ହଟିଲା ବଡ଼ଦାଣ୍ଡରୁ ବ୍ୟାରିକେଡ୍,ଆଉ ଦର୍ଶନ ପାଇ ଲମ୍ବା ଲାଇନ ଦରକାର ନାହି

0 387

ପୁରୀ,୨୫/୧(ଏସଏସନିୟୁଜ) ବଡ଼ଦାଣ୍ଡରୁ ହଟିଲା ବ୍ୟାରିକେଡ୍। ମହାପ୍ରଭୁଙ୍କ ଦର୍ଶନରେ ଧାଡ଼ି ବ୍ୟବସ୍ଥା କୋହଳ ହୋଇଛି। ଜଗନ୍ନାଥ ବଲ୍ଲଭରୁ ମରିଚିକୋଟ ଯାଏ ବ୍ୟାରିକେଡ ହଟାଯାଇଛି । ଏହାଦ୍ୱାରା ଶ୍ରୀମନ୍ଦିରକୁ ଯିବା ପାଇଁ ଆଉ ଶ୍ରଦ୍ଧାଳୁଙ୍କୁ ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ କି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଦର୍ଶନ ବ୍ୟବସ୍ଥାକୁ ଅଧିକ ସହଜ କରିବାକୁ ଏହି ବ୍ୟାରିକେଡ୍ ହଟାଯାଇଛି । ବ୍ୟାରିକେଡ୍ ଖୋଲିବା ପରେ କେବଳ ଦର୍ଶନ ବ୍ୟବସ୍ଥା ସହଜ ହୋଇଛି , ତାହା ନୁହେଁ ବରଂ ଏଇ ବାଟ ଦେଇ ଯିବାଆସିବା କରୁଥିବା ପୁରୀବାସୀ ମଧ୍ୟ ହଇରାଣ ହେବାରୁ ରକ୍ଷା ପାଇଛନ୍ତି ।
ଆଗରୁ ଜଗନ୍ନାଥ ବଲ୍ଲଭଠାରୁ ମରିଚିକୋଟ ଯାଏ ପ୍ରାୟ ୧ କିଲୋମିଟର ଯାଏଁ ବ୍ୟାରିକେଡ ଲଗାଯାଇଥିଲା । ଏହାଦ୍ୱାରା ଭକ୍ତମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ବିଶେଷ କରି ବୟସ୍କ ଓ ଛୋଟ ଛୁଆମାନଙ୍କୁ ଅଧିକ ବାଟ ଚାଲିବାକୁ ପଡୁଥିଲା । ସହଜ ଦର୍ଶନରେ ଏହି ବ୍ୟାରିକେଡ୍ ସମସ୍ୟା ମଧ୍ୟ ସୃଷ୍ଟି କରୁଥିଲା । ଜାନୁଆରୀ ୨୧ ଠାରୁ ବିନା କୋଭିଡ ରିପୋର୍ଟରେ ଜଗା ଦର୍ଶନ ଆରମ୍ଭ ହେବା ପରେ ବଡ଼ ଠାକୁରଙ୍କୁ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସୁଅ ଛୁଟୁଛି । କୋଭିଡ୍ କଟକଣାରେ କିଛିଟା କୋହଳ କରିବା ସହ ମହାପ୍ରଭୁଙ୍କ ଦର୍ଶନ ଲାଗି ଖୋଲା ବ୍ୟବସ୍ଥା ହୋଇଥିଲା । ତେବେ ସାମାଜିକ ଦୂରତା, ମାସ୍କ ଏବଂ ଏସ୍ଓପି ମାନିବାକୁ ଭକ୍ତମାନଙ୍କୁ ପରାମର୍ଶ ଦିଆଯାଇଛି। ତେବେ ମାତ୍ରାଧିକ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମାର୍କେଟ ଛକରୁ ଶ୍ରୀମନ୍ଦିର ଯାଏ ବାରିକେଡ କରାଯାଇଥିଲା। ତେଣୁ ଏହାକୁ ଆଜିଠାରୁ ହଟାଇ ଦିଆଯାଇଛି ।

Leave A Reply

Your email address will not be published.