ନନ୍ଦନକାନନରେ ମୁଖ୍ୟ ଶାସନ ସଚିବ

ଉନ୍ନୟନମୂଳକ କାର୍ୟ୍ୟର କଲେ ସମୀକ୍ଷା

0 138

ବାରଙ୍ଗ,୧୦/୧୨(ଏସଏସନିଉଜ) ମୁଖ୍ୟଶାସନସଚିବ ସୁରେଶଚନ୍ଦ୍ରମହାପାତ୍ର ଶନିବାରଦିନ ନନ୍ଦନକାନନ ପ୍ରାଣୀଉଦ୍ୟାନ ଗସ୍ତକରି ସେଠାରେ  ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ସମୀକ୍ଷା କରିଛନ୍ତି । ପର୍ୟ୍ୟଟକମାନଙ୍କ ନିମନ୍ତେ ଆନୁଷଙ୍ଗିକବ୍ୟବସ୍ଥା ଓ ଉନ୍ନତିମୂଳକ କାର୍ୟକୁ ତ୍ବରାନ୍ବିତକରିବାକୁ ଅଧିକାରୀମାନଙ୍କୁ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟଶାସନସଚିବ ପ୍ରଥମେ ଚୁଡଙ୍ଗ ସଂରକ୍ଷିତ ଓ କୃଷ୍ଣନଗର ପ୍ରସ୍ତାବିତ ଜଙ୍ଗଲଅଞ୍ଚଳ ବୁଲିଦେଖିଛନ୍ତି । ଉଭୟ ଜଙ୍ଗଲର ୬୦୪ ହେକ୍ଟର ଜମିରେ ନନ୍ଦନକାନନକୁ  ସଂପ୍ରସାରିତ  ହୋଇ  ଏହି ଅଞ୍ଚଳରେ ନାଇଟ ସଫାରି ଓ ପକ୍ଷୀସରଣୀ ନିର୍ମାଣ ହେବ । ଏହି କାର୍ୟ୍ୟକୁ ତ୍ବାରନ୍ବିତ କରିବାକୁ  ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ପରେ ବଟାନିକାଲ ଗାର୍ଡେନ ଯାଇ ବିଭିନ୍ନ କାର୍ୟ୍ୟର ସମୀକ୍ଷା କରିଥିଲେ ।ରୋପୱେକୁ ଆସନ୍ତା ଏକମାସ ମଧ୍ୟରେ କାର୍ୟ୍ୟକ୍ଷମ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।  ରୋପୱେରେ ଦୈନିକ ପ୍ରାୟ ୩ ହଜାର ପର୍ୟ୍ୟଟକ ଯିବା ଆସିବାର ବ୍ୟବସ୍ଥା କରାଯାଉଛି । ଏହାଦ୍ବାରା ପର୍ୟ୍ୟଟକମାନେ ବଟାନିକାଲ ଓ ନନ୍ଦନକାନନ   ମଧ୍ୟରେ ସିଧାସଳଖ ଭାବେ  ଯିବା ଆସିବା କରିପାରିବେ ।   ସେହିଭଳି ୯ କୋଟି ଟଙ୍କା ବିନିମୟରେ ବଟାନିକାଲ ଗାର୍ଡେନ ମଧ୍ୟସ୍ଥ କିଆକଣି ହ୍ରଦର ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ । ଏହି ହ୍ରଦରେ ପର୍ୟ୍ୟଟକ ମାନଙ୍କ ମନୋରଞ୍ଜନ ନିମନ୍ତେ ବୋଟିଂ ବ୍ୟବସ୍ଥା ମଧ୍ୟ କରାଯିବ ।  ବଟାନିକାଲ ଗାର୍ଡେନ ସମ୍ମୁଖ  ନୂତନ ଗେଟ ନିର୍ମାଣ, ସଂଲଗ୍ନ ରାସ୍ତା, ଶୌଚାଳୟ, ପାଦଚଲା ରାସ୍ତା ନିର୍ମାଣ ସଂପର୍କରେ ଅବଗତ ହେବା ସହ ନିର୍ମାଣ କାର୍ୟ୍ୟକୁ ତ୍ବରାନିତ କରିବାକୁ ସେ ପରାମର୍ଶ ଦେଇଥିଲେ ।

ଏହାପରେ ପ୍ରାଣୀ ଉଦ୍ୟାନରେ ଥିବା ଟୟଟ୍ରେନ, ପ୍ରସ୍ଥାନ ସ୍ଥାନର ନିର୍ମାଣ କାର୍ୟ୍ୟ, ପର୍ୟ୍ୟଟନ ସହାୟତା କେନ୍ଦ୍ର ମଧ୍ୟ ବୁଲି ଦେଖିଥିଲେ । ବହୁତଳପାର୍କିଂ ଓ ବସଷ୍ଟାଣ୍ଡରେ ହେଉଥିବା ବସ ପାର୍କିଂ ବ୍ୟବସ୍ଥାର ମଧ୍ୟ ଯାଞ୍ଚ କରିଥିଲେ । ନନ୍ଦନକାନନର ଆଧୁନିକିକରଣ ନିମନ୍ତେ ଖୁବଶୀଘ୍ର ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶକଙ୍କୁ ସେ ପରାମର୍ଶ ଦେଇଛନ୍ତି । ଆସନ୍ତା ଏକ ବର୍ଷ ମଧ୍ୟରେ ଏହି ଆଧୁନିକୀକରଣ ଶେଷ ହେବା ନେଇ ମହାପାତ୍ର ସୂଚନା ଦେଇଛନ୍ତି ।ଏହି ଅବସରରେ ନନ୍ଦନକାନନ ନିର୍ଦ୍ଦେଶକ ଡଃ ମନୋଜ ଭି. ନାୟାର, ଉପନିର୍ଦ୍ଦେଶକ ଡଃ ସଞ୍ଜିତ୍ କୁମାର, ଖୋର୍ଦ୍ଧା ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ବହୁ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.