେଖା ଦେଇଥିଲା।ସାଲାଇନ ଓ ଔଷଧ ଦିଆଯାଇ ଚିକିତ୍ସକଙ୍କ ଦ୍ଵାରା ଚିକିତ୍ସା ଆରମ୍ଭ ସତ୍ତ୍ୱେ ସମ୍ଭୁ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇନଥିଲା।ଶମ୍ଭୁର ସ୍ବାସ୍ଥ୍ୟରେ ସୁଧାର ଆଣିବା ପାଇ ନନ୍ଦନକାନନକୁ ସ୍ଥାନାନ୍ତର କରିବାକୁ ବନବିଭାଗ ଯୋଜନା କରାଯାଇଥିବାବେଳେ ଆଜି ସକାଳ ୭.୩୦ ସମୟରେ ସମ୍ଭୁର ମୁତ୍ୟୁ ଘଟିଥିଲା। ଯାହାକୁ ନେଇ ଚନ୍ଦକା ବନ ବିଭାଗ କର୍ମଚାରି ମାନଙ୍କ ମଧ୍ୟରେ ଦୁଃଖର ବାତାବରଣ ଖେଳିଯାଇଛି। ତେବେ କେଉଁ କାରଣରୁ ସମ୍ଭୂର ମୃତ୍ୟୁ ଘଟିଲା ତାହା ବର୍ତ୍ତମାନ ଅସ୍ପଷ୍ଟ ରହିଛି।ହର୍ପିକ୍ସ୍ କିମ୍ବା ଆଭ୍ୟନ୍ତରିଣ ଅସୁବିଧା ଯୋଗୁ ହାତୀଛୁଆର ମୃତ୍ୟୁ ଘଟିଛି ବୋଲି ସନ୍ଦେହ କରାଯାଉଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର ପକୃତକାରଣ ଜଣାପଡିବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି।
Prev Post
