ଭୁବନେଶ୍ୱର,୮/୩(ଏସଏସନିଉଜ)ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଏଣ୍ଟରପ୍ରିନ୍ୟୁରସିପ୍ କାଉନସିଲ୍ ଦ୍ୱାରା ଜନତା ମଇଦାନରେ ଚାଲିଥିବା ଭାରତର ପ୍ରଥମ ମହିଳା ବିଜ୍ନେସ ମେଳା-୨୦୨୨ ରବିବାର ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦେଇ କହିଥିଲେଯେ, ମେଳାର ଅର୍ଥ ହେଉଛି ଦକ୍ଷତା, କ୍ଷମତା, ସମତା ଓ ମମତା । ଏହି ସବୁର ମିଳନରେ ହିଁ ମେଳାର ସୃଷ୍ଟି । କାର୍ଯ୍ୟକ୍ରମରେ ରାଜ୍ୟପାଳ ମହିଳାଙ୍କର କାର୍ଯ୍ୟଦକ୍ଷତାକୁ ଭୂୟସୀ ପ୍ରଶଂସା କରିବା ସହ ମହିଳାମାନେ ହିଁ ବିଶ୍ୱର ସୃଷ୍ଟିକର୍ତ୍ତା ଓ ମହିଳା ସଶକ୍ତହେଲେ ସମାଜ ଆଗକୁ ବଢି ପାରିବ ବୋଲି କହିଥିଲେ। ଶେଷ ଦିବସରେ ମିନାକ୍ଷୀ ଦତ୍ତ, ବିକ୍ରମ ବାୱା, ଶାଶ୍ୱତ ଯୋଶୀ, ସୋନିକା ପ୍ରଧାନ, ବବି ପଟ୍ଟନାୟକ, କାନ୍ତା ସିଂହ, ସାଇକ୍ରିଷ୍ଣ ମହାନ୍ତି, ବିଦ୍ୟା କ୍ରିଷ୍ଣନ, ଓଡ଼ିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଜେ.ବି. ପାଣି, ସହ-ଅଧ୍ୟକ୍ଷ ଏମ୍.କେ. ଗୁପ୍ତା, ମହିଳା ଉଦ୍ୟୋଗୀ ପରିଷଦର ଆବାହକ ସୁକିର୍ତ୍ତୀ ପଟ୍ଟନାୟକ, ସହ-ଆବାହକ ତନୟା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ମହିଳାଙ୍କ ଉପରେ ବିଭିନ୍ନ ଅଧିବେଶନରେ ଆଲୋଚନା କରିଥିଲେ । ସେହିପରି ମହିଳାଙ୍କ ସ୍ୱାସ୍ଥ୍ୟକୁ ନେଇ ସମ୍ ଅଲ୍ଟିମେଟ୍ ମେଡ଼ିକେୟାର ସହ ସ୍ୱତନ୍ତ୍ର ଅଧିବେଶନ କରାଯାଇଥିଲା ।

ଏହି ପାଞ୍ଚ ଦିନିଆ ମହିଳା ବିଜ୍ନେସ୍ ମେଳାରେ ମହିଳା ଉଦ୍ୟୋଗୀଙ୍କ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଷ୍ଟଲ ରହିଥିଲା । ଏହା ସହ ପ୍ରାୟ ୩୪ଟି ଖାଇବା ଷ୍ଟଲ ସହ ପିଲାଙ୍କ ଗେମିଂ ଏବଂ ସେଲ୍ଫି ଜୋନ୍ ରଖାଯାଇଥିଲା । ମେଳାର ପ୍ରତ୍ୟେକ ଦିବସରେ ଓଲିଉଡ଼୍ ସନ୍ଧ୍ୟା, ଆଇ.ଡ଼ବ୍ଳୁ.ଇ.ସି. ଆୱାର୍ଡ଼, ସାଂସ୍କୃତିକ ଓ ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏଥି ସହିତ ପ୍ରତିଦିନ ବ୍ୟବସାୟ ଭିତ୍ତିକ ଅଧିବେଶନ ଆୟୋଜିତ ହୋଇଥିଲା । ବଲିଉଡ଼୍ ଅଭିନେତା ଅର୍ଜୁନ ରାମପାଲ ଓ ଇମତିଆଜ ଅଲ୍ଲି, ପ୍ରେରଣାଦାୟୀ ବକ୍ତା ଶ୍ରୀ ଗୌରାଙ୍ଗ ଦାସ ଏହି ମେଳାର ମୁଖ୍ୟ ଆକର୍ଷଣ ରହିଥିଲେ । ସେହିପରି ବିିଶିଷ୍ଟ ବ୍ୟବସାୟୀ, ନୀତି ନିର୍ମାତା, ବିଭିନ୍ନ ବର୍ଗର ପ୍ରଭାବଶାଳୀ ବ୍ୟକ୍ତି ବିଶେଷ ଅର୍ଥନୈତିକ ସଂସ୍ଥା ଏବଂ ଅତିକ୍ଷୁଦ୍ର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗର ବ୍ୟକ୍ତି ବିଶେଷ ଯୋଗଦେଇ ଏହି ମେଳାକୁ ସଫଳ କରିଥିଲେ ।
ସଫଳ ହୋଇଛି ମେଳା । ଲକ୍ଷାଧିକ ଦର୍ଶକ ମେଳା ବୁଲି ନୂଆ ଅନୁଭୂତି ସାଉଁଟିଛନ୍ତି । ଅନ୍ୟ ରାଜ୍ୟରେ ମେଳା ଆୟୋଜନ ପାଇଁ ପ୍ରସ୍ତାବ ଆସିଛି । ଆଗାମୀ ବର୍ଷରେ ଏହି ଭଳି ମେଳା ଆୟୋଜନ କରାଯିବ ବୋଲି ମହିଳା ଉଦ୍ୟୋଗୀ ପରିଷଦର ଆବାହକ ସୁକିର୍ତ୍ତୀ ପଟ୍ଟନାୟକ କହିଥିଲେ ।
