ଜୋ ବିଡେନ୍ ପ୍ରଶାସନକୁ ଶୁଭେଚ୍ଛା ଜଣାଇଲେ ଟ୍ରମ୍ପ୍, ନୂଆ ରାଜନୈତିକ ଦଳ ଗଠନ ନେଇ ଚର୍ଚ୍ଚା

0 287

ଓ୍ବାଶିଂଟନ୍ ୨୦।୧(ସତ୍ୟସନ୍ଧାନ ଡେସ୍କ)ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି । କିଛି ଘଣ୍ଟା ପରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ୍ ଶପଥ ନେବେ । ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ୍ ଶେଷ ଥର ପାଇଁ ଆମେରିକାବାସୀଙ୍କୁ ସମ୍ବୋଧନ କରିଛନ୍ତି । ଟ୍ରମ୍ପ୍ ତାଙ୍କ ବିଦାୟୀ ଭାଷଣରେ ଦେଶକୁ ସୁରକ୍ଷିତ ରଖିବା ଏବଂ ସମୃଦ୍ଧ କରିବାରେ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ୍ ର ପ୍ରଶାସନ ସଫଳ ରହିବାର ପ୍ରାର୍ଥନା କରିଛନ୍ତି । ଏହାସହ ସେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ୍ ଙ୍କୁ ଶୁଭକାମନା ଦେଇଛନ୍ତି । ଏପର୍ଯ୍ୟନ୍ତ ଟ୍ରମ୍ପ୍ ବିଡେନ୍ ଙ୍କୁ ସାମ୍ନାସାମ୍ନି ଶୁଭେଚ୍ଛା ଜଣାଇନାହାନ୍ତି ।
ଟ୍ରମ୍ପ୍ କହିଛନ୍ତି, ଆମେରିକାବାସୀଙ୍କୁ ଏକଜୁଟ ହେବାକୁ ପଡିବ । ପକ୍ଷପାତପୂର୍ଣ୍ଣ ବିବାଦ ଭାବନାରୁ ଉର୍ଦ୍ଧ୍ବରେ ରହିବା ଉଚିତ୍ । ଟ୍ରମ୍ପଙ୍କ ଏହି ବିଦାୟୀ ଭାଷଣ ମଙ୍ଗଳବାର ଦିନ ହ୍ବାଇଟ୍ ହାଉସ୍ ଜାରି କରିଛି । ଟ୍ରମ୍ପ ଆହୁରି କହିଛନ୍ତି ରାଷ୍ଟ୍ରପତି ପଦ ସମ୍ଭାଳିବା ଏକ ଏଭଳି ସମ୍ମାନ ଯାହାର ବାଖ୍ୟା କରାଯାଇପାରିବନାହିଁ । ଏଭଳି ଅଦ୍ଭୁଦପୂର୍ବ ବିଶେଷ ଅଧିକାର ପାଇଁ ଆପଣମାନଙ୍କୁ ଧନ୍ୟବାଦ ।
ଏହି ସମୟରେ ଆକଳନ କରାଯାଉଛି ଯେ, ଟ୍ରମ୍ପ୍ ଏବେ ନିଜ ରାଜନୈତିକ ଦଳ ଗଠନ କରିବା ନେଇ ଘୋଷଣା କରିପାରନ୍ତି । କାରଣ ତାଙ୍କ ଦଳର ନେତା ଏବେ ତାଙ୍କୁ ସମର୍ଥନ କରୁନାହାନ୍ତି ।ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ପତ୍ନୀ ମେଲାନିଆ ବୁଧବାର ସକାଳେ ହ୍ବାଇଟ୍ ହାଉସ୍ ଛାଡି ଫ୍ଲୋରିଡା ସ୍ଥିତ ନିଜ ବାସଭବନକୁ ଯାଇଛନ୍ତି । ଏହି ସମୟରେ ସେ ଓ୍ବାଶିଂଟନ୍ ଡିସି ବାହାରେ ଏକ ବିଦାୟୀକାଳୀନ ସଭାରେ ଯୋଗଦେବେ । ଟ୍ରମ୍ପ୍ ଏବଂ ତାଙ୍କ ପତ୍ନୀ ମେଲାନିଆ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ୍ ଙ୍କ ଶପଥଗ୍ରହଣ ସମାରୋହରେ ସାମିଲ ହେବେନାହିଁ ।

Leave A Reply

Your email address will not be published.