ବାରଙ୍ଗ,୧୩।୭(ଏସଏସନିଉଜ)ବିଳମ୍ୱିତ ରାତିରେ କେହି ଦୁର୍ବୃତ ନିଆଁ ଲଗାଇଦେବାରୁ ଗୋଟିଏ ବଖରା ଚାଳଘର ଜଳିଯାଇଛି।ବୃଦ୍ଧ ଜଣଙ୍କ ଷୌଭାଗ୍ୟ ବଶତଃ ବର୍ତ୍ତି ଯାଇଛନ୍ତି। ନନ୍ଦନକାନନ ଥାନା ଅଧୀନସ୍ଥ କଣ୍ଟୁଣିଆ ଗ୍ରାମ ଭୋଇ ସାହିରେ ଘଟିଛି ଏଭଳି ଘଟଣା।
ପ୍ରକାଶ ଯେ, ରବିବାର ରାତି ପ୍ରାୟ ୧୨ ଟା ସମୟରେ କଣ୍ଟୁଣିଆ ଗ୍ରାମ ଭୋଇ ସାହିର ଭାଗ୍ୟଧର ଭୋଇ ଶୌଚ ହେବାପାଇଁ ବାହାରକୁ ଉଠିଥିଲେ। ଶୌଚ ସାରି ସେ ଶୋଉଥିବା ଚାଳ ଘରକୁ ଯିବା ସମୟରେ ଚାଳଘରୁ ଧୂଆଁ ବାହାରୁଥିବାର ଦେଖିବାକୁ ପାଇଥିଲେ।କିଛି ଚିନ୍ତା କରିବା ପୂର୍ବରୁ ସଙ୍ଗେ ସଙ୍ଗେ ନିଆଁ ବ୍ୟାପି ଯାଇଥିଲା। ବୃଦ୍ଧ ଜଣକ ଚିତ୍କାର କରି ପଡୋଶୀମାନେ ଆସି କୂଅ ଏବଂ ନଳକୂଅରୁ ପାଣି ଆଣି ନିଆଁ ଲିଭାଇବା ପାଇଁ ଉଦ୍ୟମ କରିଥିଲେ। ଅଗ୍ନିଶମ ବାହିନୀକୁ ମଧ୍ୟ ଖବର ଦିଆଯାଇଥିଲା। ଦୀର୍ଘ ସମୟ ଧରି ଲୋକମାନେ ପାଣି ଢ଼ାଳି ନିଆଁ ଲିଭାଇଥିଲେ। ପରେ ଦମକଳ ବାହିନୀ ପହଞ୍ଚି ସମ୍ପୂର୍ଣ୍ଣ ନିଆଁକୁ ଆୟତ୍ତ କରିଥିଲେ। ତେବେ ଯେଉଁ ବଖରାରେ ନିଆଁ ଲାଗିଥିଲା ସେହି ଘରେ ଥିବା ଧାନ,ଚାଉଳ, ଆସବାବପତ୍ର ସବୁ ପୋଡ଼ି ଯାଇଥିଲା। ତେବେ ଏହି ଘରେ କୌଣସି ବିଦ୍ୟୁତ୍ ସଂଯୋଗ ନଥିଲା କିମ୍ବା ଚାଳ ଉପରେ କୌଣସି ବିଦ୍ୟୁତ୍ ତାର ଯାଇନଥିଲା। ଏହା ସତ୍ତ୍ୱେ କିପରି ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି। କେହି ଦୁର୍ବୃତ ବିଳମ୍ୱିତ ରାତିରେ ନିଆଁ ଲଗାଇ ଦେଇଥିବା ଅନୁମାନ କରୁଛନ୍ତି ଭାଗ୍ୟଧର।
ସେ ଅତ୍ୟନ୍ତ ଗରିବ ଓ ଦଳିତ ଶ୍ରେଣୀର ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି
Prev Post
Next Post
