ଅବହେଳା ନେଉଛି ନିରୀହଜନ୍ତୁଙ୍କ ଜୀବନ !

କର୍ତ୍ତୃପକ୍ଷଙ୍କ ପାରିବାପଣିଆ ଉପରେ ଉଠିଲା ପ୍ରଶ୍ନ

ଭୁବନେଶ୍ୱର,୯।୪(ଏସଏସନିଉଜ) ପୁଣି ପ୍ରାଣୀଉଦ୍ୟାନ ନନ୍ଦନକାନନରେ ଗୁରୁବାର ଦିନ ଗୋଟିଏ ଅଣ୍ଡିରା ୫ବର୍ଷ ବୟସ୍କ ଜଙ୍ଗଲି କୁକୁରର ମୃତ୍ୟୁ ହୋଇଛି। ଗତ ମାର୍ଚ୍ଚ ୮ ତାରିଖରେ ଗୋଟିଏ ଜଙ୍ଗଲି କୁକୁରର ମୃତ୍ୟୁ ହୋଇଥିବା ବେଳେ ପୁଣି ଏକମାସ ବ୍ୟବଧାନ ପରେ ଆଉ ଗୋଟିଏ ଜଙ୍ଗଲି କୁକୁର ମୃତ୍ୟୁ ପଶୁପ୍ରେମିକୁ ବ୍ୟଥିତ କରିଛି।ଏବେ ସିଜେଡଏର ଏକ ଦଳ ନନ୍ଦନକାନନରେ ଥିବା ବେଳେ ଜଙ୍ଗଲି କୁକୁର ମୃତ୍ୟୁ ଘଟଣା ନନ୍ଦନକାନନ ମୁଖିଆଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି।
ପ୍ରକାଶ ଯେ ,୨୨ନମ୍ୱର ଖୁଆଡରେ ଥିବା ଜଂଗଲୀ କୁକୁର ମଧ୍ୟରୁ ଗୋଟିଏ ଅଣ୍ଡିରା କୁକୁରର ଦେହ ଗତ ଏକମାସ ତଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲା। କୁକୁରଟି ଖାଇବା ଛାଡ଼ିଦେବାରୁ ଜନ୍ତୁ ବିଭାଗର ଚିନ୍ତା ବଢ଼ିଯାଇଥିଲା।କୁକୁରକୁ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା।ସାଲାଇନ ଇଞ୍ଜେକସନ ଦେବା ସହ ଡ଼ାକ୍ତରମାନଙ୍କ ନଜର ବନ୍ଦିରେ କୁକୁରକୁ ରଖାଯାଇଥିଲା।
ହେଲେ ଜଂଗଲୀ କୁକୁରକୁ ଡାକ୍ତରମାନେ ବଞ୍ଚାଇପାରିନଥିଲେ।ଶେଷରେ ଯନ୍ତ୍ରଣାରେ ଛଟପଟ ହୋଇ ତାର ମୃତ୍ୟୁ ଘଟିଥିଲା।ତେବେ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଥିବା ବେଳେ ନନ୍ଦନକାନନରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇ ୪ ରେ ପହଞ୍ଚିଛି ।
ଅନ୍ୟପଟେ ନନ୍ଦନକାନନର ମୂଲ୍ୟାଙ୍କନ ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଦୁଇ ଜଣିଆ ଟିମ୍ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ବେଳେ ଜଙ୍ଗଲି କୁକୁର ମୃତ୍ୟୁ କର୍ତ୍ତୃପକ୍ଷଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଏହି ନିରୀହ ଜନ୍ତୁ ଚିକିତ୍ସା ଓ ସୁରକ୍ଷା ଅବହେଳାରେ ଆଖିବୁଜିଲା ବୋଲି ପଶୁପ୍ରେମୀ ମହଲରେ ଆଲୋଚନା ହେଉଛି।ଅନ୍ୟପଟେ ଗଧିଆ ଖୁଆଡରେ ଥିବା ଏକ ଗଧିଆ ଛୁଆ ଗତ ସପ୍ତାହରେ ମୃତ୍ୟୁ ବରଣ କରିଥିଲା।ଅନ୍ୟ ଦୁଇଟି ଛୁଆ ତରଳ ଝାଡ଼ାରେ ଆକ୍ରାନ୍ତ ହେଇଥିବାରୁ ତାକୁ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା ଆରମ୍ଭ କରାଯାଇଥିବାର ଜଣାପଡିଛି।

- Advertisement -

Leave A Reply

Your email address will not be published.