ବିଳମ୍ବରେ ଆସୁଛନ୍ତି ଡାକ୍ତର

ବାରଙ୍ଗ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୁରୁତର ରୋଗୀଙ୍କୁ ମିଳୁନି ଚିକିତ୍ସା

0 261

ବାରଙ୍ଗ,,୧୨/୧୨(ଏସ ଏସ ନିଉଜ)ବାରଙ୍ଗ ବ୍ଲକ ଅନ୍ତର୍ଗତ ବଙ୍ଗାଳୀସାହି ନିକଟରେ ସୋମବାର ପୂର୍ବାହ୍ନରେ ଏକ କାରକୁ ପଛରୁ ଧକ୍କା ଦେଇ ସ୍କୁଟି ଚାଳକ ଗୁରୁତର ଆହତ ହୋଇଛି।

ସୂଚନା ମୁତାବକ ସୋମବାର ପୂର୍ବାହ୍ନ ୮.୨୦ ସମୟରେ କଟକ ବଡ ଡାକ୍ତରଖାନାରେ ହାଉସ ସର୍ଜନ ଭାବେ କାର୍ଯ୍ୟ କରୁଥିବା ଜଣେ ଯୁବତୀ ଏକ ସ୍କୁଟି ଯୋଗେ ଭୁବନେଶ୍ଵରରୁ କଟକ ଅଭିମୁଖେ ଯାଉଥିବା ସମୟରେ ବାରଙ୍ଗ ମୂଖ୍ୟ ରାସ୍ତାର ବଙ୍ଗାଳୀସାହି ନିକଟରେ ଏକ କାରକୁ ପଛରୁ ଧକ୍କା ଦେଇଥିଲେ।ଫଳରେ ତାଙ୍କର ଗୋଡ଼,ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗି ଗୁରୁତର ହୋଇ ପଡ଼ିଥିଲେ।ଏହି ସମୟରେ ନିଜ କାର ଯୋଗେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେବାକୁ କଟକ ଯାଉଥିବା ବାରଙ୍ଗ ଅଞ୍ଚଳର ଜଣେ ବ୍ୟକ୍ତି ଗୁରୁତର  ଯୁବତୀଙ୍କୁ ଆଣି ବାରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଛାଡିଥିଲେ।ହେଲେ ଡାକ୍ତରଖାନା ରେ ସେତେବେଳକୁ ସେଠାରେ କୌଣସି କର୍ମଚାରୀ କିମ୍ବା ଡାକ୍ତରଙ୍କ ଦେଖା ନଥିଲା।ଯାହାକୁ ନେଇ ସେଠାରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିଲା।ଦୀର୍ଘ ୪୫ ମିନିଟ ପରେ ଫାର୍ମାସିଷ୍ଟ ଆସିବା ପରେ ଯୁବତୀଙ୍କ ପ୍ରାଥମିକ ଚିକିତ୍ସା କରିଥିଲେ।

ବାରଙ୍ଗ-ଭୁବନେଶ୍ୱର-ବାଙ୍କୀ-ଚନ୍ଦକା-କଟକକୁ ସଂଯୋଗ କରୁଥିବା ଏହି ମୁଖ୍ୟରାସ୍ତାରେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟୁଥିବାରୁ ଲୋକମାନେ ବାରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି।ହେଲେ ବିଡ଼ମ୍ବନାର ବିଷୟ ଅନେକ ସମୟରେ ଡାକ୍ତର କିମ୍ବା ଡ୍ରେସରଙ୍କ ଦେଖା ମିଳୁନାହିଁ।ଯାହା ଫଳରେ ଗୁରୁତର ରୋଗୀ ହନ୍ତସନ୍ତ ହୋଇ ଫେରୁଛନ୍ତି। ଗତ ନଭେମ୍ବର ୨୨ ତାରିଖରେ ଜିଲ୍ଲା ଆଇନସେବା ପ୍ରାଧିକରଣର ଏକ ୪ ଜଣିଆ ଟିମ୍ ଅଚାନକ ବାରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଥିଲେ।ସେହି ସମୟରେ ସେଠାରେ ଆୟୁଷ ଡାକ୍ତର,ମୁଖ୍ୟ ଡାକ୍ତରଙ୍କ ସମେତ ଡ୍ରେସରଙ୍କ ଦେଖା ନଥିଲା।ଯାହାକୁ ନେଇ ଟିମ ଅସନ୍ତୋଷ ବ୍ୟକ୍ତ କରିଥିଲେ।ବାରମ୍ବାର ଡାକ୍ତର ଓ କର୍ମଚାରୀଙ୍କ ଆସିବାରେ ବିଳମ୍ବ ହେଉଥିବାରୁ ଅଞ୍ଚଳରେ ଜନ ଅସନ୍ତୋଷ ଦେଖାଦେଇଛି।(ଗୌତମ ରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.