କଟକ,୨୭।୭(ଏସଏସନିଉଜ)ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ହୀରାକୁଦ ସମେତ ଅନ୍ୟ ଶାଖାନଦୀରେ ଜଳସ୍ତର ବଢିବାରେ ଲାଗୁଛି।ଯାହାଫଳରେ ମହାନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ୨୪ ରୁ ୨୯ ତାରିଖ ପର୍ଯ୍ୟନ୍ତ ମହାନଦୀର ଉପର ମୁଣ୍ଡରେ ପ୍ରବଳବର୍ଷା ହେବା ନେଇ ପାଣିପାଗବିଭାଗ ଆକଳନ କରିଛି।ଏବେ ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଆଜି ସକାଳ ସୁଦ୍ଧା ହୀରାକୁଦକୁ ୫ ଲକ୍ଷ ୪୨ହଜାର କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ହୀରାକୁଦ ତାର ୨୦ଟି ଗେଟଦେଇ ୩ ଲକ୍ଷ ୪୧ ହଜାର କ୍ୟୁସେକ ବନ୍ୟା ଜଳ ନିଷ୍କାସନ କରୁଛି । ଯାହାଫଳରେ ମହାନଦୀ ଫୁଲିବାରେ ଲାଗିଛି। ବର୍ତ୍ତମାନ ମୁଣ୍ଡଳୀଠାରେ ୪ ଲକ୍ଷ ୯୧ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବାବେଳେ
ଉପରମୁଣ୍ଡରେ ୮୮.୧୦ ଫୁଟ ଓ ତଳମୁଣ୍ଡରେ ୮୫ .୧୦ ଫୁଟ ବନ୍ୟାଜଳ ପ୍ରବାହିତ ହେଉଥିବାର ଜଣାପଡିଛି।ଏହାପରେ ଯଦି ହୀରାକୁଦରୁ ଆଉ ଗେଟ ଖୋଲିବାକୁପଡେ ତେବେ ମହାନଦୀ କୁ ଅଧିକରୁ ଅଧିକ ବନ୍ୟାଜଳ ଆସିବାକୁ ଲାଗିବ।ଫଳସ୍ଵରୁପ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଦେଖା ଦେବାର ସମ୍ଭାବନା ରହିଛି ବୋଲି ଜଣାପଡିଛି ।ଅନ୍ୟପଟେ ସନ୍ଧ୍ୟା ସମୟରେ ନରାଜ ଓ ମଣ୍ଡଳୀ ବ୍ୟାରେଜରେ ବନ୍ୟାଜଳ ଦେଖିବାପାଇଁ ଦେଖଣାହାରୀଙ୍କ ଭିଡ ଲାଗିରହିଥିବାର ଦେଖିବାକୁ ମିଳିଛି।(ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)