ଭଦ୍ରକ,୨୨।୧(ଏସଏସନିଉଜ)୭୭ତମ ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ଓଡ଼ିଶାପୋଲିସ ପକ୍ଷରୁ ଗୁରୁବାର ଦିନ ଧାମରା ବନ୍ଦର ନିକଟସ୍ଥ ଜନବସତି ବିହୀନ ଉଡାବାଲି ଦ୍ୱୀପରେ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶର ଉପକୂଳ ସୁରକ୍ଷାରେ ନିରନ୍ତର ସେବା ଯୋଗାଉଥିବା ସୁରକ୍ଷା ବାହିନୀଙ୍କ ସାହସ, ତ୍ୟାଗ ଓ କର୍ତ୍ତବ୍ୟନିଷ୍ଠା ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।
ଏହି ଅବସରରେ ସମୁଦ୍ର ତଟ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ ଓ ଆଧୁନିକ କରିବା ପାଇଁ ଓଡ଼ିଶା ପୋଲିସ ତରଫରୁ ଦୀର୍ଘମିଆଦି ଯୋଜନା ଆରମ୍ଭ କରାଯାଇଛି ବୋଲି ଡିଜିପି ସୂଚନା ଦେଇଥିଲେ । ଏଥି ନିମନ୍ତେ ଚଳିତ ବର୍ଷ ରାଜ୍ୟ ସରକାର ବାର୍ଷିକ ବଜେଟରେ ₹୧୪୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି କହିଥିଲେ। ଉକ୍ତ ଅର୍ଥରାଶିକୁ ବିନିଯୋଗ କରି ସାମୁଦ୍ରିକ ପାଟ୍ରୋଲିଂ ପାଇଁ ଯନ୍ତ୍ର ଚାଳିତ ବୋଟ, ଟ୍ରଲର, ପ୍ରତ୍ୟେକ ସାମୁଦ୍ରିକ ଥାନା ପାଇଁ ଡ୍ରୋନ, ନୌସେନା ବିଶେଷଜ୍ଞ ଓ ବୈଷୟିକ ପରାମର୍ଶଦାତାଙ୍କୁ ନିୟୋଜନ, ମାଛ ଧରା ଅବତରଣ କେନ୍ଦ୍ରରେ ସ୍ୱତନ୍ତ୍ର ସାମୁଦ୍ରିକ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରିବା ଏବଂ ସମସ୍ତ ସାମୁଦ୍ରିକ ଥାନା ଗୁଡିକରେ କମ୍ୟୁନିଟି ପୋଲିସିଂ ଭଳି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି ବୋଲି ସେ କହିଥିଲେ । ସେହି ଅନୁଯାୟୀ ଆଗାମୀ ତିନି ଦିନ ମଧ୍ୟରେ କନିକା ସ୍ୟାଣ୍ଡସ , ଲଙ୍ଗ ହ୍ଵିଲର (ବାବୁବାଲି), କୋକୋନଟ ହ୍ଵିଲର, ସ୍ମଲ ହ୍ଵିଲର, ନୟାଟାପୁ, ବୁଦ୍ଧିଆବାଲି, କେନ୍ଦ୍ରାପଡ଼ା ଜିଲ୍ଲାର ହୁକିଟୋଲା ଦ୍ଵୀପ, କାଦୁଆପାଳ, ଧାନୀଛଡା ଏବଂ ପୁରୀ ଜିଲ୍ଲାର ପାରିକୁଦ, ନଳବଣ, କାଳିଜାଇ ଦ୍ଵୀପରେ ଜାତୀୟ ପତାକା ଉତ୍ତୋଳନ ନିମନ୍ତେ ଯୋଜନା ରହିଛି ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ରେଳବାଇ ଓ ଉପକୂଳ ସୁରକ୍ଷା) ଶ୍ରୀ ଅରୁଣ ବୋଥ୍ରା, ଡିଆଇଜି (ପୂର୍ବାଞ୍ଚଳ) ଶ୍ରୀ ପିନାକ ମିଶ୍ର, ଭଦ୍ରକ ଏସପି ଶ୍ରୀ ମନୋଜ ରାଉତ, ଏଆଇଜି (ମେରାଇନ) ଶ୍ରୀ ସତ୍ୟଜିତ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ, ଉପକୂଳ ସୁରକ୍ଷା ବିଭାଗର କର୍ମଚାରୀ ଓ ପ୍ରତିନିଧିମାନେ ଉପସ୍ଥିତ ରହିଥିଲେ।
Prev Post
Next Post
