ଭୁବନେଶ୍ୱର,୧୩।୧୦(ଏସଏସନିଉଜ)ଓଡ଼ିଆ ଜାତିର ଗୌରବମୟ ଐତିହ୍ୟ, ସାମୁଦ୍ରିକ ପରମ୍ପରା ଓ ସମୃଦ୍ଧ ସାଂସ୍କୃତିକ ଚେତନାର ପ୍ରତୀକ ଭୁବନେଶ୍ୱର ବାଲିଯାତ୍ରାକୁ ଆହୁରି ଭବ୍ୟ, ଆକର୍ଷଣୀୟ ଓ ସୁବ୍ୟବସ୍ଥିତ କରିବା ନେଇ ଆୟୋଜିତ ପ୍ରସ୍ତୁତି ବୈଠକରେ ବିଜେପିର ବରିଷ୍ଠ ନେତା ଶ୍ରୀଯୁକ୍ତ ଗୋଲକ ମହାପାତ୍ର ଯୋଗଦେଇଥିଲେ।
ବୈଠକରେ ଶ୍ରୀ ମହାପାତ୍ର ବାଲିଯାତ୍ରାର ସଫଳ ଆୟୋଜନ, ସୁଚାରୁ ପରିଚାଳନା ଓ ଜନସାଧାରଣଙ୍କ ସୁବିଧା ସମ୍ପର୍କିତ ବିଭିନ୍ନ ଦିଗ ଉପରେ ଆୟୋଜକ ଓ କାର୍ଯ୍ୟକର୍ତ୍ତାମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ବାଲିଯାତ୍ରାର ଐତିହ୍ୟ ଓ ପରମ୍ପରାକୁ ଅକ୍ଷୁଣ୍ଣ ରଖି ଏହାକୁ ଆଧୁନିକ ରୂପରେ ଆହୁରି ଆକର୍ଷଣୀୟ କରିବା ସହ ଭୁବନେଶ୍ୱରର ସାଂସ୍କୃତିକ ପରିଚୟକୁ ଜାତୀୟ ସ୍ତରରେ ଅଧିକ ଉଜ୍ଜ୍ୱଳ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଶ୍ରୀ ମହାପାତ୍ର କହିଥିଲେ ଯେ, “ବାଲିଯାତ୍ରା ଆମ ମାଟିର ଗୌରବ, ଆମ ଐତିହ୍ୟର ପରିଚୟ ଏବଂ ଓଡ଼ିଆ ଜାତିର ଅଦମ୍ୟ ସାହସ ଓ ସାମୁଦ୍ରିକ ସମୃଦ୍ଧିର ଜୀବନ୍ତ ପ୍ରତୀକ।” ଏହି ମହାନ ପରମ୍ପରାକୁ ଆଗାମୀ ପିଢ଼ି ନିକଟରେ ପହଞ୍ଚାଇବା ସହ ବାଲିଯାତ୍ରାକୁ ଏକ ଉଚ୍ଚମାନର ଐତିହାସିକ ଓ ସାଂସ୍କୃତିକ ମହୋତ୍ସବ ଭାବେ ପରିଚିତ କରିବା ଆମ ସମସ୍ତଙ୍କ ସାମୂହିକ ଦାୟିତ୍ୱ ବୋଲି ସେ ମତ ପ୍ରକାଶ କରିଥିଲେ।
ବାଲିଯାତ୍ରାରେ ଓଡ଼ିଆ କଳା, ସଂସ୍କୃତି, ହସ୍ତଶିଳ୍ପ, ଖାଦ୍ୟ ଓ ପାରମ୍ପରିକତାକୁ ଅଧିକ ପ୍ରୋତ୍ସାହନ ଦେବା ସହ ସ୍ଥାନୀୟ କଳାକାର, ଶିଳ୍ପୀ, ବ୍ୟବସାୟୀ ଓ ଯୁବପିଢ଼ିଙ୍କୁ ବ୍ୟାପକ ଭାବେ ଯୋଡ଼ିବା ଦିଗରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା।

ବୈଠକରେ ବାଲିଯାତ୍ରା ସଭାପତି ତଥା ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, କାର୍ଯ୍ୟକାରୀ ସଭାପତି ଯଶବନ୍ତ ଓଝା, ସମ୍ପାଦକ ସୁବାସ ପାତ୍ର, ପୂର୍ବତନ ସଭାପତି ଅଭୟ ବଡ଼ଜେନାଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ଆୟୋଜକ ଉପସ୍ଥିତ ଥିଲେ।
ବାଲିଯାତ୍ରାର ଐତିହ୍ୟକୁ ସମ୍ମାନ, ପରମ୍ପରାକୁ ସୁରକ୍ଷା ଏବଂ ଆଧୁନିକତା ସହ ନୂତନ ପିଢ଼ିକୁ ଯୋଡ଼ିବାର ସଂକଳ୍ପ ସହ ଏହି ଐତିହାସିକ ମହୋତ୍ସବକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଓ ସାମୂହିକ ପ୍ରୟାସ ଉପରେ ବୈଠକରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
