ବାରଙ୍ଗ,୫।୭(ଏସଏସନିଉଜ) ସେଲ୍ଫିର ନିଶା ପୁଣି ପୁଣି କାଳ ସାଜିଛି । ନରାଜ ପୁରୁଣା ଆନୀକଟ(ମହାନଦୀ ଓ କାଠ ଯୋଡ଼ିର ସଙ୍ଗମସ୍ଥଳି) ରେ ଗାଧେଇବା ବେଳେ ସେଲ୍ଫି ଉଠାଉଥିବା ସମୟରେ ଦୁର୍ଘଟଣା ଘଟିଛି। କଟକ ମାଛୁଆ ବଜାରରୁ ଆସିଥିବା ୩ ଜଣ ଯୁବକଙ୍କ ମଧ୍ୟରୁ ଜଣେ ପାଣିରେ ବୁଡି ନିଖୋଜ ହୋଇଯାଇଛନ୍ତି।
ଆଜି ସନ୍ଧ୍ୟା ସମୟରେ କଟକ ଅଞ୍ଚଳର ୩ଜଣ ଯୁବକ ନରାଜ ବ୍ୟାରେଜକୁ ଗାଧେଇବାକୁ ଆସିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଗାଧୋଇବା ସମୟରେ ସେମାନେ ମୋବାଇଲରେ ସେଲ୍ଫି ନେଉଥିଲେ। ହଠାତ୍ ଗୋଡ଼ ଖସିଯିବାରୁ ଜଳସ୍ରୋତ ପ୍ରଖର ଥିବାରୁ ତିନି ଜଣ ଯାକ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ସ୍ଥାନୀୟ ଯୁବକମାନେ କୌଣସି ପ୍ରକାରେ ଉଧାର କରିଥିବା ବେଳେ ଆକାଶ ବେହେରା(୨୩) ନାମକ ଯୁବକ ପାଣିର ଗଭୀର ସ୍ରୋତରେ ନିଖୋଜ ହୋଇଯାଇଛନ୍ତି।ଖବର ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଓଡ୍ରାଫ ଟିମ୍କୁ ମଧ୍ୟ ଡକାଯାଇଛି। ଅନ୍ଧାର ହେତୁ ଖୋଜାଖୋଜିରେ ବାଧା ଉପୁଜୁଛି। ନରାଜ ବ୍ୟାରେଜ ଅଞ୍ଚଳରେ ଗାଧେଇବା ମନା ଥିବା ସତ୍ତ୍ୱେ ଯୁବକମାନେ ବାରମ୍ବାର ନିୟମ ଉଲ୍ଲଂଘନ କରୁଛନ୍ତି।
Prev Post
Next Post
