ଆଜି ଦିନସାରାର ଖବର ସଂକ୍ଷେପରେ , ତାରିଖ : ୨୦/୦୬/୨୦୨୦ (ଶନିବାର)

0 473

ରାଜ୍ୟରେ ମୌସୁମୀ ଛୁଇଁଲା ପରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । କେତେକ ସ୍ଥାନରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇଛି। ୨୩ ତାରିଖ ପରେ ଦୁର୍ବଳ ହୋଇଯିବ ମୌସୁମୀ । ୨୫ ପରେ ପ୍ରାୟ ଶୁଖିଲା ଓ ଖରାଟିଆ ରହିବ ପାଗ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନା ଅନୁଯାୟୀ ଆଜି ସୁଦ୍ଧା ରାଜ୍ୟରେ ୨୩ ପ୍ରତିଶତ ଅଧିକ ବର୍ଷା ହୋଇଛି ଏବଂ ୨୧ ଓ ୨୨ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ।
ଆସନ୍ତା କାଲି ସୂର୍ଯ୍ୟପରାଗ : ଆଜି ରାତି ୧୦ଟା ୩୮ଠାରୁ ପାକତ୍ୟାଗ ତଥା ଅନ୍ନଭୋଜନ ଏବଂ ଦେବନୀତି ନିଷେଧ । ଭୁବନେଶ୍ୱରଠାରେ ଗ୍ରହଣ ସ୍ପର୍ଶ ଦିବା ୧୦ଟା ୩୮ ମିନିଟ୍ ୮ ସେକେଣ୍ଡରେ, ଗ୍ରହଣ ମଧ୍ୟ ଦିବା ୧୨ଟା ୨୬ ମିନିଟ୍ ୯ ସେକେଣ୍ଡ ଏବଂ ସର୍ବମୋକ୍ଷ ଦିବା ୨ଟା ୯ ମିନିଟ୍ ୫୧ ସେକେଣ୍ଡରେ ହେବ । ଗ୍ରହଣର ସ୍ଥିତିକାଳ ଓଡ଼ିଶାରେ ୩ ଘଣ୍ଟା ୩୧ ମିନିଟ୍ଠାରୁ ୩ ଘଣ୍ଟା ୩୩ ମିନିଟ୍ ରହିବ ।
ଭୁବନେଶ୍ୱର: ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଫିଟ୍‌ନେସ୍, ପରମିଟ୍(ସମସ୍ତ ପ୍ରକାରର), ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ କିମ୍ବା ଅନ୍ୟ ସମସ୍ତ ଡକ୍ୟୁମେଣ୍ଟ୍‌ସ୍ର ଅବଧି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ୨୦୨୦, ଫେବୃଆରୀ ୧ରେ ଶେଷ ହୋଇଥିବା ଏହିସବୁ କାଗଜପତ୍ରର ବୈଧତା ଆସନ୍ତା ସ୍ପେପଟେମ୍ବର ୩୦ ତାରିଖ ଯାଏ ବୈଧ ରହିବ।
ଭୁବନେଶ୍ୱର : ଆଜି ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର । ୧୪ ଦିନ ହେବ ବଢୁଛି । ଆଜି ପେଟ୍ରୋଲ ଲିଟର ପିଛା ୫୧ ପଇସା ଓ ଡିଜେଲ ଲିଟର ପିଛା ୬୧ ପଇସା ବୃଦ୍ଧି। ୧୪ ଦିନରେ ପେଟ୍ରୋଲ୍ ୭.୬୨ ଟଙ୍କା ଓ ଡିଜେଲ୍ ୮.୨୮ ଟଙ୍କା ବୃଦ୍ଧି । ଦିଲ୍ଲୀରେ ପେଟ୍ରୋଲ୍ ଲିଟର ୭୮.୮୮ ଓ ଡିଜେଲ୍ ୭୭.୬୭ ଟଙ୍କା ।
ଭୁବନେଶ୍ୱର: ରାଜ୍ୟରେ ଆଉ ୧୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଚିହ୍ନଟ ନୂଆ ୧୭୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୯ ରହିଛି।
ଭୁବନେଶ୍ୱର: ଆଜି ରାଜ୍ୟରେ ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ। ଆଜି ୨୩୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆରୋଗ୍ୟଙ୍କ ସଂଖ୍ୟା ୩୫୩୪କୁ ବୃଦ୍ଧି।
ମୁଖ୍ୟମନ୍ତ୍ରୀ : ଆଜି ରାତି ୯ ଟାdiscovery ଚ୍ୟାନେଲରେ ବିପଯ୍ୟୟ ପରିଚାଳନାର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜିରୋ କାଜୁଆଲଟି ଲକ୍ଷ୍ୟର ସଫଳତା ସୋ ।
