ପ୍ରସ୍ତୁତି, ସତର୍କତା ଓ ସହଯୋଗ ଆମର ମୂଳ ମନ୍ତ୍ର – ମୁଖ୍ୟମନ୍ତ୍ରୀ

0 177

ଭୁବନେଶ୍ବର,୨୪/୬(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ବରଗଡ, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର, ରାୟଗଡା ଓ ମାଲକାନଗିରି ସମେତ ୮ଟି ଜିଲ୍ଲାରେ Liquid Medical Oxygen ଓ PSA Plant  ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି। ଏହାସହିତ ବ୍ରହ୍ମପୁର ସିଟି ହସ୍‌ପିଟାଲରେ ୧୨ ଶଯ୍ୟା ବିଶିଷ୍ଟ ନବଜାତ ଶିଶୁ ଚିକିତ୍ସା କେନ୍ଦ୍ର, ଭଂଜନଗରରେ ଡାୟାଲିସିସ୍ ୟୁନିଟ, କୁକୁଡାଖଣ୍ଡି ବ୍ଲକ୍‌ରେ ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଦିଗପହଣ୍ଡି ବ୍ଲକ୍‌ରେ ନୂତନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି।
ତୃତୀୟ ଲହର ନେଇ ବିଶେଷଜ୍ଞମାନେ ଭିନ୍ନ ଭିନ୍ନ ମତ ରଖୁଛନ୍ତି । ତା ସହିତେ କେତେକ ରାଜ୍ୟରେ ଡେଲ୍‌ଟା ପ୍ଲସ୍ ଭ୍ୟାରିଆଣ୍ଟ ମଧ୍ୟ ଦେଖା ଦେଲାଣି । ତେଣୁ କୌଣସି ପରିସ୍ଥିତିରେ ଆମର ପ୍ରସ୍ତୁତିରେ ସାମାନ୍ୟତମ ଅବହେଳା କରାଯାଇପାରିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ମତ ପ୍ରକାଶ କରିଛନ୍ତି। ପ୍ରସ୍ତୁତି, ସତର୍କତା ଓ ସହଯୋଗ ଆମର ମୂଳ ମନ୍ତ୍ର ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ପ୍ରସ୍ତୁତି, ଜନସାଧାରଣଙ୍କ ସତର୍କତା ଓ ସହଯୋଗ ଜରିଆରେ ହିଁ ଆମେ ଏ ଲଢେଇ ଜିତିପାରିବା ।
କୋଭିଡ ନିୟମ ପାଳନ ସହିତ ଟୀକାକରଣ କ୍ଷେତ୍ରରେ ମଧ୍ୟ ଜନସାଧାରଣଙ୍କ ସହଯୋଗ କାମନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସୁଦ୍ଧା ୧ କୋଟିରୁ ଅଧିକ ଡୋଜ୍ ଟୀକା ଦିଆଯାଇସାରିଲାଣି । ଜୀବନ ସହିତ ଜୀବିକା ଉପରେ ସେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି ବୋଲି ପ୍ରକାଶ କରି ରାଜ୍ୟ ସରକାର ନିକଟରେ ଗରିବ ଲୋକ ଓ ଚାଷୀ ମାନଙ୍କ ପାଇଁ ୧୬୯୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି ବୋଲି ସେ କହିଥିଲେ ।
ବାଚସ୍ପତି ଶ୍ରୀ ସୂର‌୍ୟ୍ୟନାରାୟଣ ପାତ୍ର ବ୍ରହ୍ମପୁର ଠାରେ ଉପସ୍ଥିତ ରହି ଏହି କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନବ ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହ, ବିଜ୍ଞାନ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ, ଅନୁସୂଚିତ ଜନଜାତି, ଜାତି ଉନ୍ନୟନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା, କନ୍ଧମାଳ ସାଂସଦ ଶ୍ରୀ ଅଚ୍ୟୁତ ସାମନ୍ତ, ନବରଂଗପୁର ସାଂସଦ ଶ୍ରୀ ରମେଶଚନ୍ଦ୍ର ମାଝୀ ଓ କେନ୍ଦ୍ରାପଡା ବିଧାୟକ ଶ୍ରୀ ଶଶୀଭୂଷଣ ବେହେରା ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦକ୍ଷ ନେତୃତ୍ବର ଉଚ୍ଚପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର‌୍ୟ୍ୟକ୍ରମ ସଂଚାଳନ କରିଥିବାବେଳେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ସ୍ବାଗତ ଭାଷଣ ଓ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଯାମିନୀ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର‌୍ୟ୍ୟକ୍ରମରେ ମୁଖ୍ୟଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଶ୍ରୀ ପି.କେ. ଜେନା, ଶିଳ୍ପ ବିଭାଗ ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.