ମିଶନ ଶକ୍ତିକୁ ୪୫୩.୫୦ କୋଟି ଟଙ୍କାର କୋଭିଡ ପ୍ୟାକେଜ

0 163

ଭୁବନେଶ୍ବର,୧୬/୭(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ମିଶନ ଶକ୍ତିର ମହିଳା ମାନଙ୍କ ପାଇଁ ୪୫୩.୫୦ କୋଟି ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହି ଘୋଷଣା ଅନୁଯାୟୀ ରାଜ୍ୟର ୩୩୮ଟି ବ୍ଲକ୍‌ସ୍ତରୀୟ ମିଶନ ଶକ୍ତି ମହାସଂଘର ନିଜସ୍ବ ଘର ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୫୦ ଲକ୍ଷ ଟଙ୍କା ଲେଖାଏ ୧୬୯ କୋଟି ଟଙ୍କା ପ୍ରଦାନ କରାଯିବା ସହିତ ସେମାନଙ୍କୁ ବ୍ୟବସାୟରେ ସହାୟତା ପାଇଁ ୮୪.୫୦ କୋଟି ଟଙ୍କାର ଆବର୍ତ୍ତନ ପାଣ୍ଠି (Revolving Fund) ଏବଂ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କର ଋଣ ଉପରେ ସୁଧ ଫେରସ୍ତ ପାଇଁ (Interest Subvention) ପାଇଁ ୨୦୦ କୋଟି ଟଙ୍କା ପ୍ରଦାନ କରାଯିବ।
ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମିଶନ ଶକ୍ତି ହେଉଛି, ଓଡିଶାର ୭୦ ଲକ୍ଷ ମା ମାନଙ୍କର ଏକ ବିରାଟ ଅନୁଷ୍ଠାନ। ଏହା ହେଉଛି ଓଡିଶାର ବିକାଶ ବାହିନୀ। ସେମାନଙ୍କ ଦକ୍ଷତା ଉପରେ ଆସ୍ଥାପ୍ରକଟ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ‘ଆପଣମାନେ ଆଗକୁ ବଢନ୍ତୁ, ମୁଁ ଆପଣମାନଙ୍କ ସାଥିରେ ଅଛି।’
କୋଭିଡ ସମୟରେ ମିଶନ ଶକ୍ତିର ମା ମାନେ ବହୁତ ଭଲ କାମ କରିଛନ୍ତି ବୋଲି କହି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଅଭିନନ୍ଦନ ଜଣାଇ କହିଲେ ଯେ ଆଜି ହେଉଛି ଏକ ଐତିହାସିକ ଦିବସ। ବ୍ଲକ୍‌ସ୍ତରରେ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ଯେଉଁ ମିଶନ ଶକ୍ତି ଭବନ ଗଠନ ହେବ, ସେଥିରେ ମା ମାନେ ତାଲିମ ପାଇବେ, ଉତ୍ପାଦିତ ଦ୍ରବ୍ୟ ପାଇଁ ବିକ୍ରୟ କେନ୍ଦ୍ର ଖୋଲିପାରିବେ ଏବଂ ସେମାନଙ୍କ ନିଜସ୍ବ କାର‌୍ୟ୍ୟକ୍ରମ ସଂପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।କୋଭିଡ ସମୟରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଚାଳନା ଠାରୁ ଆରମ୍ଭ କରି ମାସ୍କ ତିଆରି, ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଆଦି ଅନେକ ଭଲ କାମ କରି ମିଶନ ଶକ୍ତି ଆନ୍ଦୋଳନର ସୁନାମ ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଲେ, ‘ମୁଁ ସବୁବେଳେ କହି ଆସିଛି, ମା ସଶକ୍ତ ହେଲେ, ପରିବାର ସଶକ୍ତ ହେବ। ସମାଜ ସଶକ୍ତ ହେବ । ଗୋଟିଏ ଜାତି ସଶକ୍ତ ହେବ। ଇତିହାସର ଧାରା ମଧ୍ୟ ବଦଳିଯିବ ।’
କାର‌୍ୟ୍ୟକ୍ରମରେ ଯୋଗ ଦେଇ ମହିଳା ଶିଶୁବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ମିଶନ ଶକ୍ତିର ମହିଳା ମାନଙ୍କ ବିକାଶ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ ।କାର୍ଯ୍ୟକ୍ରମରେ ସରକାରୀ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଏବଂ ମିଶନ ଶକ୍ତିର ଉପଦେଷ୍ଟା ଡଃ ଲୋପାମୁଦ୍ରା ବକ୍‌ସିପାତ୍ର ପ୍ରମୁଖ ସେମାନଙ୍କର ମତାମତ ରଖି ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସଂପର୍ଣ୍ଣ ନେତୃତ୍ବରେ ସେମାନେ ଉଚ୍ଚପ୍ରଶଂସା କରିଥିଲେ ।
ଏହି ଅବସରରେ ବ୍ରହ୍ମପୁର, ଢେଙ୍କାନାଳ ଓ ବାରିପଦାର ୩ଟି ସ୍ବୟ ସହାୟକ ଗୋଷ୍ଠୀ ମାନଙ୍କୁ ଆଚାର ବ୍ୟବସାୟ ପାଇଁ HDFC Bank ତରଫରୁ ଏକକାଳୀନ ୪୭ ଲକ୍ଷ ଟଙ୍କାର ଋଣ ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ ସେମାନଙ୍କ ଦ୍ବାରା ଉତ୍ପାଦିତ ୧୨୦ ମେଟ୍ରିକ ଟନ୍ ଆଚାର ମିଶନ ଶକ୍ତି ଦ୍ବାରା ପରିଚାଳିତ ରାଜ୍ୟର ୧୭୭ଟି ଆହାର କେନ୍ଦ୍ରରେ ବ୍ୟବହାର ହେଉଛି ।ଏହି କାର‌୍ୟ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ନିଜର ସ୍ବାଗତ ଭାଷଣ ରଖି ମିଶନ ଶକ୍ତିର କମିଶନର ତଥା ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟ କହିଲେ ଯେ ଗୋଟିଏ ଯୋଜନାକୁ ଏକ ସ୍ବତନ୍ତ୍ର ବିଭାଗ ଭାବରେ କାର୍ଯ୍ୟକାରୀ କରିବାରେ ଓଡିଶା ହେଉଛି ସାରା ଭାରତବର୍ଷରେ ଏକମାତ୍ର ରାଜ୍ୟ। ଏଥିରୁ ମହିଳା ମାନଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ କେତେ ଗୁରୁତ୍ବ ଦେଉଛନ୍ତି, ତାହା ଅନୁମେୟ। ମିଶନ ଶକ୍ତିର ନିର୍ଦ୍ଦେଶିକା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.