ଭୁବନେଶ୍ୱର,୪।୧୨(ଏସଏସନିଉଜ) ଓଡ଼ିଶା ମାଟିରେ ଦୌଡ଼ିବ ଆଫ୍ରିକା ଚିତା। ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଦେଖିବାକୁ ମିଳିବ ଚିତାବାଘ। ନନ୍ଦନକାନନର ଖୁଆଡ଼ ମଧ୍ୟରେ ପର୍ଯ୍ୟଟକମାନେ ଚିତା ଦେଖିବାର ସୁଯୋଗ ପାଇବେ ଓ ଏହାର ଭରପୁର ମଜା ଉଠାଇପାରିବେ। ପୂର୍ବରୁ ଭାରତରେ ଚିତା ରହିଥିଲେ। ହେଲେ ଅବାଧ ଶୀକାର ଓ ସମୟକ୍ରମେ ଧୀରେଧୀରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇ ଭାରତରୁ ଚିତା ବଂଶ ଲୋପ ପାଇଯାଇଛି। ଭାରତରେ ପୁଣି ଚିତାବଂଶ ବୃଦ୍ଧି ତଥା ଭାରତରେ ଚିତାଙ୍କ ଉପସ୍ଥିତି ଜାହିର କରିବା ପାଇଁ ‘ପ୍ରୋଜେକ୍ଟ ଚିତା’ ମାଧ୍ୟମରେ ପ୍ରଥମଥର ୨୦୨୨ ମସିହା ସେପ୍ଟେମ୍ବର ୧୭ ତାରିଖରେ ଭାରତ ଆସିଥିଲା ଚିତା। ନାମିବିଆରୁ ପ୍ରଥମ ପର୍ଯ୍ୟାୟରେ ୮ ଟି ଚିତା ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିଲା। ପରବର୍ତ୍ତୀ ସମୟରେ ଦ୍ଵିତୀୟପର୍ଯ୍ୟାୟ ୨୦୨୩ ମସିହା ଫେବୃୟାରୀ ମାସରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଭାରତକୁ ଅଣାଯାଇଥିଲା। ଜାତୀୟଉଦ୍ୟାନ ଭାବରେ ଭାରତକୁ ପ୍ରଥମଥର ଚିତା ଆସିଥିଲା। ହେଲେ ଚିଡ଼ିଆଖାନା କ୍ଷେତ୍ରରେ ଓଡ଼ିଶା ତଥା ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ପ୍ରଥମ ଥର ପାଇଁ ଚିତାବାଘ ଆସିବାକୁ ଯାଉଛି। ଲୋକଙ୍କ ମନରେ ଯେଉଁ ଉତ୍ସାହ ରହିଛି ଯେ ଚିତାବାଘ ଦେଖିବେ ଏବଂ ଚିତା ଦୌଡିବା ମଧ୍ୟ ଦେଖିବାକୁ ପାଇବେ। ଚିତା ସାଧାରଣତଃ ଆଫ୍ରିକାର ତୃଣଭୋଜି ଅଞ୍ଚଳରେ ବସବାସ କରନ୍ତି। ଏମାନେ ଅନ୍ୟ ବାଘ ତୁଳନାରେ ଛୋଟ ହୋଇଥାନ୍ତି। ଚିତାବାଘଙ୍କ ଦୌଡ଼ିବା ଗତି ସର୍ବାଧିକ ୧୦୩ କିମି ପର୍ଯ୍ୟନ୍ତ ହୋଇଥାଏ। ଯାହା ଅନ୍ୟ ଜୀବଜନ୍ତୁ ତୁଳନାରେ ସର୍ବାଧିକ ରହିଥାଏ। ତେବେ ନନ୍ଦନକାନନକୁ ଚିତା ଆସିବା ପାଇଁ କର୍ତ୍ତୁପକ୍ଷ ଆବଶ୍ୟକତା ଥିବା ବିଧି ଓ ବ୍ୟବସ୍ଥା ଆରମ୍ଭ କରିବା ଆରମ୍ଭ କରିଛନ୍ତି। ଏଥିପାଇଁ ଖୁଆଡ଼ ନିର୍ମାଣ ମଧ୍ୟ ଚାଲିଛି। ଆସନ୍ତାବର୍ଷ ମେମାସ ସୁଦ୍ଧା ଉନ୍ନତମାନର ଖୁଆଡ଼ ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ସୂଚନା ମିଳିଛି। ଖୁଆଡ଼ ନିର୍ମାଣ ପରେ ଆଫ୍ରିକାରୁ ଚିତା ନନ୍ଦନକାନନ ଆସିବ। ତେବେ ନନ୍ଦନକାନନ କର୍ତ୍ତୁପକ୍ଷ କହିଛନ୍ତି ଯେ ବହୁତ ଶୀଘ୍ର ଚିତା ନନ୍ଦନକାନନ ଆସିବେ। ଯାହାଫଳରେ ପର୍ଯ୍ୟଟକମାନେ ଚିତାବାଘ୍ ଦେଖିବାକୁ ପାଇବେ ଓ ଏହାର ଭରପୂର ମଜା ଉଠାଇ ପାରିବେ।(ଜିତ ରାଉତଙ୍କ ରିପୋର୍ଟ)
