ଭୁବନେଶ୍ୱର,୨୩।୬(ଏସଏସନିଉଜ)ଓଡ଼ିଶା ଯୁବବର୍ଗ ପାଇଁ ଅସୀମ ସମ୍ଭାବନାର ରାଜ୍ୟ ହେବ, ଓଡ଼ିଶାର ଯୁବ ସମାଜପାଇଁ ଏକ ସୁବର୍ଣ୍ଣଯୁଗ ଆସୁଛି, ସବୁ କ୍ଷେତ୍ରରେ ବ୍ୟାପକସୁଯୋଗ ସୃଷ୍ଟି ହେଇଛି। ଓଡ଼ିଶା ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତି ହେବ। ଓଡ଼ିଶାର ଏହି ଲକ୍ଷ୍ୟ ହାସଲରେ ଯୁବ ଶକ୍ତି ହିଁ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଗଞ୍ଜାମ ଜିଲ୍ଲା ଆସ୍କାଠାରେ ଆୟୋଜିତ ରାଜ୍ୟସ୍ତରୀୟ ଯୁବଶକ୍ତି ସମାବେଶରେ କହିଛନ୍ତି।
ଗଞ୍ଜାମବାସୀଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣରେ ଭରି ରହିଛି କଳା, ସଙ୍ଗୀତ, ନୃତ୍ୟ ଓ ଗୀତର ସମ୍ଭାର। କେବଳ କଳା ନୈପୁଣ୍ୟ ନୁହେଁ ରାଜନୀତିରେ ମଧ୍ୟ ପାରଙ୍ଗମ ଗଞ୍ଜାମବାସୀ।ଗଞ୍ଜାମରେ ଗଞ୍ଜାମ ବାସୀ ଡବଲନୁହେଁ ଟ୍ରିପଲ୍ ଇଞ୍ଜିନ ସରକାର ଗଠନ କରିଛନ୍ତି। ସେ କହିଥିଲେ ଜୁନ ୧୨ ତାରିଖ ଆମ ପାଇଁ ବର୍ଷ ପୂର୍ତ୍ତିର ମହତ୍ତ୍ୱପୂର୍ଣ୍ଣ ଦିବସ ଥିଲା କିନ୍ତୁ ଆମେ ଆମ ସଫଳତାରେ ଆତ୍ମ ବିଭୋର ନହୋଇ ଜୁନ ୧୩ ତାରିଖରୁ ଲୋକଙ୍କସେବାରେ ନିଜକୁ ଉତ୍ସର୍ଗ କରିଛୁ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ ଜିଲ୍ଲାରେ ୫୫୦କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ, ଏଥିରେ ୫ଟି ଜଳସେଚନ ପ୍ରକଳ୍ପ, ଗୋଟିଏ ସଡ଼କ ପ୍ରଶସ୍ତୀ କରଣ ପ୍ରକଳ୍ପ, ଗୋଟିଏ ହାଇ ଲେଭେଲ୍ ପ୍ରକଳ୍ପ ଓ ଅନ୍ୟାନ୍ୟ ପ୍ରକଳ୍ପ ରହିଛି। ମା ତାରତାରେଣୀ ମନ୍ଦିର ଉନ୍ନତିକରଣ ପାଇଁ ରିଭାଇଜ୍ ଡିପିଆର ପ୍ରସ୍ତୁତ କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପୋଲସରାରେ ଏକ ବିଶ୍ବସ୍ତରୀୟ ଶିଳ୍ପତାଲିମ ପ୍ରତିଷ୍ଠାନ ପାଇଁ ଜାଗା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ।
ଯୁବବର୍ଗଙ୍କୁ ଉତ୍ସାହିତକରି ସେ କହିଥିଲେ ଆପଣମାନେ ନିଜ ନିଜର ପ୍ରତିଭାକୁ ଜାଣନ୍ତୁ ଏବଂ ତାର ବିକାଶ ପାଇଁ କାମ କରନ୍ତୁ। ନିଜର ଚିନ୍ତାଧାରାକୁ ବିଶ୍ବସ୍ତରୀୟ କରନ୍ତୁ। ସବୁବେଳେ ଭାବନ୍ତୁ ଯେ I MUST BE THE BEST. ତାହେଲେ ଆପଣ ସବୁ କରିପାରିବେ। ଆପଣ ନିଜେ ସଫଳ ହେବେ ଏବଂ ଆପଣଙ୍କ ଯୋଗୁ ସାରା ଓଡ଼ିଶା ସଫଳ ହେବ। ଦେଢ଼ କୋଟିରୁ ଅଧିକ ଯୁବ ବର୍ଗ ଯେତେବେଳେ ସଫଳ ହେବେ, ସେତେବେଳେ ଓଡିଶା ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ବିକଶିତ ଭାରତର ଗ୍ରୋଥ ଇଞ୍ଜିନ ହେବ।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ବରପୁତ୍ରମାନଙ୍କ ସହିତ ମହାନ ଜନନେତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ପ୍ରକାଶିତ ପୁସ୍ତିକା ତୃଣମୂଳରୁ ଶୀର୍ଷ ସୋପାନ ଉନ୍ମୋଚନ କରିଥିଲେ।
କାର୍ଯ୍ୟକ୍ରମରେ ଇସ୍ପାତ ଓ ଖଣିମନ୍ତ୍ରୀ ବିଭୂତି ଭୂଷଣ ଜେନା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ଶ୍ରୀ ପ୍ରଦୀପ କୁମାର ପାଣିଗ୍ରାହୀ, କନ୍ଧମାଳ ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ, ଭଞ୍ଜନଗର, କବିସୂର୍ଯ୍ୟନଗର, ବ୍ରହ୍ମପୁର, ଛତ୍ରପୁର, ଖଲିକୋଟ, ଦିଗପହଣ୍ଡି, ଚିକିଟି ଓ ସୋରଡ଼ାର ବିଧାୟକ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗର ପ୍ରମୁଖ ଶାସନ ସଚିବ ଉପସ୍ଥିତ ଥିଲେ। ଆସ୍କା ସାଂସଦ ଅନିତା ଶୁଭଦର୍ଶୀନି ସ୍ବାଗତ ଭାଷଣ ଦେଇଥିଲେ ଓ ଆସ୍କାବିଧାୟକ ସରୋଜ କୁମାର ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ।