ଜଟଣୀ,୬।୭(ଏସଏସନିଉଜ)ଅଭିଯୋଗକାରୀ ଅର୍ଣ୍ଣଦା ନାୟକଙ୍କ ଅଭିଯୋଗ କ୍ରମେ ଜଟଣୀଥାନା ପୁଲିସ ୨୯୦/୨୫ରେ ଏକ ମାମଲା ରୁଜୁକରି ତଦନ୍ତ କରିବା ସହ ଖୋର୍ଦ୍ଧା କେରଙ୍ଗର ସେଖ ମନୁଆର(୪୦) ଓ ଜଟଣୀ ତରାବୋଇର ଲାଲୁ ଅଲି (୨୫) ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛନ୍ତି ।
ସୂଚନାଯୋଗ୍ୟଯେ, ଗତ ୨ତାରିଖ ଦିନ ନିମ୍ନୋକ୍ତ ଦୁଇ ଅଭିଯୁକ୍ତ ଏବଂ ତାଙ୍କର ଅନ୍ୟ ଦୁଇସହଯୋଗୀ ଏକ ଜାଇଲୋ କାରରେ ଆସି ଜଟଣୀ ଥାନା ଅନ୍ତର୍ଗତ ବୁଦ୍ଧପଡ଼ା ଗ୍ରାମରେ ଥିବା ଅର୍ଣ୍ଣଦା ନାୟକଙ୍କ ଘରୁ ଦୁଇଟି ଗାଈ ଚୋରି କରିନେଇ ପଳାଇ ଯାଇଥିଲେ । ପୁନର୍ବାର ଗତ ୫ତାରିଖ ରାତି ପ୍ରାୟ ୪ ଟା ସମୟରେ ଏମାନେ ସେହି କାରରେ ଆସି ଅର୍ଣ୍ଣଦା ନାୟକଙ୍କ ଘରୁ ଅନ୍ୟ ଏକଗାଈ ଚୋରିକରି ନେଇଯାଇ ଥିଲେ ।ଚୋରି କରୁଥିବା ସମୟରେ ସେଖମନୁଆର ଓ ତାର ସହଯୋଗୀ ମାନେ ହାତରେ ଖଣ୍ଡା ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଧରିଥିବାରୁ ଅର୍ଣ୍ଣଦା ସେମାନଙ୍କୁ ବାଧା ଦେଇ ପାରିନଥିଲେ । ଅପରାଧୀମାନେ ବାରମ୍ବାର ଗାଈଚୋରୀ କରୁଥିବାରୁ, ଅର୍ଣ୍ଣଦା ସେମାନଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିଲେ ।
ଅଭିଯୋଗ ଆଧାରରେ ପୁଲିସ ମାମଲାର ତଦନ୍ତ କରିବା ସମୟରେ ୫ ତାରିଖ ସନ୍ଧ୍ୟାରେ ଅରଗୁଳର ଫାଟୁଆ ଗବେଷଣାକେନ୍ଦ୍ର ନିକଟରେ ଏକଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ, ବିଶେଷସୂତ୍ରରୁ ସୂଚନା ପାଇଥିଲେ । ପୁଲିସ ସୂଚନା ଆଧାରରେ ଘଟଣାସ୍ଥଳରେ ପହଞ୍ଚି, ଅର୍ଣ୍ଣଦାଙ୍କ ଘରୁ ଗାଈଚୋରୀରେ ବ୍ୟବହୃତ ହୋଇଥିବା ଉକ୍ତ ଜାଇଲୋଗାଡ଼ି ସହ ଆହତ ଅବସ୍ଥାରେଥିବା ଦୁଇଜଣ ଯୁବକଙ୍କୁ ସ୍ଥାନୀୟ ଲୋକମାନେ ଅଟକ ରଖିଥିବା ଦେଖିବାକୁ ପାଇଥିଲେ । ଛାନଭିନସମୟରେ ପୁଲିସ ଉକ୍ତ ଜାଇଲୋଗାଡ଼ିରେ ଲୋଡ୍ ହୋଇଥିବା ଗାଈକୁ ଉଦ୍ଧାର କରିବା ସହ ସମ୍ପୃକ୍ତ ଗାଡ଼ି ଓ ଗାଡିଭିତରେ ଥିବା ତିନୋଟିରଶି ଏବଂ ଗୋଟିଏ ଖଣ୍ଡାକୁ ଜବତ କରିଥିଲେ । ପରେ ଅର୍ଣ୍ଣଦା ଘଟଣାସ୍ଥଳକୁ ଆସି ନିଜ ଗାଈ ଓ ଗାଈ ଚୋରୀରେ ଜଡିତ ଗାଡ଼ିକୁ ମଧ୍ୟ ଚିହ୍ନଟ କରିଥିଲେ । ପୁଲିସ ଦୁଇଜଣଙ୍କୁ ଗିରଫ କରିଥିବାବେଳେ, ଉଭୟ ସେମାନଙ୍କ ଦୋଷ ସ୍ଵୀକାର କରିଥିଲେ ।
Prev Post
Next Post
