ଭୁବନେଶ୍ୱର, ୧୦ା୭(ଏସଏସନିଉଜ)ଜମି କିଣାଇଦେବାକୁ ଟଙ୍କା ଆଣି ଜମି ଦେଇନଥିଲେ। ଟଙ୍କା ମାଗିବାରୁ ଓଲଟା ଧମକ ଦେଇଥିଲେ।ଏହି ଅଭିଯୋଗର ନନ୍ଦନକାନନ ଥାନା ପୋଲିସ ଗୁରୁବାର ଦିନ ସ୍ବାମୀସ୍ତ୍ରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।ସେମାନେ ହେଲେ କଳାରାହଙ୍ଗରେ ଥିବା ମୁନଲାଇଟ୍ ସିଟିର ପ୍ଲଟନମ୍ବର-୪୦ରେ ରହୁଥିବା ନୟାଗଡ଼ଥାନା ଅଧୀନସ୍ଥ କାଠଗାଡିଆଗ୍ରାମରେ ସୁରେନ୍ଦ୍ର ମହାନ୍ତି(୫୦) ଓ ତାଙ୍କ ସ୍ତ୍ରୀ ତପସ୍ଵିନୀ ମହାନ୍ତି ।
ପ୍ରକାଶଯେ, ସିମାଦ୍ରୀ ଦାସ ପରିବାର ସହ ରସୁଲଗଡ ଜିଜିପି କଲୋନୀସ୍ଥିତ ପ୍ଳଟ ନମ୍ବର-୮୧୨/୨୨୪୬ରେ ରୁହନ୍ତି ଏବଂ ସୁରେନ୍ଦ୍ର ମହାନ୍ତି ଓ ତାଙ୍କ ସ୍ତ୍ରୀ ତପସ୍ଵିନୀ ହେଉଛନ୍ତି ତାଙ୍କର ଦୂର ସମ୍ପର୍କୀୟ ।ସୁଲଭମୂଲ୍ୟରେ ନନ୍ଦନ କାନନଥାନା ଅଧୀନସ୍ଥ ରଘୁନାଥପୂର ମୌଜାରେ ଏକ ଜମି କିଣାଇଦେବା ଲାଗି ସ୍ବାମୀସ୍ତ୍ରୀ ଗତ ୨୦୨୨ ମସିହାରେ ତାଙ୍କ ନିକଟରୁ ୬,୩୦,୦୦୦ ଟଙ୍କା ନେଇଥିଲେ । ଟଙ୍କା ନେବାର ବହୁଦିନ ବିତି ଯାଇଥିଲେ ମଧ୍ୟ ଉଭୟ ତାଙ୍କୁ ଜମି ଯୋଗାଇ ପାରିନଥିଲେ । ଜମି ଯୋଗାଇ ଦେବାରେ ଅହେତୁକ ବିଳମ୍ବ ହେବା ଦେଖି ସିମାଦ୍ରୀ ଉଭୟଙ୍କୁ ନେଇଥିବା ଟଙ୍କା ଫେରାଇ ଦେବାଲାଗି କହିଥିଲେ । ଏଥିରେ ଉତ୍ତ୍ୟକ୍ତହୋଇ ସୁରେନ୍ଦ୍ର ମହାନ୍ତି ଓ ତପସ୍ଵିନୀ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଭୟଙ୍କର ପରିଣାମ ଭୋଗିବା ଲାଗି ଧମକ ଦେଇଥିଲେ ଏବଂ ତାଙ୍କୁ ଭୟଭୀତ କରିବା ଲାଗି ଏକ ଜାଲ ଓକିଲନୋଟିସ ମଧ୍ୟ ପଠାଇଥିଲେ । ଅନ୍ୟ କିଛି ଉପାୟ ନପାଇ ସିମାଦ୍ରୀ ଶେଷରେ ନନ୍ଦନକାନନ ଥାନାର ଦ୍ଵାରସ୍ଥ ହୋଇଥିଲେ। ଥାନା ଅଧିକାରୀଣି ସମିତା ମିଶ୍ର ଏହି ମାମଲାର ତଦନ୍ତ କରିବା ସହ ୧୯୦/୨୫କେସ ନମ୍ୱରରେ ଏକ ମକଦ୍ଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲେ।ଏକ ବିଶ୍ଵସ୍ତ ସୂତ୍ରରୁ ସୂଚନାପାଇ ପୋଲିସ ଗୁରୁବାର ଚଢଉ କରି ସ୍ବାମୀ-ସ୍ତ୍ରୀଙ୍କୁ ଗିରଫ କରିଥିଲେ । ପଚରାଉଚରା ସମୟରେ, ଉଭୟ ନିଜର ଦୋଷ ସ୍ୱୀକାର କରିଥିଲେ ।(ଜ୍ଞାନଜିତ ପ୍ରଧାନଙ୍କ ରିପୋର୍ଟ)
