ବାରଙ୍ଗ,୨୦।୬(ଏସଏସନିଉଜ)ବର୍ଷା ଦିନ ଆସିଥିବାରୁ ସାମାନ୍ୟ ବର୍ଷାରେ ରାଜରାସ୍ତା ଏବେ ଖାଲଖମାରେ ପରିପୂର୍ଣ୍ଣ ହୋଇଛି।ବର୍ଷା ପାଣି ଜମି ବଡ ଗର୍ତ୍ତ ମଧ୍ୟ ସୃଷ୍ଟି ହେଉଛି । ଯାହାଫଳରେ ପ୍ରତ୍ୟେକ ଦିନ ଛୋଟବଡ ଦୃଘଟଣା ଘଟି ଧନଜୀବନ କ୍ଷତି ହେଉଛି। ଅଭିଯୋଗ କଲେ ଶୁଣିବାକୁ କେହି ନାହିଁ। ବାରମ୍ବାର ଯୁବଗୋଷ୍ଟି ଠୁ ଆରମ୍ଭ କରି ସ୍ଥାନୀୟ ଲୋକେ ଏ ଅଫିସ୍ ରୁ ସେ ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଯାଇଥିଲେ ମଧ୍ୟ କେହି ଶୁଣିଲେନି । ଶେଷରେ ଯୁବଗୋଷ୍ଠୀ ଏକାଠି ହୋଇ ନିଜ ଖର୍ଚ୍ଚରେ ରାସ୍ତା ମରାମତି କରିବା ଘଟଣା ଶୁକ୍ରବାର ଅପରାହ୍ନ ରେ ଦେଖିବାକୁ ମିଳିଛି। ଏ କେଉଁ ଉପାନ୍ତ ଅଞ୍ଚଳର ଘଟଣା ନୁହେଁ। ଏ ହେଉଛି ରାଜଧାନୀ ଭୁବନେଶ୍ଵର ଓ ପୁରୁଣା ରାଜଧାନୀ କଟକ ମଝିରେ ରହିଥିବା ବାରଙ୍ଗ ଅଞ୍ଚଳର ଘଟଣା ।ଏଭଳି ଦୃଶ୍ୟ ବାରଙ୍ଗ ମୁଣ୍ଡଳୀ ବ୍ୟାରେଜ୍ ରେ ଦେଖିବାକୁ ମିଳିଛି। ଲଘୁଚାପ ବର୍ଷାରେ ବାରଙ୍ଗର ରାସ୍ତାରେ କେତେକ ସ୍ଥାନରେ ରାସ୍ତାଗୁଡିକ ଖାଲଖମାରେ ପରିଣତ ହେବା ସହିତ ମୁଣ୍ଡଲି ବ୍ୟାରେଜ ଉପରେ ମଧ୍ୟ ଏକ ଗର୍ତ ସୃଷ୍ଟି ହୋଇଥିଲା ପର୍ୟ୍ୟାୟ କ୍ରମେ ଏହାକୁ ମରାମତି ନକରିବାରୁ ଧୀରେ ଧୀରେ ଗର୍ତ ପରିମାଣ ବଢ଼ି ସାଧାରଣ ଲୋକଙ୍କ ପାଇଁ ଦୁର୍ଘଟଣାର କାରଣ ସାଜିଥିଲା। ଫଳସ୍ୱରୁପ ଏହି ସ୍ଥାନ ଯାତାୟାତରେ ବାଧକ ସାଜିଥିଲା।ଏହାସହ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟିବା ନିତିଦିନିଆ ଘଟଣା ପାଲଟିଥିଲା। ଏହି ଖାଲକୁ ମରାମତି କରିବା ପାଇଁ ସ୍ଥାନୀୟ ଗ୍ରାମବାସୀ ମାନେ ପର୍ୟ୍ୟାୟକ୍ରମେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା।ଶେଷରେ ବାଧ୍ୟ ହୋଇ ସ୍ଥାନୀୟ ଗ୍ରାମର କେତେକ ସଚେତନ ନାଗରିକ ଯୁବଗୋଷ୍ଠୀ ମାନଙ୍କୁ ନେଇ ନିଜ ଉଦ୍ୟମରେ ହାତରୁ ଖର୍ଚ୍ଚ କରି ଶୁକ୍ରବାର ଅପରାହ୍ନରେ ମହାନଦୀ ମୁଣ୍ଡଳି ବ୍ୟାରେଜ ଉପରେ ହୋଇଥିବା ବିରାଟ ଖାଲକୁ ସିମେଣ୍ଟ କଂକ୍ରିଟ ଦେଇ ପୋତିଥିବାର ଦେଖିବାକୁ ମିଳିଥିଲା। ଏହି ଘଟଣା ପରେ ସବୁଆଡୁ ପ୍ରଶଂସାର ସୁଅ ଛୁଟିଥିବାର ଜଣାପଡିଛି ।(ଶଶିକାନ୍ତ ନାୟକଙ୍କ ରିପୋର୍ଟ)
