ଉଦୟ ହେଲା ଆତ୍ମଜ୍ଞାନ

0 646

  ଆଜି ରାତିର ଗପଉଦୟ ହେଲା ଆତ୍ମଜ୍ଞାନ 

ଚାଷୀଟିଏ ନିଜର କ୍ଷେତବାଡି କାମ କରୁଥାଏ । ପାଖରାସ୍ତାରେ ସାଧୁଟିଏ ଯାଉଥା’ନ୍ତି । ବହୁତ ଖରା ହେବାରୁ ସେ ଦୁହେଁ ଗୋଟିଏ ଗଛ ତଳକୁ ବିଶ୍ରାମ ନେବା ପାଇଁ ଆସିଲେ । ସାଧୁ ଚାଷୀକୁ ପଚାରିଲେ, “ଏ କ୍ଷେତ ତୁମର ତ? ବେଶ୍ ସୁନ୍ଦର ଫସଲ ହୋଇଛି । ତେବେ ଠିକ୍ ସମୟରେ ବର୍ଷା ହେବ ତ ଭଲ ।
ସାଧୁଙ୍କୁ ପ୍ରଣାମ କରି ଚାଷୀ କହିଲା, “ସାଧୁବାବା, ଫସଲ ଆମଦାନୀ ହୋଇ ଘରକୁ ଆସିଲେ ଯାଇ ଜଣାଯିବ ଏ ବର୍ଷ ଫସଲ ଭଲ ହୋଇଛି କି ନାହିଁ । ବର୍ଷା କେତେବେଳେ ଆସିବ ବା ନ ଆସିବ ସେକଥା କିଏ କହିବ? ଆଚ୍ଛା, ଆପଣ ଇଆଡେ କୁଆଡେ ଯାଉଛନ୍ତି?
ଅଦୂରରେ ଥିବା ପାହାଡ ଆଡକୁ ଅଙ୍ଗୁଳି ନିର୍ଦେଶ କରି ସେ କହିଲେ, “ସେଠାରେ ଜଣେ ମହାନ୍ ଜ୍ଞାନୀ ଓ ସିଦ୍ଧପୁରୁଷ ଅଛନ୍ତି । ଜ୍ଞାନଉପଦେଶ ପାଇଁ ମୁଁ ସେଠାକୁ ଯାଉଛି । ପୁଣି ମୁହଁ ଉଦାସ କରି ସେ କହିଲେ, “ଏହା ପୂର୍ବରୁ ତିନିଜଣ ଗୁରୁଙ୍କର ମୁଁ ସେବା କରିଛି, କିନ୍ତୁ ଜଣେ ହେଲେ କେହି ଆତ୍ମଜ୍ଞାନ ମୋତେ ଶିକ୍ଷା ଦେଲେନାହିଁ । ଦେଖେ ଏଥର କ’ଣ ହେଉଛି ।
ଏକଥା ଶୁଣି ସେ ଚାଷୀଟି ହସିକରି କହିଲା, “ଚାଳିଶ ବର୍ଷ ଧରି ମୁଁ ନିଜେ ଫସଲ ଦେଖୁଛି ଓ ପଚାଶ ବର୍ଷ ଧରି ବର୍ଷାକୁ ଦେଖୁଛି; ତଥାପି ମଧ୍ୟ କାଲି କ’ଣ ହେବ, ସେକଥା ଜାଣିବା ପାଇଁ, ଏତେଦିନର ଅଭିଜ୍ଞତା ଥାଇ ମଧ୍ୟ ସବୁ ବ୍ୟର୍ଥ । ଆଉ ଆପଣ ଅନ୍ୟଜଣକର ଅଭିଜ୍ଞତାରୁ ଆତ୍ମଜ୍ଞାନ ପାଇବାକୁ ଚେଷ୍ଟା କରୁଛନ୍ତି? କିଏ କହିବ ଆପଣଙ୍କ ଇଚ୍ଛା ପୂର୍ଣ୍ଣ ହେବ କି ନାହିଁ!
ଚାଷୀର ଏଭଳି କଥାରେ ସେ ସାଧୁଙ୍କର ସେହିକ୍ଷଣି ଜ୍ଞାନୋଦୟ ହେଲା । “ଆତ୍ମଜ୍ଞାନ ପାଇଁ ନିଜେ ପ୍ରଚେଷ୍ଟା କରିବା ଉଚିତ୍ । ଏହି ଶିକ୍ଷାଲାଭ କରି ସାଧୁ ସେହିଠାରୁହିଁ ଫେରିଗଲେ ।

Leave A Reply

Your email address will not be published.