ପେନସନକୁ ନେଇ ମୁଖ୍ୟମନ୍ତ୍ରୀ ଙ୍କ ବଡ ଘୋଷଣା

0 288

ଭୁବନେଶ୍ୱର,୧/୬(ଏସଏସନିୟୁଜ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । କୋଭିଡରେ ନିଜ ସ୍ବାମୀଙ୍କୁ ହରାଇଥିବା ମହିଳା ଏବଂ ବାପା ମାଙ୍କୁ ହରାଇଥିବା ପିଲାମାନଙ୍କୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରିବା ସହିତ ଆଗାମୀ ୨ ସପ୍ତହ ମଧ୍ୟରେ ମଧୁବାବୁ ପେନ୍‌ସନ୍ ଯୋଜନାରେ ସେମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସେହିପରି କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସାମାଜିକ ନିରାପତ୍ତା ଯୋଜନାର ହିତାଧିକାରୀ ମାନଙ୍କୁ ଆଗୁଆ ୩ ମାସର ପେନ୍‌ସନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ପେନ୍‌ସନ ନଗଦ ଟଙ୍କା ଆକାରରେ ହିତାଧିକାରୀଙ୍କ ଗାଁରେ ହିଁ ଦିଆଯିବ। ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ବ୍ଲାକ ଫଙ୍ଗସର ରୋଗୀ ବହୁ ସଂଖ୍ୟାରେ ବାହାରୁଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍‌ବେଗ ପ୍ରକାଶ କରିବା ସହିତ ରାଜ୍ୟରେ ଏହାର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।ଆଗାମୀ ସପ୍ତାହ ମଧ୍ୟରେ ରାଜ୍ୟରେ କୋଭିଡ ଦ୍ବିତୀୟ ଲହରର ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବ ବୋଲି ଆଶାବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଅଭିଜ୍ଞତାକୁ ଉପଯୋଗ କରି ଆମକୁ ତୃତୀୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ହେବ । ପ୍ରତ୍ୟେକ ଜିଲ୍ଲାରେ ପିଲାମାନଙ୍କ ସ୍ବାସ୍ଥ୍ୟ ଉପରେ ସ୍ବତନ୍ତ୍ର ଫୋକସ ରଖି ବ୍ୟବସ୍ଥା କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ୨୪ ମଇରୁ ଆରମ୍ଭ ହୋଇଥିବା ଘରକୁ ଘର ବୁଲି ସର୍ଭେ କାର‌୍ୟ୍ୟ ସଂପର୍କରେ ବ୍ୟାପକ ସଚେତନତା କରାଯିବା ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ । ଜିଲ୍ଲାପାଳ ମାନେ ଏହାକୁ ଅତ୍ୟନ୍ତ ଗୁରୁତ୍ବର ସହ ନେବା ସହିତ ଚିହ୍ନଟ ରୋଗୀ ମାନଙ୍କର ଚିକିତ୍ସା ପ୍ରାଥମିକତା ଭିତ୍ତିରେ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ପରାମର୍ଶ ଦେଇଥିଲେ ।ଟିକାକରଣ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭବିଷ୍ୟତ ଲହର ଏବଂ ଠବକ୍ସସବଦ୍ଭଗ୍ଧ ବିରୁଦ୍ଧରେ ଲଢିବା ପାଇଁ ମୁଖ୍ୟ ଅସ୍ତ୍ର ହେଉଛି ଟିକା । ସମସ୍ତ ବାଧାବିଘ୍ନ ସତ୍ତ୍ବେ ରାଜ୍ୟରେ ଟିକା ଯୋଗାଣ ବୃଦ୍ଧି ପାଇଁ ସରକାର ସବୁମତେ ଉଦ୍ୟମ ଜାରି ରଖିଛନ୍ତି । ଆଗାମୀ ମାସରେ ଟିକା ଯୋଗାଣ ଉପରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀ ପୁଣି ଥରେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇବା ସହିତ ଲକ୍‌ଡାଉନ ନିୟମ ତଥା କୋଭିଡ ନିୟମାବଳୀ କଡାକଡି ପାଳନ ପାଇଁ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ ।ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ,ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଓ ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଶ୍ରୀ ଏମ୍‌. ଅକ୍ଷୟ ସେମାନଙ୍କ ବିଭାଗର କାର‌୍ୟ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ ।ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ବୈଠକ ପରିଚଳନା କରିଥିଲେ ।

Leave A Reply

Your email address will not be published.