ଓଡ଼ିଶା ଛୁଇଁଲା ମୌସୁମୀ ,୧୪ ଯାଏଁ ପ୍ରବଳ ବର୍ଷା

0 506

ଭୁବନେଶ୍ୱର,୧୦/୬(ଏସଏସନିୟୁଜ) ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ବାୟୁ ଓଡ଼ିଶା ପହଞ୍ଚିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏବର୍ଷ ଆକଳନ ଅନୁସାରେ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାରେ ପ୍ରବେଶ କରିଛି । ଏହାର ପ୍ରଭାବରେ ରାଜ୍ୟରେ ପାଗ ମେଘୁଆ ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆଜିଠାରୁ ରାଜ୍ୟରେ ବର୍ଷା ହେବ । ୧୦ରୁ ୧୪ ଯାଏଁ ପ୍ରବଳ ବର୍ଷା ଲାଗି ରହିବ । ଏଥିପାଇଁ ବିଭିନ୍ନ ଜିଲ୍ଲାରୁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ , କେନ୍ଦୁଝର, ମୟୁରଭଞ୍ଜ,ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଆଦି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗୁରୁବାରଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ଆଶଙ୍କା ରହିଥିବା ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଅପରପକ୍ଷରେ ବଡ ବର୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆରସି) ପ୍ରଦୀପ କୁମାର ଜେନା ରାଜ୍ୟର ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ୍ କମିଶନରଙ୍କୁ ଚିଠି କରିଛନ୍ତି । ବର୍ଷା ଯୋଗୁ କେତେକ ଜାଗାରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି । ତେଣୁ ସେହି ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ କୁହାଯାଇଛି । ଲୋକଙ୍କୁ ସ୍ଥାନାନ୍ତରଣ ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି । ପାଣି ଜମିବା ସହ ବିଭିନ୍ନ ନଦୀରେ ବନ୍ୟା ସମ୍ଭାବନା ରହିଛି । ଡଙ୍ଗା ଓ ଯନ୍ତ୍ରାଂଶ ସହ ଅଗ୍ନିଶମ ବାହିନୀକୁ ପ୍ରସ୍ତୁତ ରଖିବା ସହ ଏହାର ମୁକାବିଲା କରିବା ପାଇଁ ସତର୍କ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍‌ଆରସି ।

Leave A Reply

Your email address will not be published.