ପୁରୀ : ଦୁଖଃଦ ଖବର-ରାଜ୍ୟରେ ଆଉ ଏକ ମୁଣ୍ଡ ନେଲା କରୋନା । ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ମୃତକ ଜଣଙ୍କ ପୁରୀ ଜିଲ୍ଲାର ୬୦ବର୍ଷୀୟ ବୃଦ୍ଧ । ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୧୨ରେ ପହଞ୍ଚିଲା ।
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୧୨,୫୭୩କୁ ବୃଦ୍ଧି: ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୦ ହଜାର ୫୩୨ରେ ପହଞ୍ଚିଲା । ଆକ୍ଟିଭ କେସ୍- ୧,୬୩,୨୪୮, ସୁସ୍ଥ- ୨, ୦୪, ୭୧୧ ସେପଟେ ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୬୨ ହଜାର ୫୦୧ । କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୭ ଲକ୍ଷ ୫୬ ହଜାର ୬୬୧କୁ ବୃଦ୍ଧି ।
ଭୁବନେଶ୍ବର : ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ସ୍ଥାନୀୟ ମାଷ୍ଟର କ୍ୟାଣ୍ଟିନ୍ ଛକରେ ପ୍ରତିବାଦ କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି। ଏହି ଅବସରରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଥିଲେ, ୨୦୧୪ ମସିହାରେ ଅଶୋଧିତ ତୈଳ ଦର ବ୍ୟାରେଲ୍ ପିଛା ୧୦୭ ଡଲାରରୁ ବଢ଼ି ୧୩୫ ଡଲାର୍ ହୋଇଥିଲା।
ଆଜିଠୁ ପୁଣି ରାଜ୍ୟର ୧୧ ଟି ଜିଲ୍ଲାରେ ୪୮ ଘଂଟିଆ ସଟଡ଼ାଉନ୍ ।ଗଞ୍ଜାମ,ପୁରୀ, ନୟାଗଡ଼, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା,ଯାଜପୁର,ଭଦ୍ରକ,ବାଲେଶ୍ୱର ଓ ବଲାଙ୍ଗୀରରେ ସଟଡ଼ାଉନ୍ ।ସଂକ୍ରମଣ ରୋକିବାକୁ ସପ୍ତାହ ଶେଷରେ ସରକାର ଲଗାଇଛନ୍ତି କଟକଣା । ରାଜଧାନୀରେ ଚାଲିଛି ଜୋରସୋରରେ ଚେକିଂ ।
କେଉଁଝର : ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଞ୍ଚ ।ବୋଦାପଳଶ ପଞ୍ଚାୟତର ୨ଜଣ ବ୍ୟକ୍ତି ମହାରାଷ୍ଟ୍ରରୁ ଫେରନ୍ତା କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ପରେ ସମସ୍ତ ପଞ୍ଚାୟତକୁ ୭୨ ଘଣ୍ଟା ସଟ୍ ଡାଉନ ଘୋଷଣା କରିଛନ୍ତି ସରପଞ୍ଚ ।
ପୁରୀ : ରଥଯାତ୍ରା ପାଇଁ ପୁଣି ଦେଖାଗଲା ଆଶା । ଛତିଶାନିଯୋଗ ଓ ପରିଚାଳନା କମିଟି ବୈଠକ ପରେ ଗଜପତିଙ୍କ ସୂଚନା : କହିଲେ, ସୁପ୍ରିମକୋର୍ଟରେ ପିଟିସନର ସୋମବାର ଶୁଣାଣିକୁ ଅପେକ୍ଷା!!
ଭୁବନେଶ୍ବର : ଏମ୍ସ-ପିଜି ପ୍ରବେଶିକା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ନୂଆଦିଲ୍ଲୀ ଏମ୍ସ ପକ୍ଷରୁ ପ୍ରକାଶିତ ପରୀକ୍ଷା ଫଳରେ ଭୁବନେଶ୍ବର ଏମ୍ସ ଛାତ୍ରୀ ଡା. ଭିନିଥା କେ. ଦେଶର ଟପର୍ ହୋଇଛନ୍ତି। ହଜାର ହଜାର ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ସେ ଭୁବନେଶ୍ବର ଏମ୍ସ ପାଇଁ ଗୌରବ ଆଣିଛନ୍ତି। ପରୀକ୍ଷାରେ ସେ ୧୦୦ ପରସେଣ୍ଟାଇଲ୍ ରଖିଛନ୍ତି। ଭିନିଥାଙ୍କ ସମେତ ଦେଶର ସମସ୍ତ ଏମ୍ସର ମୋଟ ୨୯ଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ଶହେ ଜଣଙ୍କ ମଧ୍ୟ‌ରେ ସ୍ଥାନ ହାସଲ କରିଛନ୍ତି।
