ଆଶା ହରାନ୍ତୁ ନାହିଁ…

ଭିନ୍ନକ୍ଷମମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରେରଣା

ଭୁବନେଶ୍ୱର,୩।୧୨(ଏସଏସନିଉଜ)ଭିନ୍ନକ୍ଷମମାନଙ୍କ ସମସ୍ୟା ଉପରେ ଆମ ସରକାର ସବୁବେଳେ ପ୍ରାଥମିକତା ଦେଉଛି, ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଓ ଯତ୍ନ ପ୍ରଦାନ କରି ସାମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଆମ ସରକାର ଗୁରୁତ୍ୱ ଦେଇ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ- ୨୦୨୫ ଅବସରରେ ଉଦ୍‌ବୋଧନ ଦେଇ କହିଛନ୍ତି ।ଭୁବନେଶ୍ୱର SOA ଅଡିଟୋରିଅମ ଠାରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଚଳିତ ମାସ ୧ ତାରିଖରୁ ଆୟୋଜିତ ତିନିଦିନିଆ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶାରୀରିକ କ୍ଷମତା ବା ଭିନ୍ନ-କ୍ଷମତା ପ୍ରତିଭାର ବିକାଶରେ କେବେ ବି ବାଧା ସୃଷ୍ଟି କରେ ନାହିଁ । ସମାଜର ସହଯୋଗ ଓ ପରିବାରର ପ୍ରେରଣା ଦ୍ୱାରା ଆଜି ଅନେକ ଭିନ୍ନକ୍ଷମ ବ୍ୟକ୍ତି ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରଦର୍ଶନ କରି ଏହା ପ୍ରମାଣିତ କରିଛନ୍ତି । ସେ କହିଥିଲେ ଯେ, ୨୦୧୪ ମସିହାରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦେଶର ଦାୟିତ୍ୱ ନେବା ପରେ ଭିନ୍ନକ୍ଷମ ବା ଦିବ୍ୟାଙ୍ଗଙ୍କ ପାଇଁ ଯୋଜନା ଓ କାର୍ଯ୍ୟକ୍ରମ ସବୁ ବ୍ୟାପକ କରାଯାଇଛି । ସ୍ୱାଧୀନତା ପରଠାରୁ ୨୦୧୪ ପର୍ଯ୍ୟନ୍ତ ଦେଶରେ ମାତ୍ର ୭ ଲକ୍ଷ ଭିନ୍ନକ୍ଷମ ଲୋକଙ୍କୁ କୃତ୍ରିମ ଉପକରଣ ପ୍ରଦାନ କରିଥିବା ବେଳେ, ୨୦୧୪ ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଅର୍ଥାତ୍, ୧୧ ବର୍ଷ ମଧ୍ୟରେ ୩୧ ଲକ୍ଷ କୃତ୍ରିମ ଭିନ୍ନକ୍ଷମ ଉପକରଣ ପ୍ରଦାନ କରାଗଲାଣି । ୨୦୧୫ ମସିହାରେ ମୋଦୀଜୀ ଭିନ୍ନକ୍ଷମଙ୍କ ପାଇଁ ଦିବ୍ୟାଙ୍ଗ ଶବ୍ଦ ଆରମ୍ଭ କରିଥିଲେ ।
ସେ ଆହୁରି କହିଥିଲେ, ଆମ ସରକାର ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜରିଆରେ ରାଜ୍ୟରେ ଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କୁ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିକୋଣରୁ ସ୍ୱୟଂସିଦ୍ଧ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ T20 ଦୃଷ୍ଟିବାଧିତ ମହିଳା ବିଶ୍ୱକପ କ୍ରିକେଟର ୪ ଜଣ ଖେଳାଳୀଙ୍କ ସମେତ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କୃତୀତ୍ୱ ଅର୍ଜନ କରିଥିବା ସମୁଦାୟ ୩୩ ଜଣ ଭିନ୍ନକ୍ଷମ କ୍ରୀଡାବିତଙ୍କୁ ସମ୍ୱର୍ଦ୍ଧିତ କରିଥିଲେ । କୃତୀ ବିଦ୍ୟାର୍ଥୀମାନଙ୍କୁ ଲାପଟପ୍ ବଣ୍ଟନର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଭିନ୍ନକ୍ଷମ ଭାଇ ଭଉଣୀମାନଙ୍କୁ ସମସ୍ତ ସହଯୋଗ ଓ ସେବା ପ୍ରଦାନ ଜରିଆରେ ସମାଜରେ ସମ୍ମାନଜନକ ସ୍ଥାନରେ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀ.ଆର୍. ଏସ୍. ଗୋପାଳନ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସ୍ୱତନ୍ତ୍ର ସଚିବ ରଜନୀ ଦାନୀ ଧନ୍ୟବାଦ ଅର୍ପଣ କରିଥିଲେ । ନିର୍ଦ୍ଦେଶିକା ଶ୍ରୀମତୀ ପାରୁଲ ପଟୱାରୀ ଉପସ୍ଥିତ ଥିଲେ ।

- Advertisement -

Leave A Reply

Your email address will not be published.