ପୁଣି ମାସେ ବଢିଲା ଲଗ୍ ଡାଉନ୍ ଅବଧି, ୮ରୁ ଖୋଲିବ ହୋଟେଲ , ଧାର୍ମିକସ୍ଥଳ ଓ ସପିଂମଲ

0 505

ଭୁବନେଶ୍ବର :୩୦/୫(ଏସଏସଏନ୍)  ଦିନକ ପରେ ଶେଷ ହେବ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଲକ୍‌ଡାଉନ୍‌।କିନ୍ତୁ  ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁଣି ଏକ ମାସ ଅର୍ଥାତ୍ ଜୁନ୍‌ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଥିବାବେଳେ ଧାର୍ମିକସ୍ଥଳ, ହୋଟେଲ୍‌ ଓ ସପିଂମଲ୍‌କୁଜୁନ୍‌ ୮ରୁ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି କୁହାଯାଉଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଆସନ୍ତାକାଲି ଶେଷ ହେବ। ଦେଶରେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ହେବ କି ନାହିଁ ସେଥିନେଇ ବିଚାର ବିମର୍ସ ଚାଲିଥିଲା। ତେବେ ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଶେଷ ହେବାର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାସକ ପାଇଁ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇଛି। ସାରା ଦେଶରେ ପଞ୍ଚମ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମୟରେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁଭଳି ସ୍ଥିତି ଜାରି ରହିବ। ଏହି ସମୟରେ ଲୋକଙ୍କ ଯାତାୟତରେ ପୂର୍ବଭଳି କଟକଣା ଲାଗୁ କରାଯିବ। ଜୁନ୍‌ ୩୦ ଯାଏ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ ରହିବ। ତେବେ ଅନ୍ୟସବୁ ଅଞ୍ଚଳରେ ପର୍ଯ୍ୟାୟକ୍ରମେ କଟକଣା ହଟାଇବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି। ଏଥିନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।
ଜୁନ୍‌ ୮ରୁ ଧାର୍ମିକସ୍ଥଳ ଖୋଲିବ। ସାଧାରଣ ଲୋକଙ୍କ ଧାର୍ମିକସ୍ଥଳ ଖୋଲା ରହିବ। ହୋଟେଲ୍‌ ଓ ରେଷ୍ଟୁରାଣ୍ଟ ମଧ୍ୟ ଜୁନ୍‌ ୮ରୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ସପିଂମଲ୍‌ ମଧ୍ୟ ଜୁନ୍‌ ୮ରୁ ଖୋଲାଯିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏସ୍‌ଓପି ଜାରି କରାଯିବ। ଅନ୍ୟ ସବୁପକ୍ଷଙ୍କ ସହିତ ଆଲୋଚନା ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏସ୍‌ଓପି ଜାରି କରିବ। ତେବେ ସ୍କୁଲ, କଲେଜ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.