ବୌଦ୍ଧ: ଜାଲରେ ପଡ଼ିଲା ୪୦ କିଲୋ ଓଜନର ମାଛ। ବୌଦ୍ଧ ଜିଲ୍ଲା ଟୁଟୁସିଙ୍ଗା ଗାଁର ଶ୍ରୀପତି ବେହେରା ନାମକ ଜଣେ ବ୍ୟକ୍ତି ଆଜି ସକାଳେ ମହାନଦୀକୁ ମାଛ ଧରିବାକୁ ଯାଇଥିଲେ। ଏହି ସମୟରେ ଜାଲରେ ଏକ ୪୦ କିଲୋ ଓଜନର ମାଛ ପଡ଼ିଥିଲା। ପ୍ରାୟ ୪ ଫୁଟ ଲମ୍ବର ଏହି ମାଛର ନାଁ ‘କଣା ବୁଦା’। ଏହି ମାଛର ଆନୁମାନିକ ମୂଲ୍ୟ ୧୦ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।
ଭୁବନେଶ୍ୱର: ଆସନ୍ତା ଶିକ୍ଷାବର୍ଷରୁ ପିଜି ଓ ୟୁଜି ସିଲାବସ୍‌ରେ ୨୫ ପ୍ରତିଶତ ‘ସେଲ୍ଫ ଷ୍ଟଡି’ କୋର୍ସ ରହିବ। ଆସନ୍ତା ଶିକ୍ଷାବର୍ଷରୁ ପୋଷ୍ଟ୍ ଗ୍ରାଜୁଏଟ ଏବଂ ଅଣ୍ଡର୍ ଗ୍ରାଜୁଏଟରେ ସେଲ୍ଫ ଷ୍ଟଡି କୋର୍ସ ଲାଗୁ ହେବ। ଫଳରେ ଘରେ ରହି ଅନ୍‌ଲାଇନ୍‌ରେ ପଢ଼ିପାରିବେ ଛାତ୍ରଛାତ୍ରୀ। ଏ ନେଇ ଛାତ୍ରଛାତ୍ରୀମାନଙ୍କୁ ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ଆବଶ୍ୟକ ସହଯୋଗ କରିବେ।
ରାୟଗଡ଼ା: ମୁନିଗୁଡ଼ା ସହରରୁ ୨୦ ଲକ୍ଷ ଟଙ୍କାର ଚୋରା ସିଗାରେଟ ଜବତ । ଲୁଚାଇ ରଖିଥିବା ଅଭିଯୋଗରେ ଗୋଦାମ ମାଲିକ ଗିରଫ ।
ନୟାଗଡ : ନୟାଗଡ଼ ମାଟିର ପୁଅ ଅଫତାଵ ହୁସେନ ଯିଏ ରଥଯାତ୍ରା ନିଷ୍ପତ୍ତି କୁ ପରିବର୍ତ୍ତନ କରିବା ପାଇଁ ସୁପ୍ରିମକୋର୍ଟ ରେ ଆବେଦନ କରିଛନ୍ତି ଏବଂ କହିଛନ୍ତି ,ବର୍ଷକରେ ଥରେ ମୁସଲମାନ ମାନଙ୍କୁ ରଥ ଉପରେ କାଳିଆର ଦର୍ଶନ ପାଇବାର ସୌଭାଗ୍ୟ ମିଳେ।ଏହାକୁ ହାତଛଡା କେମିତି କରିବା ।ଏହି ଦ୍ୱିତୀୟ ସାଲବେଗ ଙ୍କ ପାଇଁ ଓଡିଶା ମାଟି ଆଜି ଧନ୍ୟ।
ଭୁବନେଶ୍ୱର : ଘରୋଇ ଶିକ୍ଷାନୁଷ୍ଠାନମାନଙ୍କୁ କଡା ନିର୍ଦ୍ଦେଶ ।କରୋନା କାଳରେ ଫି ଆଦାୟ କରିପାରିବେନି ବିଦ୍ୟାଳୟ କର୍ତ୍ତୃପକ୍ଷ ।କରୋନା ମହାମାରୀ ଆଉ ମାଗିପାରିବେନି ଫିସ୍ । ଏପରିକି ସ୍କୁଲ ଫି ଜମା କରିବା ପାଇଁ ଯଦି କୌଣସି ଶିକ୍ଷାନୁଷ୍ଠାନ ପକ୍ଷରୁ ଅଭିଭାବକମାନଙ୍କ ଉପରେ କୌଣସି ପ୍ରକାରର ଚାପ ପକାଯାଏ ତେବେ ସଂପୃକ୍ତ ଶିକ୍ଷାନୁଷ୍ଠାନ ବିରୋଧରେ ମହାମାରୀ ଆକ୍ଟ ଅନୁସାରେ ଗ୍ରହଣ କରାଯିବ କଡା କାର‌୍ୟ୍ୟାନୁଷ୍ଠାନ ।
ବୌଦ୍ଧ : ବୌଦ୍ଧ ଥାନା ସରସରା ଗ୍ରାମ ପଂଚାୟତର ବଘାରପାଲି ନିକଟରେ ଏକ ଟ୍ରାକ୍ଟର ରାସ୍ତା ତଳକୁ ଖସି ଓଲଟି ପଡ଼ିବାରୁ ଡ୍ରାଇଭର ଟ୍ରାକ୍ଟର ତଳେ ଚାପି ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି କ୍ଷ ମୃତ ଡ୍ରାଇଭରଙ୍କ ନାମ ସୁରେଶ ମଲ୍ଲିକ। ତାଙ୍କ ଘର ଲୁଣିବାହାଲ ପଞ୍ଚାୟତର ଲାଇଗାଁ ବୋଲି ଜଣାପଡିଛି
କେନ୍ଦ୍ରାପଡ଼ା: ବେଆଇନ୍ ଭାବେ ଇନ୍ଦିରା ଆବାସ କରାଇ ଦେବାକୁ ଅରାଜି ହେବାରୁ କେନ୍ଦ୍ରାପଡ଼ା ଜିଲ୍ଲା ଗୋଲର୍ ହାଟ ପଞ୍ଚାୟତର ଭିଲେଜ୍ ଲେଭଲ୍ ୱାର୍କର୍ (ଭିଏଲ୍‌ଡବ୍ଲ୍ୟୁ) ନିହାର ରଞ୍ଜନ ଥାଟୋଇ ଆକ୍ରମଣର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଦାମାହୁଦା ପଞ୍ଚାୟତରେ ଶନିବାର ନିର୍ମିତ ହେବାକୁ ଥିବା ମେଗା ପାନୀୟ ଜଳ ପ୍ରକଳ୍ପର ଭୂମିପୂଜା କରାଯାଇଛି । ୧୮୨ କୋଟି ୩୩ ଲକ୍ଷ ଟଙ୍କା ବିନିୟମର ଏହି ପ୍ରକଳ୍ପର ପାଟଣା ବିଧାୟକ ଜଗନ୍ନାଥ ନାଏକ ଆନୁଷ୍ଠାନିକ ଭାବେ ଭୂମିପୂଜା କରିଛନ୍ତି। ଏହି ପ୍ରକଳ୍ପ ପାଇଁ ଡିଏମଏଫ ଫଣ୍ଡରୁ ବ୍ୟୟ ବରାଦ ହୋଇଛି। ୨୦୨୨ ମଧ୍ୟରେ ପ୍ରକଳ୍ପ କାର‌୍ୟ୍ୟକୁ ଶେଷ କରିବାରୁ ଧାର‌୍ୟ୍ୟ ସମୟ ରଖାଯାଇଛି।
