ବର୍ଷାପାଣି ପାଇଁ ବର୍ଷାରେ ଗ୍ରାମବାସୀ

0 219

ବାରଙ୍ଗ,୧୯/୯(ଏସ ଏସ ନିୟୁଜ ) ପାଣି ପାଇଁ ରାସ୍ତା କୁ ଓହ୍ଲାଇଲେ ଲୋକେ।ଦୀର୍ଘ ଦୁଇ ଘଣ୍ଟା ପର୍ଯ୍ୟନ୍ତ ବାରଙ୍ଗ କଟକ ମୁଖ୍ୟ ରାସ୍ତାକୁ କଲେ ଅବରୋଧ।ଶେଷରେ ପୋଲିସ ଆସି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା।ଆମେ କହୁଛୁ ବାରଙ୍ଗ ଅଞ୍ଚଳ କଥା।ଦୀର୍ଘ ବର୍ଷ ହେଇଯିବ ଅଞ୍ଚଳରେ ଜଳ ନିଷ୍କାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି।ଅସରାଏ ବର୍ଷା ହେଲେ ଜଳ ନିଷ୍କାସନ ହୋଇନପାରି ଅନେକ ଗ୍ରାମ ଜଳମଗ୍ନ ହେଉଛି।ଯାହାର ଜ୍ୱଳନ୍ତ ଉଦାହରଣ ଗତ ଲଘୁଚାପ ବର୍ଷାରେ ଦେଖିବାକୁ ମିଳିଛି।ଦୁଇ ଦିନ ଧରି ଲଗାଣ ବର୍ଷାରେ ବାରଙ୍ଗ ଅଞ୍ଚଳର ବଙ୍ଗାଳୀ ସାହି,ମଧୁବନ,ମଧୁପୁର,ତ୍ରିଶୁଳିଆ ଆଦି ଅନେକ ଗ୍ରାମର ଅବସ୍ଥା ହୋଇ ପଡ଼ିଥିଲା ବେହାଲ।କାରଣ ନନ୍ଦନକାନନ ଠାରୁ ବାରଙ୍ଗ ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଜଳାଶୟ ଏବେ ବିଲଡରଙ୍କ କବଜାରେ।ପ୍ରଶାସନକୁ ହାତ ବାରିସି କରି ଏହି ବିଲଡର ମାନେ ଜଳାଶୟ ପଥ କୁ ଅବରୋଧ କରି ବେଆଇନ୍ ନିର୍ମାଣ କରୁଛନ୍ତି।ଯାହାର ଯନ୍ତ୍ରଣା ଭୋଗୁଛନ୍ତି ଏହି ନିରୀହ ଅଞ୍ଚଳବାସୀ।ଅସରାଏ ବର୍ଷା ହେଲେ ଘରେ ପାଣି ପଶିଯାଉଛି।ଏହି ପରି ଅନେକ ପରିବାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି।ଏନେଇ ସରକାର,ବ୍ଲକ୍ ପ୍ରଶାସନ,ତହସିଲଦାର ଆଦିଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।କେବଳ ପ୍ରତିଶ୍ରୁତି ଦେଇ ଭୁଲି ଯାଉଛନ୍ତି ସରକାରୀ ବାବୁ ମାନେ।ସରକାରୀ ବାବୁ ମାନେ ଏହି ବିଲଡର ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ବା କିପରି।କାରଣ ଯେଉଁଠି ପ୍ରଶାସନ ଓ ବିଲଡର ଙ୍କ ମଧୁଚନ୍ଦ୍ରିକା ରେ ଏହି ବେଆଇନ୍ ନିର୍ମାଣ କାର୍ଯ୍ୟ ଚାଲୁଛି ,ସେଠି ସାଧାରଣ ଲୋକେ କହିବେ କାହାକୁ।ଏନେଇ ଗତ ଶୁକ୍ରବାର ଦିନ ଶତାଧିକ ଅଞ୍ଚଳବାସୀ ଏକଜୁଟ ହୋଇ ଶାନ୍ତିପୂର୍ଣ୍ଣ ଭାବେ ବାରଙ୍ଗ ତହସିଲ ଘେରାଉ କରି ଧାରଣ ଦେଇଥିଲେ।ତହସିଲଦାର ଲୋକଙ୍କୁ ବୁଝାସୁଝା କରି ପରଦିନ ଜଳ ନିଷ୍କାସନ ବ୍ୟବସ୍ଥା କରିବାପାଇଁ ପ୍ରତିଶ୍ରୁତି ଦେବାରୁ ଅଞ୍ଚଳବାସୀ ଧାରଣରୁ ହଟିଥିଲେ।ହେଲେ ଗୋଟିଏ ଦିନ କହି ଘଟଣାକୁ ଦୁଇ ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ଯାଇନଥିବାରୁ ଆଜି ଅଞ୍ଚଳବାସୀ ଏକଜୁଟ ହୋଇ ତ୍ରିଶୁଳିଆ ଠାରେ ବାରଙ୍ଗ କଟକ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ ଦୀର୍ଘ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା।ଖବର ପାଇ କଟକ ଜୋନ ୪ ଏସିପି ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।ପରେ ଯାନବାହାନ ଚଳାଚଳ ସ୍ବାଭାବିକ ହୋଇଥିଲା।ପରେ ବ୍ଲକ୍ ବିଡିଓ ଓ ତହସିଲଦାର ପହଞ୍ଚିବା ସହ ଜଳ ନିଷ୍କାସନ ରେ ବାଧକ ସାଜିଥିବା ଜବରଦଖଲ ଜାଗାକୁ ଜେସିବି ଲଗାଇ ସଫା କରାଯାଇଥିଲା ।

Leave A Reply

Your email address will not be published.