ନନ୍ଦନକାନନ: ବେପରୁଆ ବ୍ୟାଟେରୀ ଗାଡି

ଧକ୍କାଦେଲା ପର୍ଯ୍ୟଟକଙ୍କୁ

ବାରଙ୍ଗ୧୩|୯(ଏସଏସନିଉଜ)  ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ରବିବାର ଏକ ଅଘଟଣ ଘଟିଛି। ପର୍ଯ୍ୟଟକଙ୍କ ପାଇଁ ଚାଲୁଥିବା ବ୍ୟାଟେରୀ ଚାଳିତ ଗାଡିର ବେପରୁଆ ଚାଳନା ଯୋଗୁଁ ଜଣେ ପର୍ଯ୍ୟଟକ ଗୁରୁତର ଆହତ ହୋଇଛନ୍ତି।
ପ୍ରକାଶ ଯେ, ରବିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ପ୍ରାଣୀଉଦ୍ୟାନ ଭିତର ନର୍ଥ ଇଷ୍ଟ୍ ପନୋରମା ଠାରେ ମୁଖ୍ୟ ରାସ୍ତାରେ ପର୍ଯ୍ୟଟକ ଚାଲି ଚାଲି ଜୀବଜନ୍ତୁ ଦେଖୁଥିବା ବେଳେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ବ୍ୟାଟେରୀ ଗାଡି ଧକ୍କା ଦେଇଥିଲା। ଧକ୍କାରେ ପର୍ଯ୍ୟଟକ ଜଣକ ତଳେ ପଡି ଆହତ ହୋଇଥିଲେ। ତାଙ୍କ ଗୋଡ ଓ ମୁଣ୍ଡରେ ଆଘାତ ଲାଗିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗାଡି ଚାଳକ ବହୁତ ଦ୍ରୁତ ଗତିରେ ଗାଡି ଚଲାଉଥିଲେ ଏବଂ ହର୍ଣ ମଧ୍ୟ ଦେଇ ନଥିଲେ। ସେଠାରେ ଉପସ୍ଥିତ ଅନ୍ୟ ପର୍ଯ୍ୟଟକମାନେ ତୁରନ୍ତ ଉଦ୍ୟାନ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ।ଆହତ ପର୍ଯ୍ୟଟକ ଙ୍କୁ ପ୍ରଥମେ ନନ୍ଦନକାନନ ଭିତରେ ଥିବା ପ୍ରାଥମିକ ଚିକିତ୍ସା କେନ୍ଦ୍ର ଏବଂ ପରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି।
ଏନେଇ ପର୍ଯ୍ୟଟକଙ୍କ ଅଭିଯୋଗଯେ, ନନ୍ଦନକାନନ ଭିତରେ ଚାଲୁଥିବା ବ୍ୟାଟେରୀ ଗାଡି ଗୁଡିକର ନା ଅଛି ଗତି ସୀମା, ନା ଅଛି ସଠିକ୍ ତାଲିମପ୍ରାପ୍ତ ଡ୍ରାଇଭର। ଭିଡ ସମୟରେ ଏହା ଅଧିକ ବିପଦଜନକ ହେଉଛି।ଯାହାକି ପର୍ଯ୍ୟଟକ ମାନଙ୍କ ପାଇଁ କାଳ ସାଜୁଛି।ନନ୍ଦନକାନନରେ ମାଳମାଳ ରେଞ୍ଜର,ପୁଣି ପର୍ଯ୍ୟଟକ ପରିଚାଳନା ପାଇଁ ଜଣେ ଏସିଫ ଦାୟିତ୍ୱରେ ଅଛନ୍ତି।ଏହାସତ୍ତ୍ୱେ କୌଣସି ଅଙ୍କୁଶ ନ ରହିବାରୁ  ପର୍ଯ୍ୟଟକମାନଙ୍କ ପାଇଁ ବ୍ୟାଟେରୀ ଗାଡିର ଦୃତ ଚାଳନା ବିପଦ ସାଜିଛି।ତେବେ ଏ ନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

- Advertisement -

Leave A Reply

Your email address will not be published.