ଅନୁଗୋଳ: ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ଗୋଡିମରା ନିକଟରେ ଏକ ମାଖନା ହାତୀର ମୃତଦେହ ଠାବ କରାଯାଇଛି। ହାତୀଟିର ଆନୁମାନିକ ବୟସ ୧୫ ରୁ ୨୦ବର୍ଷ ହେବ ବୋଲି ଜଣାପଡିଛି।ମୃତହାତୀର ପାଟିରୁ ରକ୍ତ ବାହାରୁଥିବା ଦେଖିବାକୁ ମିଳିଥିବା ବେଳେ ଅସୁସ୍ଥତା ଯୋଗୁଁ ହାତୀର ମୃତ୍ୟୁ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡୁଥିବା ଅନୁଗୋଳ ବନଖଣ୍ଡ ଅଧିକାରୀ ଭି. କାର୍ତ୍ତିକ ସୂଚନା ଦେଇଛନ୍ତି।
କଳାହାଣ୍ଡି: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୁଲିସ୍ ବାବୁ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ମହୁଲପାଟଣା ଫାଣ୍ଡି ଇଝଓ ମଳୟ ରଣା ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ମାଲକାନଗିରି : ଦିନ ଥିଲା ଏହି ଅଞ୍ଚଳ ଲାଲବାହିନୀର ଚରାଭୂଇଁ ଥିଲା । ବିକାଶର ଆଲୁଅ ଏହି ଅଞ୍ଚଳବାସୀଙ୍କ ପାଇଁ ସାତ ସପ୍ନ ଥିଲା । ସେହି ଅଞ୍ଚଳରେ ଉଦଘାଟିତ ହୋଇଛି ନୂତନ ଥାନା । ଶନିବାର ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ଜୋଡାମ୍ବ ପଞ୍ଚାୟତ ନୂତନ ଥାନା ଉଦଘାଟନ କରାଯାଇଛି ।
ବୀରମହାରାଜପୁର : ମହାନଦୀରେ ଏବେ ଏକ ନୂଆ ପ୍ରଜାତିର ଫୁକା ମାଛ ଦେଖିବାକୁ ମିଳିଛି। ଏହା ବିଷାକ୍ତ ମାଛ ହୋଇଥିବାରୁ ମତ୍ସ୍ୟଜୀବୀମାନେ ଚିନ୍ତାରେ ପଡ଼ିଛନ୍ତି। ଆଗାମୀ ଦିନରେ ଏହା ମହାନଦୀର ମତ୍ସ୍ୟ ସଂପଦ ପ୍ରତି ବଡ଼ ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏକଦା ସୁବର୍ଣ୍ଣପୁର ଜିଲ୍ଲା ସ୍ବାଦିଷ୍ଟ ମାଛ ପାଇଁ ସୁପରିଚିତ ଥିବା ବେଳେ ମହାନଦୀ ଅଂଚଳ ମାଛ ସୁଖ୍ୟାତି ପାଇଥିଲା।
ସୁନ୍ଦରଗଡ : ଆଜି ଦିନ ୧୦ରୁ ୧୧ଟା ମଧ୍ୟରେ ଆମ୍ବୁଲାନ୍ସରେ ମାଟି ଲାଗିଥିବାରୁ ନାଳରେ ଆମ୍ବୁଲାନ୍ସକୁ ଡ୍ରାଇଭର ସଫା କରୁଥିବାବେଳେ ହଠାତ୍ ପାହାଡ଼ରୁ ପାଣି ମାଡ଼ି ଆସିଥିଲା। ଫଳରେ ଆମ୍ବୁଲାନ୍ସଟି ପାଣି ଭିତରେ ଫସିଯାଇଥିଲେ ଏବଂ ଡ୍ରାଇଭର ମଧ୍ୟ ମଝିରେ ଫସି ଯାଇଥିଲେ। ଘଟଣାଟି ଘଟିଛି ସୁନ୍ଦରଗଡ଼ର ଗୁରୁଣ୍ଡିଆ ବ୍ଲକରେ।ଅଗ୍ନିଶମ କର୍ମଚାରୀ ଶେଷରେ ଦଉଡ଼ି ସାହାଯ୍ୟରେ ଆମ୍ବୁଲାନ୍ସ ଏବଂ ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ।
ବାଲେଶ୍ଵର : ସଦର ବିଧାୟକ ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ପରେ ନିର୍ବାଚନ କମିଶନଙ୍କୁ, ଗୃହରେ ସମ୍ପୃକ୍ତ ଆସନ ଶୂନ୍ୟସ୍ଥାନ ସମ୍ପର୍କରେ ଅବଗତ କଲ ବିଧାନସଭା ସଚିବ!!
