ଟିଟିଲାଗଡରେ ରେଲ୍ ଓଭରବ୍ରିଜର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

0 240

ଭୁବନେଶ୍ୱର,୯/୪(ଏସଏସନିୟୁଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଟିଟିଲାଗଡରେ ୧୦୪୨ ମିଟର ଦୀର୍ଘ ଏକ ରେଲୱେ ଓଭରବ୍ରିଜର ଉଦ୍‌ଘାଟନ କରିଛନ୍ତି । ଏଥିପାଇଁ ୭୧.୫୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଟିଟିଲାଗଡ ଏକ ଗୁରୁତ୍ବପୂର୍ଣ୍ଣ ରେଳ ଜଙ୍କସନ୍ । ଓଭରବ୍ରିଜ ନିର୍ମାଣ ହେବା ଦ୍ବାରା ଲୋକଙ୍କ ଗମନାଗମନରେ ଅନେକ ସୁବିଧା ଆସିବ। ଟିଟିଲାଗଡ ସହିତ ଭବାନୀପାଟଣା, କେସିଙ୍ଗା ଓ ନୂଆପଡା ଅଞ୍ଚଳର ଜନସାଧାରଣ ଉପକୃତ ହେବେ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଟିଟିଲାଗଡ ସହରର ବ୍ୟାପକ ଉନ୍ନତି ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହା ସହିତ ଟିଟିଲାଗଡରେ ଆଧୁନିକ ବସ୍‌ଷ୍ଟାଣ୍ଡ, ସୁଇମିଂ ପୁଲ୍‌, ମହାରାଜା ସାଗରର ପୁନରୁଦ୍ଧାର, ବର୍ଜ୍ୟ ଜଳ ବିଶୋଧନ ପ୍ଲାଣ୍ଟ ଏବଂ ଆହୁରି ଅନେକ ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଛି । ଏହିସବୁ ଗୁଡିକ ଠିକ୍ ସମୟରେ ସଂପୂର୍ଣ୍ଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ। ଭିତ୍ତିଭୂମି ବିକାଶର ଆଧାର ବୋଲି ମତପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଭିତ୍ତିଭୂମିର ବିକାଶ ଉପରେ ସେ ସବୁବେଳେ ଗୁରୁତ୍ବ ଦେଇ ଆସିଛନ୍ତି । ଓଡିଶା ଆଜି ଭିତ୍ତିଭୂମି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି । ରାଜ୍ୟରେ ସଡକ, ସେତୁ, ବନ୍ଦର ଆଦି ଭିତ୍ତିଭୂମିର ବିକାଶ ଯୋଗୁ ଯୋଗାଯୋଗ କ୍ଷେତ୍ରରେ ବହୁତ ଉନ୍ନତି ଆସିଛି । ଭିତ୍ତିଭୂମି ସମସ୍ତଙ୍କର ସଂପତ୍ତି ବୋଲି ପ୍ରକାଶ କରି, ସମସ୍ତେ ଏହାର ଯତ୍ନ ନେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗୀର ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓ ,ଯୋଗ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବାସହ ଟିଟିଲାଗଡ ଜନସାଧାରଣଙ୍କର ଏକ ଦୀର୍ଘ ଦିନର ସ୍ବପ୍ନ ପୂରଣ ହେଲା ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡିଶାକୁ କେତେ ପ୍ରାଥମିକତା ଦେଉଛନ୍ତି, ଏଥିରୁ ଏହା ସହଜରେ ଅନୁମେୟ ହେଉଛି ବୋଲି ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଥିଲେ ।ବଲାଙ୍ଗୀର ଜିଲ୍ଲାର ବିକାଶ କାର୍ଯ୍ୟକ୍ରମ ସଂପର୍କରେ ଏକ ଭିଡିଓ ଚିତ୍ର ପ୍ରଦର୍ଶିତ କରାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା, ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ଆର୍‌.କେ. ଶର୍ମା, ପୂର୍ତ୍ତ ବିଭାଗ ସଚିବ କିଶନ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଟିଟିଲାଗଡ ସବ୍ କଲେକ୍ଟର ଧନ୍ୟବାଦ ଅର୍ପଣ କରିଥିଲେ।

 

Leave A Reply

Your email address will not be published.