ସରକାରୀସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର ଦାବିରେ ବାରଙ୍ଗ ବିଇଓ ଅଫିସ ଆଗରେ ବିକ୍ଷୋଭ

0 232

ବାରଙ୍ଗ, ୧୫/୧( ଏସଏସନିୟୁଜ)ରାଜ୍ୟ ସରକାର ଉପସ୍ଥାନ କମ ଆଳରେ ବାରଙ୍ଗ ବ୍ଲକର ୨୯ ଟି ବିଦ୍ୟାଳୟ ସମେତ କଟକ ଜିଲ୍ଲାର ୪୪୮ଟି ବିଦ୍ୟାଳୟ ଓ ସାରା ରାଜ୍ୟର ପ୍ରାୟ ୧୪,୩୭୯ଟି ବିଦ୍ୟାଳୟ ବନ୍ଦ କରିବା ପାଇଁ ନେଇଥିବା ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବା ସହ ବିଦ୍ୟାଳୟ ଗୁଡିକର ଉପଯୁକ୍ତ ସୁରକ୍ଷା ଦାବିରେ ଆଜି ବାରଙ୍ଗ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟଳୟ ସମ୍ମୁଖରେ ଏଆଇଡିଏସଓ ତଥା ବିଦ୍ୟାଳୟ ସୁରକ୍ଷା କମିଟି ପକ୍ଷରୁ ଛାତ୍ର ଓ ଅଭିଭାବକ ମାନେ ଶୁକ୍ରବାରଦିନ ବିକ୍ଷୋଭ କରିଛନ୍ତି । ବିକ୍ଷୋଭ ସ୍ଥଳରୁ ଏଆଇଡିଏସଓ ତଥା ବିଦ୍ୟାଳୟ ସୁରକ୍ଷା କମିଟିମାନଙ୍କ ପକ୍ଷରୁ ୪ଦଫା ସମ୍ବଳିତ ଏକ  ସ୍ମାରକ ପତ୍ର ବିଇଓଙ୍କୁ ପ୍ରଦାନ କରାଯାଇଥିଲା । ବିକ୍ଷୋଭ ସ୍ଥଳରେ ଏଆଇଡିଏସଓ ବାରଙ୍ଗ ଆଂଚଳିକ କମିଟିର ସମ୍ପାଦିକା ଭାଗ୍ୟଶ୍ରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ  ବକ୍ତା ମାନେ କହିଥିଲେ ସରକାରୀ ଅବହେଳା ଯୋଗୁଁ ଆମ ରାଜ୍ୟ ତଥା ଆମ ବ୍ଲକରେ ସ୍କୁଲ ମାନଙ୍କରେ ଉପସ୍ଥାନ କମିଛି । ଦୀର୍ଘ ବର୍ଷ ଧରି ସ୍କୁଲ ମାନଙ୍କରେ ହଜାର ହଜାର ଶିକ୍ଷକ ପଦବୀ ଖାଲି ପଡିବା, ଅଳ୍ପ ସଂଖ୍ୟକ ହେଲେ ମଧ୍ୟ ଯେତିକି ବି ଶିକ୍ଷକ ଅଛନ୍ତି ସେମାନଙ୍କୁ ବର୍ଷସାରା ଶିକ୍ଷା ବର୍ହିଭୁତ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା, ଗୁଣାତ୍ମକ ଶିକ୍ଷାଭିତ୍ତିକ ପାଠ୍ୟ ଖସଡାର ଅଭାବ, ପାସ-ଫେଲ୍ ବ୍ୟବସ୍ଥା ଉଚ୍ଛେଦ, ଆବଶ୍ୟକ ଭିତ୍ତିଭୂମିର ଅଭାବ ଇତ୍ୟାଦି ଫଳରେ ସରକାରୀ ସ୍କୁଲ ଶିକ୍ଷା ଅତି ଦୃତ ବିପର୍ଯ୍ୟସ୍ତ ହେବାକୁ ଲାଗିଛି । କୋମଳମତି ଛାତ୍ରଛାତ୍ରୀ ମାନେ ନିରାପଦରେ ନିଜ ଗାଁ ସ୍କୁଲରେ ପଢିବା ଲକ୍ଷ୍ୟ ରେ ପ୍ରତିଷ୍ଠିତ ସ୍କୁଲରେ ଉପସ୍ଥାନ ହାର ବଢାଇବା ପାଇଁ ପ୍ରକୃତ ପଦକ୍ଷେପ ଗ୍ରହଣ ନକରି ତାକୁ ବନ୍ଦ କରିଦେବା “ମୁଣ୍ଡ ବିନ୍ଧିଲେ ମୁଣ୍ଡ କାଟିଦେବା” ନ୍ୟାୟ ସହ ସମାନ । ଗୋଟିଏ ଦିଗରେ ସରକାରୀ ସ୍କୁଲ ବନ୍ଦ କରିବା ଅନ୍ୟ ଦିଗରେ ଘରୋଇ ସ୍କୁଲକୁ ପ୍ରୋତ୍ସାହନ ଦେବା ବିଷୟଟି ଆମର ଶିକ୍ଷା ବ୍ୟବସ୍ଥାକୁ ସ୍ପଷ୍ଟଭାବେ ‘ଥିଲାବାଲାଙ୍କ ପାଇଁ’ ଓ ‘ନଥିଲା ବାଲାଙ୍କ ପାଇଁ’ ଏହିପରି ଦୁଇଭାଗରେ ବିଭକ୍ତ କରିଦେଇଛି । ସରକାରଙ୍କ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ଫଳରେ ଗରିବ ଘରର ପିଲାମାନଙ୍କ ପାଇଁ ପଢିବାର ଯେତିକି ବି ସୁଯୋଗ ଥିଲା, ତାହା ମଧ୍ୟ ସଂପୂର୍ଣ୍ଣଭାବେ ବନ୍ଦ ହୋଇଯିବ । ତେଣୁ ସରକାର ତୁରନ୍ତ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର କରିବା ସହ ବାରଙ୍ଗ ବ୍ଳକର ସମସ୍ତ ବିଦ୍ୟାଳୟଗୁଡିକର ସୁରକ୍ଷା ଉଦ୍ଦେଶ୍ୟରେ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ବକ୍ତା ମାନେ ଦୃଢ ଦାବି ଉପସ୍ଥାପନ କରିଥିଲେ ।(ବାରଙ୍ଗରୁ ଗୌତମରାଉତଙ୍କରିପୋର୍ଟ)

Leave A Reply

Your email address will not be published.