କନ୍ଧମାଳ : ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳର ଶ୍ରୀରାମପଦା ଠାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି ।ପରକୀୟା ପ୍ରୀତି ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି ।
କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ପୋଲିସକୁ ମିଳିଛି ସଫଳତା । ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଚୋରମାନେ ଏକ ସ୍ଥାନରେ ବସି ଖଟି କରୁଥିବାବେଳେ କାବୁ କରିଛି । ସମସ୍ତଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରି ସେମାନଙ୍କ ନିକଟରୁ ୩ଟି ଚୋରି ବାଇକ୍ ଜବତ କରିବା ସହ ପୋଲିସ ୪ ଜଣକୁ ଗିରଫ କରିଛି । ଗିରଫ ଚୋରମାନେ ହେଲେ ବେଲପଡା ଥାନା ମୁଡ଼ାଗାଁର ରାଜକିଶୋର ମହାନନ୍ଦ, କଣ୍ଟାବାଞ୍ଜିର ରୋହିତ ପାଣ୍ଡେ, ପ୍ରେମ ବେହେରା, ମନୋଜ ମହେର ।
ଭୁବନେଶ୍ୱର : ଓଡ଼ିଆ ଅଭିନେତ୍ରୀ ଦୀପା ସାହୁ ଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅଭିନେତା ଅଖିଲ ପଟ୍ଟନାୟକଙ୍କ ସମେତ ଅନ୍ୟ କିଛି ବ୍ୟକ୍ତି ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଛନ୍ତି। ଗତ ବର୍ଷେ ଧରି ସେ କ୍ୟାନ୍ସରରେ ପୀଡ଼ିତ ଅଛନ୍ତି।
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ତେନ୍ତୁଳି ବେଲାରୀ ନଗର ପଡା ଗାଁ ନିକଟରୁ ଏକ ଟାଟା ମ୍ୟାଜିକରେ ଚୋରା ଚାଲାଣ ହେଉଥିବା ୧୬୦୦ ଲିଟର କିରାସିନି ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ବାରା ଜବତ କରାଯାଇଥିବା ବେଳେ ସେପଟେ ଡ୍ରାଇଭର ଫେରାର ।
ଭୁବନେଶ୍ବର : ଭୁବନେଶ୍ୱର ରସୁଲଗଡ଼ ଅଞ୍ଚଳରୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ୪ କେଜି ୪୮୬ ଗ୍ରାମ୍ ହେରୋଇନ୍ ଜବତ କରିଛି । ଯାହାର ମୂଲ୍ୟ ୪ କୋଟି ୫୦ ଲକ୍ଷ ଟଙ୍କା । ଏହି ଘଟଣାରେ ଏସ୍‌ଟିଏଫ୍ ୩ ଜଣ ବେପାରୀଙ୍କୁ ଗିରଫ କରିଛି । ସେମାନେ ହେଲେ ବାଲେଶ୍ୱର ଜିଲ୍ଳା ନୀଳଗିରି ଥାନା ନରସିଂହପୁରର ଦେବାଶିଷ ବେହେରା, ବାଲେଶ୍ୱର ଟାଉନ୍ ଥାନା ଗୋପାଳ ଗାଁର ସେଖ୍ କୌସର ଓ ପ୍ରବୀର କୁମାର ସିଂହ ।
