ବାରଙ୍ଗ, ୭/୮(ଏସଏସନିଉଜ) ଲଘୁଚାପ ଜନିତ ଲଗାଣ ବର୍ଷା ସାରା ରାଜ୍ୟରେ ଲାଗି ରହିଥିବା ବେଳେ ବାରଙ୍ଗ ଅଞ୍ଚଳରେ ତୁହାକୁ ତୁହା ବର୍ଷା ହୋଇ ବିଭିନ୍ନ ସ୍ଥାନରେ ଥିବାଖାଲୁଆ ଜାଗା ଗୁଡ଼ିକ ଜଳମଗ୍ନ ହୋଇପଡ଼ିଛି। ଏହି ଲଘୁଚାପ ଜନିତ ବର୍ଷା ଯୋଗୁ କୁହ୍ନେଇଁପଡ଼ା ଗ୍ରାମ ପଞ୍ଚାୟତର ତ୍ରିଶୂଳିଆ ଗ୍ରାମ ଏକ ପ୍ରକାର ଜଳବନ୍ଦୀ ହୋଇଛି।ଦୃଶ୍ୟ ଦେଖିବାକୁ ମିଳିଛି ବାରଙ୍ଗ ବ୍ଳକ ଅଧିନସ୍ଥ । ଏହି ଲଘୁଚାପ ଜନିତ ଲଗାଣ ବର୍ଷାରେ ତ୍ରିଶୂଳିଆ ଗ୍ରାମବାସୀ ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ବାରଙ୍ଗ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ତ୍ରିଶୂଳିଆ ଗ୍ରାମର ମୁଖ୍ୟ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷାପାଣି ଜମି ରହିଥିବା ବେଳେ ନିଷ୍କାସନ ପାଇଁ ଡ୍ରେନ ବ୍ୟବସ୍ଥା ନଥିବାରୁ ବହୁ ସମସ୍ୟା ଦେଖାଦେଇଛି। ଗାଁ ଦାଣ୍ଡରେ ଏବେ ବର୍ଷା ପାଣି ଜମି ରହିଥିବା ବେଳେ କିଛି ଲୋକଙ୍କ ଘରେ ମଧ୍ୟ ବର୍ଷାଜଳ ପ୍ରବେଶ କରିଛି। ଫଳରେ ଗ୍ରାମବାସୀ ଘରୁ ବାହାରିବା କଷ୍ଟକର ହେବାସହ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ବର୍ଷାଦିନ ଆସିଲେ ଗ୍ରାମରେ ଏପରି ସମସ୍ୟା ଉପୁଜି ଥାଏ। ହେଲେ ଏହାର ସ୍ଥାୟୀପ୍ରତିକାର ନିମନ୍ତେ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଯାହାକୁ ନେଇ ଗ୍ରାମବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
