ଭୁବନେଶ୍ୱର,୨୯।୫(ଏସଏସନିୟୁଜ)ଭାରତ ସରକାରଙ୍କ କୃଷି ଏବଂ କୃଷକକଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆଜି ପୁରୀର ସାକ୍ଷୀଗୋପାଳ ସ୍ଥିତ କୃଷିବିଜ୍ଞାନ କେନ୍ଦ୍ରଠାରେ ବିକଶିତ କୃଷିସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ୍ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଏହି ଜାତୀୟ କାର୍ଯ୍ୟକ୍ରମକୁ “ଏକ ପେଡ ମା କେ ନାମ” ଅଭିଯାନ ଆଧାରରେ ଗଛ ଲଗାଇ ଉଦ୍ଘାଟନ କରିଥିଲେ ।
ସୂଚନାଯୋଗ୍ୟଯେ, ଆଗାମୀ ୧୫ ଦିନଧରି ଚାଲୁ ରହିବାକୁଥିବା ଏହି ଅଭିଯାନରେ ପ୍ରାୟ୧.୫ କୋଟି ଚାଷୀଙ୍କ ସହିତ ସରକାର ସିଧାସଳଖ ସାକ୍ଷାତକାର କରି ସେମାନଙ୍କୁ ନୂତନ କୃଷି ଜ୍ଞାନ କୌଶଳ ଓ ପ୍ରଯୁକ୍ତିବିଦ୍ୟା ବିଷୟରେ ଅବଗତ କରାଇବେ।

ଏହି ଅବସରରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନଚରଣମାଝୀ କହିଥିଲେ ଯେ, କୃଷକମାନଙ୍କ ମଧ୍ୟରେ ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ନୂତନ ବିହନ କିସମ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ, ଆଜିଠାରୁ ୧୨ଜୁନ ପର୍ଯ୍ୟନ୍ତ ଦେଶବ୍ୟାପୀ ବିକଶିତ କୃଷି ସଂକଳ୍ପ ଅଭିଯାନ ଭାରତ ସରକାରଙ୍କର ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ଅଭିଯାନ ମାଧ୍ୟମରେ ଦେଶର ୭୦୦ ଜିଲ୍ଲାର ପ୍ରାୟ ୧କୋଟି୫୦ଲକ୍ଷ ଚାଷୀଙ୍କ ନିକଟରେ ସରକାର ପହଞ୍ଚିବ ଏବଂ ନୂତନ କୃଷି ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ବିଷୟରେ ସେମାନଙ୍କୁ ଅବଗତ କରାଇବ।
ପ୍ରତ୍ୟେକ ଜିଲ୍ଲାସ୍ତରରେ ତିନୋଟି ଦଳ ଗଠନ କରାଯାଇ କୃଷି, ଉଦ୍ୟାନକୃଷି ଓ ମୃତ୍ତିକା ସଂରକ୍ଷଣ ସମ୍ବନ୍ଧୀୟ ବିଷୟ ବସ୍ତୁଗୁଡ଼ିକୁ କୃଷି ବିଜ୍ଞାନକେନ୍ଦ୍ରର ବୈଜ୍ଞାନିକ ଓ ବିଭାଗୀୟ ଅଧିକାରୀମାନେ ମିଳିତ ଭାବରେ ଗ୍ରାମୀଣ କୃଷକମାନଙ୍କୁ ଏ ବିଷୟରେ ବୁଝାଇବେ। ପ୍ରତ୍ୟେକ ଦଳ, ଦୈନିକ ଦୁଇଟି ଗାଁ ଗସ୍ତ କରି ପ୍ରତ୍ୟେକ ଗାଁରେ ୨୫୦ଜଣ ଚାଷୀଙ୍କୁ ଭେଟି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କୃଷକ କଲ୍ୟାଣ ଯୋଜନା ଗୁଡ଼ିକୁ ବୁଝାଇବା ସହ ବିଭିନ୍ନ କାର୍ଯ୍ୟକ୍ରମ, ପଦକ୍ଷେପ ଏବଂ ନୂତନ ଜ୍ଞାନ କୌଶଳର ପ୍ରୟୋଗାତ୍ମକ ଦିଗଗୁଡ଼ିକ ଉପରେ ଚାଷୀଭାଇ ଓ ଭଉଣୀମାନଙ୍କ ସହ ଆଲୋଚନା କରିବେ ।