ଛତ୍ରପୁର: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ କଳମ୍ୱ ପଞ୍ଚାୟତର ବଡ଼ ସାହିରେ ବଡ଼ ପୁଅ ସୁଶାନ୍ତ ଓ ସାନ ପୁଅ ମଙ୍ଗୁଳୁଙ୍କର କୌଣସି ଏକ କଥାକୁ ନେଇ ବାପା ଅଭିମନ୍ୟୁଙ୍କ ସହିତ ପାଟିତୁଣ୍ଡ ହୋଇଥିଲା। ଏଥିରେ ଦୁଇ ଭାଇ ରାଗି ଯାଇ ବାପାଙ୍କୁ ବାଡ଼ିରେ ପିଟିଥିଲେ। ଯାହାଫଳରେ ଘଟଣା ସ୍ଥଳରେ ହିଁ ଅଭିମନ୍ୟୁଙ୍କର ମୃତ୍ୟୁ ଘଟିଥିଲା । ଅଭିଯୁକ୍ତ ଦୁଇ ପୁଅକୁ ପୁଲିସ ଗିରଫ କରିଛି।
ଭୁବନେଶ୍ବର : ଚଳିତ ଶିକ୍ଷାବର୍ଷରୁ ପାଠ୍ୟସୂଚୀ ବା ସିଲାବସ୍ର ୨୫% ସ୍ୱ-ଅଧ୍ୟୟନ ବା ଗାଇଡେଡ୍ ସେଲ୍ଫ୍ ଷ୍ଟଡି କରିବେ ଛାତ୍ରଛାତ୍ରୀ । ପ୍ରଥମ ଥର ପାଇଁ ରାଜ୍ୟ ଉଚ୍ଚଶିକ୍ଷାରେ ଏଭଳି ନିଷ୍ପତ୍ତି ନିଆଯାଇଛି । ସ୍ନାତକ (ଯୁକ୍ତ ତିନି) ଏବଂ ସ୍ନାତକୋତ୍ତର (ପିଜି)ରେ ଏହା ଲାଗୁ ହେବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜଗୁଡିକର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ।
ଆଜି ଓଡ଼ିଶାକୁ ଫେରିଛନ୍ତି ବିଭିନ୍ନ ରାଜ୍ୟରେ ଥିବା ୧୬୭୮ ଓଡ଼ିଆ । ଆଜି ସୁଦ୍ଧା ରାଜ୍ୟକୁ ଫେରିଲେଣି ୫ ଲକ୍ଷ ୬୯ ହଜାର ୬୪୬ ପ୍ରବାସୀ ।
ନୂଆଦିଲ୍ଲୀ : ଏବେ ଏଟିଏମରୁ ୫ ହଜାର ଟଙ୍କାରୁ ଅଧିକ ଟଙ୍କା ବାହାର କଲେ ଚାର୍ଜ ଲାଗିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ସମିତି ଏନେଇ ସୁପାରିଶ କରିଛି । ଆରଟିଆଇ ମାଧ୍ୟମରେ ଏହି ତଥ୍ୟ ଜଣାପଡିଛି । ଇଣ୍ଡିଆନ ବ୍ୟାଙ୍କସ୍ ଆସୋସିଏସନର ପୂର୍ବତନ ମୁଖ୍ୟ କାର୍ଯ୍ୟକାରୀ ବିଜି କନନଙ୍କ ଅଧ୍ୟକ୍ଷତାରେ ଗଠିତ ସମିତି ଏହି ରିପୋର୍ଟ ଗତ ବର୍ଷ ଅକ୍ଟୋବର ୨୨ରେ ଆରବିଆଇକୁ ପ୍ରଦାନ କରିଥିଲା ।
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦି ଲଞ୍ଚ କଲେ ଗରିବ କଲ୍ୟାଣ ରୋଜଗାର ଯୋଜନା : ପ୍ରତିଦିନ ଶ୍ରମିକ ରୋଜଗାର କରିବେ ୨୦୨ ଟଙ୍କା ।ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ଯେ, ଏହି ଯୋଜନାର ଆରମ୍ଭରେ ୧୨୫ ଦିନ ପର‌୍ୟ୍ୟନ୍ତ ବ୍ୟାପକ ସ୍ଥରରେ ଅଭିଯାନ ଆରମ୍ଭ କରି ଲୋକନାକୁ ରୋଜଗାର ଯୋଗାଇ ଦିଆଯିବ , ଏଥିପାଇଁ ୬ ରାଜ୍ୟର ୧୧୬ ଜିଲ୍ଲାକୁ ଚୟନ କରାଯାଇଛି
ନୂଆଦିଲ୍ଲୀ : ଆଗାମୀ ୨୦୨୪ ମସିହା ସୁଦ୍ଧା ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇବା ପାଇଁ କେନ୍ଦ୍ର ସରକାର ଜଳଜୀବନ ମିସନ ଆରମ୍ଭ କରିଛନ୍ତି। ମାତ୍ର, ଓଡ଼ିଶାରେ ଜଳଜୀବନ ମିସନ କାର‌୍ୟ୍ୟରେ ଶିଥିଳତା ପରିଲକ୍ଷିତ ହୋଇଛି। ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଛନ୍ତି। ତାଙ୍କ ମନ୍ତ୍ରାଳୟ ସମସ୍ତ ପ୍ରକାର ସହାୟତା ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ମୁମ୍ବାଇ : ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଦୁନିଆର ସବୁଠାରୁ ଧନୀ ତାଲିକାର ଦଶମ ସ୍ଥାନରେ ପହଞ୍ଚି ଯାଇଛନ୍ତି ଜ୍ଝ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ଼ର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପ୍ରଥମଥର ପାଇଁ ୬୦୦ କୋଟି ଡଲାର (୪.୫୮ ଲକ୍ଷ କୋଟି) ଟଙ୍କାରେ ପହଞ୍ଚିଛି
ନୂଆଦିଲ୍ଲୀ : ଆସନ୍ତା ୧ ବର୍ଷ ମଧ୍ୟରେ ଭାରତରେ ସୁନାଦର ୧୦ ଗ୍ରାମ ପିଛା ୬୦ ହଜାର ଟପିବାର ସମ୍ଭାବନା ରହିଛି । ଅନ୍ତର୍ଜାତୀୟ ବଜାରରେ ସୁନାଦର ବଢିବାର ସମ୍ଭାବନା ଥିବାରୁ ତାହାର ପ୍ରଭାବ ଭାରତ ଉପରେ ପଡ଼ିବ । ଆମେରିକାର ପ୍ରସିଦ୍ଧ ଇନଭେଷ୍ଟମେଣ୍ଟ ବ୍ୟାଙ୍କ ଗୋଲ୍ଡମ୍ୟାନ ସାକ୍ସ ଅଟକଳ କରିଛି ଯେ ଆଗାମୀ ୧୨ ମାସ ମଧ୍ୟରେ ବିଶ୍ୱ ବଜାରରେ ସୁନାଦର ଆଉନ୍ସ ପିଛା ୨ ହଜାର ଡଲାର ଛୁଇଁବ ।
ନୂଆଦିଲ୍ଲୀ : ଓଡିଶାରେ ଜଳ ଜୀବନ ମିଶନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଛନ୍ତି । ଏହି ମିଶନକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ସମସ୍ତ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ ବୋଲି ଏହି ପତ୍ରରେ ଦର୍ଶାଯାଇଛି । ଗ୍ରାମାଞ୍ଚଳରେ ଜନସାଧାରଙ୍କୁ ନିରାପଦ ପାନୀୟ ଜଳ ଯୋଗାଇଦେବା ସହ ୨୦୨୪ ସୁଦ୍ଧା ପ୍ରତି ଘରକୁ ପାଇପ ଜଳ ସଂଯୋଗ ଦେବା ଏହି ମିଶନର ଲକ୍ଷ୍ୟ ।
ହାଇଦ୍ରାବାଦ: ସୀମାରେ ଶାନ୍ତି ପ୍ରତିଷ୍ଠାପାଇଁ ଭାରତ ସବୁବେଳେ ଉଦ୍ୟମ କରିଆସୁଛି। କିନ୍ତୁ ଯଦି ସୀମାରେ ଆହ୍ୱାନପୂର୍ଣ୍ଣ ସ୍ଥିତି ସୃଷ୍ଟି ହୁଏ ତେବେ ଏହାର ମୁକାବିଲା କରିବାକୁ ଭାରତ ପ୍ରସ୍ତୁତ ବୋଲି ବାୟୁସେନା ମୁଖ୍ୟ ଆର.କେ.ଏସ. ଭଦୌରିଆ କହିଛନ୍ତି। ଭାରତୀୟ ସେନା ସମସ୍ତ ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବା ସହ ପୂରା ସଜାଗ ରହିଛନ୍ତି ବୋଲି ସେ କହିଛନ୍ତି।
ଜମ୍ମୁ-କାଶ୍ମୀର : ଭାରତ ଆକାଶରେ ପାକିସ୍ତାନୀ ଡ୍ରୋନ୍ । ଜମ୍ମୁକାଶ୍ମୀର କାଠୁଆ ଜିଲ୍ଲାର ଅନ୍ତରାଷ୍ଟ୍ରୀୟ ସୀମାରେ ଏକ ପାକିସ୍ତାନୀ ଡ୍ରୋନକୁ ଗୁଳି ମାରି ଖସାଇ ଦେଇଛନ୍ତି ଭାରତୀୟ ଯବାନ । କାଠୁଆ ସେକ୍ଟରର ହିରାନଗରରେ ଏହି ଡ୍ରୋନ ଉଡୁଥିବାର ଦେଖିବାକୁ ମିଳିବା ପରେ ପଦ କ୍ଷେପ ନେଇଥିଲା ବିଏସଏଫର ପାଟ୍ରୋଲିଙ୍ଗ ଟିମ ।
