ଭୁବନେଶ୍ୱର,୧୫ା୭(ଏସଏସନିଉଜ) ଚିଙ୍ଗୁଡ଼ି କମ୍ପାନୀରେ କାମ କରି ଘରକୁ ଫେରୁଥିବାବେଳେ ସଙ୍ଗବଦ୍ଧଭାବେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଚନ୍ଦକାଥାନା ପୋଲିସ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟଚାଲଣ କରିଛି ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଚନ୍ଦନ ବାରିକ, ବୌଦ୍ଧ ଜିଲ୍ଲାର ବାସିନ୍ଦା । ସେ ଚନ୍ଦକା ଥାନା ଅଧୀନ ଫ୍ଲେମିଙ୍ଗୋ ଚିଙ୍ଗୁଡ଼ି କମ୍ପାନୀରେ କାମ କରୁଥିଲେ ଏବଂ କମ୍ପାନୀ ହଷ୍ଟେଲରେ ରହୁଥିଲେ । ଗତ ୧୯.୦୬.୨୦୨୬ ତାରିଖରେ ସେ ଡ୍ୟୁଟି ସାରି ହଷ୍ଟେଲକୁ ଫେରୁଥିବା ବେଳେ ଠିକାଦାର ସିଦ୍ଧେଶ୍ୱର ସାହୁ, ସୁଧାଂସୁ ବେହେରା ଏବଂ ସେମାନଙ୍କ ସହଯୋଗୀ ଶ୍ରମିକମାନେ ତାଙ୍କୁ ଅଟକାଇ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ । ଆକ୍ରମଣ ସମୟରେ ଜଣେ ବ୍ୟକ୍ତି ଲୁହା ରଡ୍ରେ ତାଙ୍କ ମୁଣ୍ଡକୁ ଆଘାତ କରିଥିବାରୁ ସେ ଗୁରୁତର ଆହତ ହୋଇ ଚେତାଶୂନ୍ୟ ହୋଇଯାଇଥିଲେ । ତାଙ୍କୁ ପ୍ରଥମେ ମେଣ୍ଢାଶାଳ ସିଏଚ୍ସି ଏବଂ ପରେ ସ୍ପର୍ଶ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା । ଅଭିଯୁକ୍ତମାନେ ଦରମା ଓ ଚିକିତ୍ସା ଖର୍ଚ୍ଚ ଦେବାକୁ କହିଥିଲେ, କିନ୍ତୁ ପରେ ସେହି ପ୍ରତିଶୃତି ପାଳନ କରିନଥିଲେ । ସେମାନେ ହସ୍ପିଟାଲକୁ ମିଥ୍ୟା ସୂଚନା ଦେଇଥିଲେ ଯେ ଚନ୍ଦନ ଛାତରୁ ପଡ଼ି ଆହତ ହୋଇଛନ୍ତି, ଯାହାଦ୍ୱାରା କି ପ୍ରକୃତ ଘଟଣାକୁ ଲୁଚାଇବାକୁ ଚେଷ୍ଟା କରାଯାଇଥିଲା । ଚନ୍ଦନ ଏହାର ପ୍ରତିବାଦ କରିବାରୁ ତାଙ୍କୁ ହତ୍ୟା କରିବାକୁ ଧମକ ଦିଆଯାଇଥିଲା ଏବଂ ଆକ୍ରମଣକାରୀମାନେ ସେମାନଙ୍କର ନିଜ ଲୋକ ବୋଲି କୁହାଯାଇଥିଲା ବୋଲି ଚନ୍ଦନ କରିଥିବା ଅଭିଯୋଗରେ ଦର୍ଶାଇଥିଲେ ।ପୋଲିସ ୩୮୪/୨୬କେଶନଂରେ ଏକ ମକଦ୍ଦମାରୁଜୁକରି ତଦନ୍ତ କରିବା ସହ ସତ୍ୟବାଦୀଥାନା ଅଧିନସ୍ଥ ସୋଲଘରଗ୍ରାମର ବବ୍ଲୁ ଭୋଇଙ୍କୁ ଗିରଫ କରି ବୁଧବାର କୋର୍ଟଚାଳଣ କରିଛି ।
Prev Post
Next Post
