ରଥଯାତ୍ରାରେ ପୁରୀକୁ ଗଡିବ ୧୦୦୦ ବସ

କଟକ,୩୦।୫(ଏସଏସନିଉଜ)ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ ।ଶ୍ରଦ୍ଧାଳୁଙ୍କ ସୁଗମ ପରବହନକୁ ଆଖିଆଗରେ ରଖି ରାଜ୍ୟ ପରିବହନପ୍ରାଧିକରଣ ପକ୍ଷରୁ ଏକ ସମନ୍ୱୟବୈଠକ ଅନୁଷ୍ଠିତ ହୋଇଛି ।ପ୍ରାଧିକରଣର ମୁଖ୍ୟାଳୟରେ ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୋଲିସ କର୍ତ୍ତୃପକ୍ଷ ଏବଂ ବସ୍ ମାଲିକସଙ୍ଘ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏତେ ସଂଖ୍ୟକ ଶ୍ରଦ୍ଧାଳୁ କିଭଳି ପୁରୀରେ ସୁବିଧାରେ ପହଞ୍ଚିବେ ଓ ଫେରିବେ ସେ ବିଷୟରେ ବିଭିନ୍ନଦିଗ ଉପରେ ଆଲୋଚନା କରାଯାଇ ସର୍ବସମ୍ମତିକ୍ରମେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗୁଡ଼ିକ ଗ୍ରହଣ କରାଯାଇଛି ।
ପ୍ରତିବର୍ଷ ଭଳି ଚଳିତଥର ମଧ୍ୟ ରଥଯାତ୍ରା ନିମନ୍ତେ ଅନ୍ୟରୁଟ୍ ଗାଡ଼ିଗୁଡ଼ିକୁ ପୁରୀ ନିମନ୍ତେ ସ୍ୱତନ୍ତ୍ର ପରମିଟ୍ ପ୍ରଦାନ କରାଯିବ । ଆଗ୍ରହୀ ବସ୍ ମାଲିକମାନେ ଏଥିନିମନ୍ତେ କିଭଳି ସୁବିଧାରେ ଆବେଦନ କରିବେ ଓ ଅନୁମତି ପାଇବେ ସେଦିଗରେ ଆଲୋଚନା କରାଯାଇଥିଲା ।ବିଶେଷକରି, କଟକ-ଭୁବନେଶ୍ୱରରୁ ଅଧିକ ସଂଖ୍ୟକ ବସ୍ ପୁରୀ ଚଳାଚଳ କରିବା ଉପରେ ଗୁରୁତ୍ୱ ଦିଆଯିବ। ସେହିଭଳି ନିର୍ଦ୍ଧାରିତ ବସ୍ ଭଡ଼ାଠାରୁ କୌଣସି ବସ୍ ଯାତ୍ରୀଙ୍କଠାରୁ ଅଧିକ ଭଡ଼ା ଦାବି କରିବାର ଅଭିଯୋଗ ଯେଭଳି ନଆସେ ସେଦିଗରେ ବସ ମାଲିକସଙ୍ଘ ଧ୍ୟାନ ଦେବାକୁ କହିଛନ୍ତି ପରିବହନ ଆୟୁକ୍ତ ।ପୁରୀ ଯାଉଥିବା ଓ ପୁରୀରେ ଚଳାଚଳ କରୁଥିବା ସମସ୍ତ ବସ୍ ଓ ଅଟୋରେ ଭଡ଼ା ସଂପର୍କିତ ତଥ୍ୟ ପ୍ରଦର୍ଶିତ କରିବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି ।ଯେଭଳି କେହି ମନଇଚ୍ଛା ଭଡ଼ାଆଦାୟ କରି ଯାତ୍ରୀଙ୍କୁ ହଇରାଣ ନକରନ୍ତି ସେ ଦିଗରେ ପୁରୀପୋଲିସ ଓ ପୁରୀ ଆରଟିଓ ବିଶେଷ ଧ୍ୟାନ ଦେବାକୁ ନିଷ୍ପତ୍ତି ହୋଇଛି ।ବସ୍ ରହଣି ସ୍ଥାନରେ ଅସ୍ଥାୟୀ ବିଶ୍ରାମାଗାର ସହ ପ୍ରଶାସନତରଫରୁ ମୌଳିକସୁବିଧା ଉପଲବ୍ଧ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ ।ସେହିଭଳି ବସ୍ ଷ୍ଟପରେ ଯେଭଳି ଯାତ୍ରୀମାନଙ୍କ ସୁରକ୍ଷାକୁ ମଧ୍ୟ ପୋଲିସ ପକ୍ଷରୁ ଗୁରୁତ୍ୱ ଦିଆଯିବ। ଅସାମାଜିକ ମାନଙ୍କଉପରେ କଡ଼ାନଜର ରଖାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ସ୍ୱତନ୍ତ୍ର ଟିମ୍ ଗଠନ କରି ଯାତ୍ରୀଙ୍କ ସୁବିଧାକୁ ପୁରୀ, ଭୁବନେଶ୍ୱର,କଟକ ସମେତ ଅନ୍ୟାନ୍ୟ ସହରର ବସଷ୍ଟାଣ୍ଡରେ ମନିଟର କରାଯିବ ।ଏହାସହ ପୁରୀର ତାଳବଣିଆରେ ସିସିଟିଭି ମଧ୍ୟ ଲାଗିବ ।ବସମାନଙ୍କରେ ଫାଷ୍ଟଏଡ୍ କିଟ୍ ଓ ପର୍ଯ୍ୟାପ୍ତ ପରିମାଣର ଓଆରଏସ ମହଜୁଦ୍ ରହିବ ଓ ତାହା ଏସଟିଏ ପକ୍ଷରୁ ଯୋଗାଇ ଦିଆଯିବ ।ଯାତ୍ରୀ ଓ ଯାତ୍ରୀବାହୀ ଗାଡ଼ିମାନଙ୍କ ସୁବିଧା ନିମନ୍ତେ ରଥଯାତ୍ରା ସମୟରେ ପୁରୀରେ RTOଙ୍କ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ୍ ଖୋଲାଯିବ । ଏହାସହ ଗାଡ଼ି ମରାମତି ନିମନ୍ତେ ବିଭିନ୍ନ କମ୍ପାନୀଙ୍କ ସହଯୋଗ, କ୍ରେନ୍ ଓ ଆମ୍ବୁଲାନ୍ସ ସୁବିଧା ମଧ୍ୟ କରାଯିବ ।ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥାଉପରେ ବିଶେଷ ଧ୍ୟାନ ଦିଆଯିବ ।ଜାତୀୟରାଜପଥରେ ଗହଳି ଆଶଙ୍କାଥିବା ସ୍ଥାନଗୁଡ଼ିକରେ ସ୍ଵତନ୍ତ୍ରଟିମ୍ ଦାୟିତ୍ୱରେ ରହିବେ । କୋଣାର୍କ-ପୁରୀ ରୁଟ୍ ପାଇଁ ସ୍ବତନ୍ତ୍ର ଟ୍ରାଫିକ କଟକଣା ଲାଗୁ ହେବ । ସମସ୍ତବିଭାଗ, ଗାଡ଼ିମାଲିକ ଓ କର୍ମଚାରୀଙ୍କ ସହଯୋଗରେ ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ପରିବହନ ଆୟୁକ୍ତ ।ତାଳବଣିଆରୁ ଜିଲ୍ଲାହାଇସ୍କୁଲ ନିଃଶୁଳ୍କ ନେବା ଆଣିବା ପାଇଁ ପ୍ରଶାସନ ୧୦୦ ଅଟୋ ବ୍ୟବସ୍ଥା କରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
ଏହି ବୈଠକରେ ପୁରୀ ଏସପି, କଟକଡିସିପି, ଟ୍ରାଫିକଡିସିପି, ଜାତୀୟରାଜପଥ ପ୍ରାଧିକରଣ ଅଧିକାରୀ, ବସ୍ ମାଲିକସଙ୍ଘ ପ୍ରତିନିଧି ଏବଂ ପରିବହନବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments (0)
Add Comment