ରାଜସ୍ତାନ : ଜାଲୋର ଜିଲ୍ଲା ସାଞ୍ଚୋରରେ ଜୁନ ୧୯ ତାରିଖରେ ଏକ ଅଜବ ଘଟଣା ଘଟିଛି ଜ୍ଝ ଶୁକ୍ରବାର ସକାଳୁ ଏକ କଲେଜ ନିକଟରେ ଆକାଶରୁ ଏକ ଉଲକାପିଣ୍ଡ ପଡିଥିଲା ଜ୍ଝ ଏହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ ଜମିଥିଲା ଜ୍ଝ ଉଲକାପିଣ୍ଡ ସମ୍ପର୍କରେ ଗବେଷଣା କରିବାକୁ ଯୋଧପୁରରୁ ବୈଜ୍ଞାନିକଙ୍କ ଟିମ ଆସି ପହଞ୍ଚିଛି ଜ୍ଝ ସାଞ୍ଚୋରର ଥାନା ଅଧିକାରୀ ଅରବିନ୍ଦ କୁମାର କହିଛନ୍ତି ଯେ ଶୁକ୍ରବାର ସକାଳ ୭ଟା ରେ ଗାୟତ୍ରୀ କଲେଜ ନିକଟରେ ଆକାଶରୁ ଏକ ପଥର ପଡିଥିଲା ଜ୍ଝ ପାଖାପାଖି ୨ କିମି ଯାଏଁ ଏହି ଶବ୍ଦ ସୁଭିଥିଲା
ଜାମ୍ମୁ ଓ କାଶ୍ମୀର : ସୋଫିଆନରେ ଆତଙ୍କବାଦୀ-ଯବାନ ଏନ୍‌କାଉଣ୍ଟର ।୨-୩ ଜଣ ଆତଙ୍କବାଦୀଙ୍କୁ ଯବାନମାନେ ଘେରି ନେଇଥିବା ସୂଚନା । ଦକ୍ଷିଣ କାଶ୍ମୀରର ଲକଡପୋରା ପୁଦ୍‌ସୁ ଅଞ୍ଚଳରେ ଏନ୍‌କାଉଣ୍ଟର ଜାରି ।
ନୂଆଦିଲ୍ଲୀ : ଭାରତ ସରକାର ଏବଂ ଏସିଆନ ଭିତିଭୂମି ବିକାଶ ବ୍ୟାଙ୍କ (ଏଆଇଆଇବି) ମଧ୍ୟରେ ଆଜି ୭୫୦ ନିୟୁତ ମିଲିୟନ ଆମେରିକୀୟ ଡଲାରର ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି। “କୋଭିଡ-୧୯ ସକ୍ରିୟ ମୁକାବିଲା ଏବଂ ବ୍ୟୟ ସହାୟତା କାର୍ଯ୍ୟକ୍ରମ” ନାମକ ଏହି ଚୁକ୍ତିରେ ମିଳିବାକୁ ଥିବା ଅର୍ଥ କୋଭିଡ-୧୯ ମହାମାରୀର ପ୍ରତିକୂଳ ପ୍ରଭାବ କାରଣରୁ ପ୍ରଭାବିତ ହୋଇଥିବା ଗରିବ ଏବଂ ଦୁର୍ବଳ ପରିବାରଙ୍କୁ ସହାୟତା ପ୍ରଦାନ କରିବାରେ ବିନିଯୋଗ କରାଯିବ। ଏଆଇଆଇବି ପକ୍ଷରୁ ଏହା ହେଉଛି ଭାରତକୁ ସର୍ବପ୍ରଥମ ବଜେଟ ସହାୟତା।
ମୁମ୍ବାଇ : ମୁମ୍ବାଇ ଆକ୍ରମଣର ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କବାଦୀକୁ ଗିରଫ କରିଛି ୟୁଏସ୍ ଅଥୋରିଟି । ପାକିସ୍ଥାନର ଆତଙ୍କବାଦୀ ତହବ୍ୱୁର୍ ହୁସେନ୍ ରାଣାକୁ ୟୁଏସ୍ ଅଥୋରିଟି ଗିରଫ କରିଥିବାର ସୂଚନା ଆସୁଛି । ୨୬/୧୧ ଆକ୍ରମଣର ମୋଷ୍ଟ୍ ୱାଣ୍ଟେଡ୍ ଥିଲା ତହବ୍ୱୁର୍ । ଆତଙ୍କୀକୁ ଲସ୍ ଏଞ୍ଜେଲସରେ ଗିରଫ କରିଛି ୟୁଏସ୍ ଅଥୋରିଟି । ହୁସେନ୍ ୨ ଦିନ ପୂର୍ବରୁ ଆମେରିକା ଜେଲରୁ ମୁକୁଳିଥିଲେ ହେଁ ଅଥୋରିଟି ପୁଣିଥରେ ଆତଙ୍କୀକୁ ଗିରଫ କରିଛି ।
ଆମେରିକା : ଭାରତ ସପକ୍ଷରେ ଆମେରିକା ! ସୀମାରେ ଅସ୍ଥିରତା । ଭାରତ ପାଇଁ ଆଗକୁ ଆସିଲା ଆମେରିକା କହିଲା ଆନ୍ତର୍ଜାତୀୟ ସମୁଦାୟକୁ ବିଭ୍ରାନ୍ତ କରିବାକୁ ଏମିତି କରୁଛି ଚାଇନା । କରୋନାରୁ ନଜର ହଟାଇବା ଲାଗି ଷଡଯନ୍ତ୍ର ରଚୁଛି ଜିନପିଙ୍ଗ ପ୍ରଶାସନ ।

Leave A Reply

Your email address will not be published.