ଭୁବନେଶ୍ୱର, ୧୧।୧୦(ଏସଏସନିଉଜ)ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ କଳାଭୂମି ପକ୍ଷରୁ ଆୟୋଜିତ ‘ଅହିଂସା ଉତ୍ସବ- ୨୦୨୬’ରେ ବିଜେପି ଦଳର ବରିଷ୍ଠ ନେତା ଶ୍ରୀ ଗୋଲକ ମହାପାତ୍ର ଯୋଗଦେଇ ଅହିଂସା, ଶାନ୍ତି, ସହିଷ୍ଣୁତା ଓ ମାନବିକତାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।
ଏହି ଅବସରରେ ଓଡ଼ିଶା ବିଧାନସଭାର ମାନ୍ୟବର ବାଚସ୍ପତି ସୁରମା ପାଢ଼ୀ, ଜଗତସିଂହପୁର ସାଂସଦ ଡା. ବିଭୁ ପ୍ରସାଦ ତରାଇ, ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ, ଖୋର୍ଦ୍ଧା ଜିଲ୍ଲା ବିଜେପି ପ୍ରଭାରୀ ଶ୍ରୀ ପବିତ୍ର ମୋହନ ଦାସ, ଅଭିଯୋଗ ଓ ପରିଚାଳନା ନିର୍ଦ୍ଦେଶାଳୟ, ଓଡ଼ିଶାର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଅଜିତ କୁମାର ପଟ୍ଟନାୟକ, ବିଶିଷ୍ଟ ସାହିତ୍ୟିକ ତଥା ଭାଷାବିତ୍ ପ୍ରଫେସର ବସନ୍ତ କୁମାର ପଣ୍ଡା ଓ ଡା. ପ୍ରମୋଦ କୁମାର ପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଏହି ଅବସରରେ ଶ୍ରୀ ଗୋଲକ ମହାପାତ୍ର କହିଥିଲେ ଯେ, ଅହିଂସା କେବଳ ଏକ ନୀତି ନୁହେଁ, ଏହା ମାନବତାର ମହାନ ଆଦର୍ଶ ଓ ସଭ୍ୟ ସମାଜର ପରିଚୟ। ହିଂସା ମନୁଷ୍ୟ ମନୁଷ୍ୟ ମଧ୍ୟରେ ବିଭେଦ ସୃଷ୍ଟି କରେ, କିନ୍ତୁ ଅହିଂସା ପରସ୍ପର ମଧ୍ୟରେ ପ୍ରେମ, ବିଶ୍ୱାସ, ସମ୍ମାନ ଓ ସଦ୍ଭାବର ସେତୁ ଗଢ଼ିଥାଏ। ଶାନ୍ତି ଓ ସହିଷ୍ଣୁତା ହିଁ ଏକ ସୁଦୃଢ଼ ସମାଜର ପ୍ରକୃତ ଶକ୍ତି।

ସେ ଆହୁରି କହିଥିଲେ ଯେ, ମହାନ ଭାରତୀୟ ପରମ୍ପରାରେ ଅହିଂସା ଓ ମାନବିକତାର ସ୍ଥାନ ସର୍ବଦା ଉଚ୍ଚରେ ରହିଆସିଛି। ମତଭେଦ ଥିଲେ ମଧ୍ୟ ପରସ୍ପର ପ୍ରତି ସମ୍ମାନ ରକ୍ଷା କରିବା, ଅନ୍ୟର ଦୁଃଖରେ ସମବେଦନା ପ୍ରକାଶ କରିବା ଏବଂ ସମାଜର ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରତି ମାନବିକ ଦୃଷ୍ଟିଭଙ୍ଗୀ ରଖିବା ହେଉଛି ଅହିଂସାର ପ୍ରକୃତ ମର୍ମ। ଏହି ଆଦର୍ଶକୁ ନିଜ ଜୀବନରେ ଅନୁସରଣ କରିପାରିଲେ ଏକ ସୁନ୍ଦର, ଶାନ୍ତିପୂର୍ଣ୍ଣ ଓ ସମୃଦ୍ଧ ସମାଜ ଗଠନ ସମ୍ଭବ ହୋଇପାରିବ।ଅହିଂସା ଉତ୍ସବ’ ଭଳି ମହତ୍ତ୍ୱପୂର୍ଣ୍ଣ ଆୟୋଜନ ମାନବିକ ମୂଲ୍ୟବୋଧର ପ୍ରଚାରପ୍ରସାର ସହ ସମାଜରେ ଶାନ୍ତି, ସହାବସ୍ଥାନ ଓ ଭାଇଚାରାର ଭାବନାକୁ ଅଧିକ ସୁଦୃଢ଼ କରିଥାଏ। ଅହିଂସାକୁ କେବଳ କଥାରେ ନୁହେଁ, ବରଂ ନିଜର ଚିନ୍ତା, ବାଣୀ ଓ କର୍ମରେ ପ୍ରତିଫଳିତ କରିବା ସହ ମାନବିକତାର ପଥରେ ଆଗେଇ ଚାଲିବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଥିଲେ।