ଗବେଷଣାଲବ୍ଧ କୃଷି ସୂଚନା କିପରି ଭାବରେ ଚାଷୀ ଭାଇ ଭଉଣୀମାନଙ୍କ ନିକଟରେ ପହଞ୍ଚିବ ସେ ବିଷୟରେ ପଦକ୍ଷେପ ମାନ ନିଆଯିବ। ବିଶେଷ କରି ମୃତ୍ତିକାର ସ୍ଵାସ୍ଥ୍ୟ ପରୀକ୍ଷା, ମୃତ୍ତିକା ସ୍ଵାସ୍ଥ୍ୟକାର୍ଡର ବ୍ୟବହାରିତା, ସାର ପରିଚାଳନା, ଜଳବାୟୁ ପ୍ରତିରୋଧ କୃଷି ଇତ୍ୟାଦି ବିଷୟରେ ଚାଷୀମାନଙ୍କୁ ଅବଗତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଚୌହାନ କହିଥିଲେ ଯେ, ଓଡ଼ିଶା ରାଜ୍ୟ, ଆଜି ସାରାଭାରତ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି । ସମୃଦ୍ଧ କୃଷକଯୋଜନା ମାଧ୍ୟମରେ ସରକାର ଚାଷୀଙ୍କଠାରୁ ଧାନ କ୍ଵିଣ୍ଟାଲ ପିଛା ୩୧୦୦ଟଙ୍କାରେ କ୍ରୟ କରୁଛନ୍ତି, ଯାହାକି ଧାନର ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ୮୦୦ ଟଙ୍କା ଅଧିକ । ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କାରଣ ଚାଷୀର ଆୟ ବଢିଲେ ଦେଶର ଆୟ ବଢେ।
କେବଳ ଚାଷକ୍ଷେତ୍ର ନୁହେଁ, ସୁଭଦ୍ରା ଭଳି ଯୋଜନା ଯୋଗୁଁ ଆଜି ରାଜ୍ୟର ଅନେକ ମହିଳା ଲାଭାନ୍ୱିତ। ମହିଳାଙ୍କର ସଶକ୍ତିକରଣ କଥା ହେଉ ଅବା କୃଷିର ଭିତ୍ତିଭୂମି ବିକାଶ, ସବୁଥିରେ ଓଡ଼ିଶା ସାରା ବିଶ୍ୱରେ ଦୃଷ୍ଟାନ୍ତ ହେବ, ଏହା ଆମର ବିଶ୍ୱାସ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ କହିଥିଲେ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଥିଲେଯେ,ବିକଶିତ କୃଷି ସଂକଳ୍ପ ଅଭିଯାନ ଏକ ସ୍ୱତନ୍ତ୍ର ମାଧ୍ୟମ, କୃଷକମାନଙ୍କୁ ଯାନ୍ତ୍ରିକ ସଶକ୍ତ କରାଇବା ପାଇଁ। ଏହି ଅଭିଯାନ, ଓଡିଶାରୁ ଆରମ୍ଭ ହେଉଛି ଏବଂ ଏହାର ଉପଲବ୍ଧତା ଓଡ଼ିଶାର କୃଷକଙ୍କ ନିକଟରେ ପହଂଚିବ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓଁ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ପ୍ରମୁଖ ଶାସନ ସଚିବ, କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ଡକ୍ଟର ଅରବିନ୍ଦ କୁମାର ପାଢ଼ୀ ଏବଂ ଓୟୁଏଟିର କୁଳପତି, ପ୍ରଫେସର୍ ପ୍ରଭାତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।
