ନନ୍ଦନକାନନ ପାଲିଲା ଅନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ

ଭୁବନେଶ୍ୱର,୬।୯(ଏସଏସନିଉଜ) ବିଶ୍ୱବ୍ୟାପୀ ଶାଗୁଣାଙ୍କ ସଂଖ୍ୟାର ଉଦବେଗଜନକ ହ୍ରାସ, ସେମାନଙ୍କର ସଂରକ୍ଷଣର ଜରୁରୀ ଆବଶ୍ୟକତା ଏବଂ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ପରିବେଶଗତ ଭୂମିକାକୁ ଉଜାଗର କରିବା ପାଇଁ ଶନିବାରଦିନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅନ୍ତର୍ଜାତୀୟ ଶାଗୁଣା ସଚେତନତା ଦିବସ ପାଳିତ ହୋଇଯାଇଛି ।ଏଥିନିମନ୍ତେ ନନ୍ଦନକାନନ ସରକାରୀ ଉଚ୍ଚ ବିଦ୍ୟାଳୟର ଷଷ୍ଠରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ୧୦୦ ରୁ ଅଧିକ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା, କୁଇଜ୍ ପ୍ରତିଯୋଗୀତା ବିଦ୍ୟାଳୟରେ କରାଯାଇଥିଲା ।ଏହାସହ ଶାଗୁଣା ସଂରକ୍ଷଣ ଉପରେ ଏକ ପାୱାର ପଏଣ୍ଟ ଉପସ୍ଥାପନାରେ ମଧ୍ୟ ପିଲାମାନେ ଅଂଶଗ୍ରହଣ କରିଥିଲେ।ଚିଡ଼ିଆଖାନା ପରିସରରେ ପରିଦର୍ଶକମାନଙ୍କୁ ନେଇ ଅନ-ଦି-ସ୍ପଟ କୁଇଜ୍ ପ୍ରତିଯୋଗୀତା ମଧ୍ୟ କରାଯାଇଥିଲା ।ପିଲାମାନଙ୍କ ପାଇଁ ଖେଳମାଧ୍ୟମରେ ଶାଗୁଣା ସଂରକ୍ଷଣର ସଚେତନତାର ବାର୍ତା ଦିଆଯାଇଥିଲା ।ଏହାସହ ଜନ୍ତୁରକ୍ଷକମାନେ ଶାଗୁଣାର ସମାଜପାଇଁ ଥିବା ଆବଶ୍ୟକ ଉପରେ ପର୍ଯ୍ୟଟକମାନଙ୍କୁ ବୁଝାଇଥିଲେ ।ଏହିଅବସରରେ ଶାଗୁଣାର ଜତ୍ନ ନେଉଥିବା ଜନ୍ତୁରକ୍ଷକ ବିଦ୍ୟାଧର ନାଏକ, ସିଦ୍ଧି ବୁଲିଉଲି, ସୁମିତ୍ରା ସାମଲ, କପିଳ ନାୟକ ଏବଂ ରିଜୁଆନ୍ ଅଲିଙ୍କୁ ସେମାନଙ୍କର ଉତ୍ସର୍ଗୀକୃତତା ଏବଂ ଅକ୍ଲାନ୍ତ ପ୍ରୟାସ ପାଇଁ ସମ୍ମାନିତ କରାଯାଇଥିଲା।

- Advertisement -

Leave A Reply

Your email address will not be published.