ବାରଙ୍ଗ, ୯।୫(ଏସଏସନିୟୁଜ) ଗୋଡିସାହି ମୁଣ୍ଡଳି ପୁରୀ ମୁଖ୍ୟକେନାଲ ବନ୍ଧ ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ଗୋରୁଚାଲାଣ କରୁଥିବା ଗୋଟିଏ କାରକୁ ଦୃର୍ବୁତ୍ତମାନେ ପୋଡ଼ିଦେବା ସହିତ ଜଣକୁ ହତ୍ୟା କରିଛନ୍ତି । ମୃତକ ହେଉଛନ୍ତି କଟକ ଦେୱନ ବଜାରର ଶେଖ୍ ରାହିଲ (୨୩)।ବାରଙ୍ଗ ଥାନା ପୋଲିସ ୨୪୩/୨୫ କେସ ନମ୍ୱରରେ ଏକ ହତ୍ୟା ମାମଲା ରୁଜୁକରି ଜଣେ ଯୁବକକୁ ଅଟକ ରଖି ପଚରାଉଚରା ଚଳାଇଛି।
ପ୍ରକାଶଯେ, ଶୁକ୍ରବାର ଭୋର ସମୟରେ ଗୋଡିସାହି ମୁଣ୍ଡଳି ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତାର କିଛି ଦୁରରେ ଥିବା କଣ୍ଟାବାସେଳୀ ମନ୍ଦିର ଜଙ୍ଗଲ ରାସ୍ତାରେ ଗୋଟିଏ କାର ଜଳୁଥିବାର କେନାଲକୁ ଗାଧୋଇବା ପାଇଁ ଆସୁଥିବା ସ୍ଥାନୀୟ ଲୋକମାନେ ଦେଖି ବାରଙ୍ଗ ଥାନାକୁ ସୂଚନା ଦେଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ କାଠ ଠେଙ୍ଗା, ରକ୍ତଭିଜା ଏକ ଷ୍ଟିଲ ପାଇପ୍, ଏବଂ ଗାଈମାନଙ୍କୁ ଚାଲାଣ କରାଯାଇଥିବା ରଶିକୁ ଜବତ କରିଛି। ଏହାସହ ଏକ ବୁଦା ପାଖରେ ପଡିଥିବା ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।ତେବେ ଗୋରୁ ଚାଲାଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଛି।(ଜିତ ରାଉତଙ୍କ ରିପୋର୍ଟ)

