କଟକ, ୪।୮(ଏସଏସନିଉଜ) ମଧୁବନ ଗ୍ରାମ ନିକଟରେ ମୁଖ୍ୟ ରାସ୍ତା ଉପରେ ମଦ୍ୟପ ଯୁବକଙ୍କ ଆତଙ୍କ ଘଟଣାପରେ ୫ଜଣ ଅଟକ ରଖିଛି ବାରଙ୍ଗ ଥାନା ପୁଲିସ।
ଘଟଣାରୁ ପ୍ରକାଶଯେ, ସୋମବାର ଅପରାହ୍ନ ସାଢେ଼ ୪ଟା ସମୟରେ ନରାଜ ନିକଟସ୍ଥ ଆଦର୍ଶ ବିଦ୍ୟାଳୟରୁ ଓଡି ୦୫ବିଭି ୪୭୪୫ ପିକ୍ ଅଫ୍ ଅଟୋଟି ଛାତ୍ରଛାତ୍ରୀ ମାନଙ୍କୁ ନେଇ ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତାରେ ଆସୁଥିଲା। ମଧୁବନ ଗ୍ରାମ ନିକଟରେ ମୁଖ୍ୟ ରାସ୍ତା ଉପରେ ଓଡି ୦୨ବିଟି ୭୩୭୯ ନମ୍ୱର କାରରେ ଥିବା ୫ଜଣ ଯୁବକ
ଗାଡ଼ିର ସମସ୍ତ ଡୋର ଖୋଲି ମଦ୍ୟପାନ କରୁଥିଲେ। ଏହି ସମୟରେ ଅଟୋଟି ଅତିକ୍ରମ କରୁଥିବା ବେଳେ ମଦ୍ୟପ ଯୁବକ ମାନେ ଅଟୋଟିକୁ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ରାସ୍ତାରେ ଯାଉଥିବା ଅନ୍ୟ ପଥଚାରୀ ଓ ସ୍ଥାନୀୟ ଲୋକମାନେ ଏହାକୁ ବିରୋଧ କରିବାରୁ ଉଭୟଙ୍କ ଭିତରେ ଗଣ୍ଡଗୋଳ ହୋଇଥିଲା। ମଦ୍ୟପ ଯୁବକଙ୍କ ଆକ୍ରମଣରେ ଅଟୋ ଚାଳକଙ୍କର ମୁହଁରେ ଆଘାତ ଲାଗିବାରୁ ସେ ଆହାତ ହୋଇଥିବା ବେଳେ ଅଟୋରେ ଥିବା ସ୍କୁଲ ପିଲାମାନେ ଭୟଭୀତ ହୋଇଯାଇଥିଲେ। ସ୍ଥାନୀୟ ଲୋକମାନେ ନିକଟସ୍ଥ ବାରଙ୍ଗ ଥାନାକୁ ସୂଚନା ଦେଇଥିଲେ। ସୂଚନା ପାଇ ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କାରଟିକୁ ଜବତ କରିବା ସହିତ ଆହତଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲା। ମଦ୍ୟପ ୫ଜଣ ଯୁବକଙ୍କୁ ଅଟକ ରଖି ପଚରା ଉଚରା ଆରମ୍ଭ ହୋଇଛି ବୋଲି ବାରଙ୍ଗ ଥାନା ଅଧିକାରୀ ଦେବେନ୍ଦ୍ର କୁମାର ବିଶ୍ଵାଳ ସୂଚନା ଦେଇଛନ୍ତି।