ଭୁବନେଶ୍ବର ,୨୬।୭(ଏସଏସନିଉଜ)ରାଜଧାନୀ ଉପକଣ୍ଠ କୁଆଖାଇ ନଦୀରେ ଆଜି ଅଘଟଣ ଘଟିଛି। ଗାଧୋଇବା ବେଳେ ନଦୀରେ ଭାସିଯାଇଥିଲେ ଦୁଇ ଯୁବକ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଖୋଜାଖୋଜି କରି ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ପତ୍ତା ମିଳିନଥିବା ସୂଚନା ମିଳିଛି ।
ଭୁବନେଶ୍ବର ବାଲିଯାତ୍ରା ପଡିଆ ନିକଟ କୁଆଖାଇ ନଦୀକୁ ଗାଧୋଇବାକୁ ଯାଇଥିଲେ ୫ ଜଣ ସାଙ୍ଗ । ଗାଧୋଇବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଯୁବକ ଭାସିଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିବା ବେଳେ ଜଣଙ୍କୁ ଉଦ୍ଧାର କରିଥିଲେ । ଅନ୍ୟ ଜଣେ ନିଖୋଜ ଥିବାବେଳେ ଅଗ୍ନିଶମ ବାହିନୀ କର୍ମଚାରୀ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି ।
ସେହିଭଳିଭାବେ ସମ୍ବଲପୁର ଦେବଝରଣ ଜଳପ୍ରପାତରେ ଗାଧୋଉଥିବାବେଳେ ବୁଡି ଯାଇ ଦୁଇ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ଭୀମସାରର ବୋଲି ଜଣା ପଡିଛି। ମୃତ ଛାତ୍ରୀଙ୍କ ନାଁ ମୋନିକା ମୀନା ଓ ଛାତ୍ରଙ୍କ ନାଁ ସନ୍ଦୀପ ପୁରୀ। ଆଜି ଦିନ ପ୍ରାୟ ୨ଟାରେ ଦେବଝରଣ ଜଳ ପ୍ରପାତରେ ଏହି ଅଘଟଣ ଘଟିଛି ।