ଚନ୍ଦକାରେ କାର ଲୁଟ୍ ଘଟଣା

ଚନ୍ଦକା ପୋଲିସର ବଡ଼ ସଫଳତା

ମେଣ୍ଢାଶାଳ, ୨୩|୮(ଏସଏସନିଉଜ)ଚନ୍ଦକାରେ ଘଟିଥିବା ହାଇ-ପ୍ରୋଫାଇଲ କାର ଲୁଟ୍ ଘଟଣାରେ ବଡ଼ ସଫଳତା ପାଇଛି ପୁଲିସ । ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ।
ୱାଶିଂ ପଏଣ୍ଟର CCTV ରୁ ଧରା ପଡିଲେ ଲୁଟେରା।ଚନ୍ଦକା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା କାର ଲୁଟ୍ ଘଟଣାର ତଦନ୍ତ କରି ଲୁଟେରାଙ୍କ ନିକଟରେ ପହଞ୍ଚିଛି ଆଇଆଇସି ସମିତା ମିଶ୍ର ଓ ତାଙ୍କ ଟିମ । ଗତ ୧୨ ତାରିଖ ରାତିର ଘଟଣା । ଅନ୍ଧାରୁଆର ସୁଦର୍ଶନ ନାୟକ ଚନ୍ଦକାସ୍ଥିତ ନିଜ ଶ୍ୱଶୁର ଘରକୁ ଆସିଥିଲେ । ଘର ସାମ୍ନାରେ ନିଜର Swift Dzire କାରକୁ ପାର୍କିଂ କରି ଘର ଭିତରକୁ ଯାଇଥିଲେ, ହେଲେ ସକାଳୁ ଉଠିବା ବେଳକୁ ଦେଖିଲେ କାର ଗାଏବ । ଏନେଇ ଚନ୍ଦକା ଥାନାରେ ଅଭିଯୋଗ ହେବା ପରେ DCPଙ୍କ ନିର୍ଦ୍ଦେଶରେ ଆରମ୍ଭ ହୋଇଥିଲା ତଦନ୍ତ ।
ପୁଲିସ ଘଟଣାସ୍ଥଳ ଆଖପାଖ ଅଞ୍ଚଳର ସମସ୍ତ CCTV ଫୁଟେଜକୁ ଯାଞ୍ଚ କରିଥିଲା । ଫୁଟେଜରେ ଦେଖିବାକୁ ମିଳିଥିଲା ଚୋରି ହୋଇଥିବା କାରକୁ ଏକ ନୀଳ ରଙ୍ଗର Swift Dzire ଟାଣି ନେଉଛି । ହେଲେ ଲୁଟେରା ଚାଲାକି କରି ନୀଳ କାରର ନମ୍ବର ପ୍ଲେଟରେ ଷ୍ଟିକର ଲଗାଇ ଦେଇଥିଲା, ଯାହା ଫଳରେ ନମ୍ବର ସ୍ପଷ୍ଟ ଜଣାପଡୁନଥିଲା ।
ଏଠି ପୁଲିସ ନିଜର ତଦନ୍ତ କୌଶଳ ଲଗାଇଥିଲା । ଘଟଣା ରାତିରେ ପ୍ରବଳ ବର୍ଷା ହୋଇଥିବାରୁ ଲୁଟେରା ନିଶ୍ଚୟ ଗାଡ଼ିକୁ ଧୋଇଥିବ ବୋଲି ଅନୁମାନ କରିଥିଲା ପୁଲିସ । ଏହି ଅନୁମାନକୁ ଆଧାର କରି SUM Hospital ନିକଟରୁ ଆଖପାଖ ଅଞ୍ଚଳର ବିଭିନ୍ନ ୱାଶିଂ ପଏଣ୍ଟର CCTV ଯାଞ୍ଚ କରାଯାଇଥିଲା । ଆଉ ଏହିଠାରୁ ହିଁ ମିଳିଥିଲା ବଡ଼ ସୁରାକ ।

ଗୋଟେ ୱାଶିଂ ପଏଣ୍ଟର CCTVରେ ଘଟଣା ପରଦିନ ସେହି ନୀଳ Swift Dzire ଗାଡ଼ିଟି ଧୁଆ ହେଉଥିବା ଦେଖିବାକୁ ମିଳିଥିଲା । ସେଠାରୁ ପୁଲିସ ଗାଡ଼ିର ନମ୍ବର ଚିହ୍ନଟ କରି ମାଲିକଙ୍କୁ ପଚରାଉଚରା କରିଥିଲା । ତଦନ୍ତରୁ ଜଣାପଡିଲା ଯେ ଗାଡ଼ିଟି ଖଣ୍ଡଗିରିର ଏକ Self Drive Centreକୁ ଭଡ଼ାରେ ଦିଆଯାଇଛି । Self Drive Centreରୁ ମିଳିଥିବା ତଥ୍ୟ ଆଧାରରେ ପୁଲିସ ସିଧା ଅନୁଗୁଳ ତୁରଙ୍ଗ ଅଞ୍ଚଳର ମନଦୀପ ଚୌଧୁରୀ ନିକଟରେ ପହଞ୍ଚିଥିଲା । ଘଟଣା ଦିନ ମନଦୀପ ହିଁ ନୀଳ Swift Dzireକୁ ଭଡ଼ାରେ ନେଇଥିବା ସ୍ପଷ୍ଟ ହୋଇଛି ।
ବର୍ତ୍ତମାନ ମନଦୀପକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଚନ୍ଦକା ପୁଲିସ । ପୂର୍ବରୁ ମନଦିପ ନା ରେ ବିଭିନ୍ନ ଥାନାରେ ମାମଲା ଥିବା ବେଳେ ଏହି କାର ଲୁଟ୍ ପଛରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ଏବଂ ଏହି ଗ୍ୟାଙ୍ଗ ପୂର୍ବରୁ ଆଉ କେତୋଟି ଗାଡ଼ି ଲୁଟ୍ କରିଛି ସେନେଇ ତଦନ୍ତ ଜାରି ରହିଛି ଚନ୍ଦକା ପୋଲିସ ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.