କାଳିଆ ଯୋଜନାର ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

0 68

ଭୁବନେଶ୍ଵର,୧୨/୨(ସତ୍ୟସନ୍ଧାନଡେସ୍କ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏ କାଳିଆ ସହାୟତା ପ୍ରଦାନ କରିଛନ୍ତି। ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଟଙ୍କା ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ପ୍ରଦାନ କରାଯାଇଛି।
ସୂଚନାଯୋଗ୍ୟ ଯେ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ମାନଙ୍କୁ କୃଷି ଓ ଆନୁଷାଙ୍ଗିକ କାର୍ଯ୍ୟରେ ସହାୟତା କରିବା ପାଇଁ ୨୦୧୯ ମସିହାରେ କାଳିଆ ଯୋଜନା ଆରମ୍ଭ ହୋଇଥିଲା । ଏହି ଯୋଜନା ଆଜି ଜାତୀୟ ସ୍ତରରେ ଏକ ଆଦର୍ଶ ଯୋଜନା ହୋଇପାରିଛି । ବିଶ୍ବବ୍ୟାଙ୍କ ତଥ୍ୟ ଅନୁଯାୟୀ କାଳିଆ ଯୋଜନା କାର୍ଯ୍ୟକାରୀ ହେବା ପରେ ପୂର୍ବ ବର୍ଷ ଅପେକ୍ଷା ଚାଷୀ ମାନଙ୍କ ଋଣ ଭାର ଅପେକ୍ଷାକୃତ କମିପାରିଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ମୁଁ ଚାହେଁ, ମୋ ରାଜ୍ୟର ଚାଷୀ ତାର ଉତ୍ପାଦିତ ଜିନିଷର ଉଚିତ୍ ମୂଲ୍ୟ ପାଉ। ମୁଁ ଚାହେଁ, ଚାଷୀର ରୋଜଗାର ବଢୁ । ତାର ଜୀବନଧାରଣ ମାନରେ ଉନ୍ନତି ଆସୁ। ମୁଁ ଚାହେଁ ମୋ ରାଜ୍ୟର ଚାଷୀ ସମ୍ମାନର ସହ ବଞ୍ଚୁ । ଏହି ଲକ୍ଷ୍ୟ ନେଇ ମୁଁ କାମ କରୁଛି।କୃଷି ଆମ ଅର୍ଥନୀତିର ମୁଖ୍ୟ ଶକ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ କରୋନା ସମୟରେ ଅର୍ଥନୀତିର ସବୁ କ୍ଷେତ୍ର ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। କିନ୍ତୁ, ଆମର ଚାଷୀଭାଇ ମାନଙ୍କ ସାହସ ଓ ପରିଶ୍ରମ କୃଷି କ୍ଷେତ୍ରରେ ଉନ୍ନତି ଆଣିଛି ବୋଲି ମତବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀଭାଇ ସଂଜୀବନୀ ପରି ଦେଶର ଅର୍ଥନୀତିକୁ ରକ୍ଷା କରିପାରିଛି । ‘ଚାଷୀର ତ୍ୟାଗକୁ, ତାର ପରିଶ୍ରମକୁ ମୁଁ ପ୍ରଣାମ କରୁଛି’ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଚାଷୀଙ୍କ ପାଇଁ ଆରମ୍ଭରୁ ସେ କାମ କରିଆସିଛନ୍ତି ଏବଂ କରିଚାଲିବେ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ଭଲ ରହିଲେ ଦେଶ ଓ ସମାଜ ଭଲରେ ରହିବ। ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ଚାଷୀଭାଇ ପାଇଁ ବିଭିନ୍ନ ଯୋଜନା କରିଆସୁଛନ୍ତି ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ MSPକୁ ଦୁଇ ଗୁଣ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟରେ ବାରମ୍ବାର ଦାବୀ କରିଆସୁଛନ୍ତି । ଏହାସହିତ କୃଷିଜାତ ଜିନିଷ ପାଇଁ Marketing Infrastructureକୁ ସୁଦୃଢ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ସେ କହିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲ୍ଲାରେ ଉପସ୍ଥିତ ଥିବା ଚାଷୀମାନଙ୍କ ସହିତ କାଳିଆ ସହାୟତା ସଂପର୍କରେ ଆଲୋଚନା କରିଥିଲେ । କୃଷି ମନ୍ତ୍ରୀ ଶ୍ରୀ ଅରୁଣ ସାହୁ ,କୃଷି ବିଭାଗର ପ୍ରମୁଖ ସଚିବ ଶ୍ରୀ ସୌରଭ ଗର୍ଗ ,ମୁଖ୍ୟଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଶ୍ରୀ ଆର୍‌.କେ. ଶର୍ମା ଓ ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.