ଡିସେମ୍ବର ୩୧ ଓ ନୂଆବର୍ଷରେ ବଣଭୋଜି ବନ୍ଦ

0 238

ବାରଙ୍ଗ,୨୩/୧୨(ଏସ ଏସ ନିଉଜ) ପୁରୁଣା ବର୍ଷ ବିଦାୟ ଦେଇ ଆଉ ଦିନ କେଇଟା ପରେ ନୂଆବର୍ଷ ପାଦ ଥାପିବ। କୋଭିଡ କଟକଣାରେ ପର୍ଯ୍ୟଟକଙ୍କ ସମାଗମକୁ ନେଇ ନୂତନ ପ୍ରସ୍ତୁତି ଆରମ୍ଭ କରିଛି ନନ୍ଦନକାନନ। ଶୀତ ଚାରିମାସକୁ ପର୍ଯ୍ୟଟନ ଋତୁବୋଲି କୁହାଯାଏ।ଏହି ମାସରେ ବହୁ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଥାନ୍ତି।ଯାହା ବର୍ଷର ଅନ୍ୟଦିନ ଗୁଡିକଠାରୁ ଅଧିକ।ନନ୍ଦନକାନନ ପ୍ରାଣୀଉଦ୍ୟାନରେ ବିଭିନ୍ନ ପ୍ରଜାତିର ପଶୁପକ୍ଷୀଙ୍କୁ ଦେଖିବା ସହ ବାଘ,ଭାଲୁ,ସିଂହ, ତୃଣଭୋଜି ସଫାରୀ, ବ୍ୟାଟେରି ଚାଳିତ ଗାଡି,ବୋଟିଂର ମଜା ଉଠାଇବା ସହିତ କାଞିଆ ହ୍ରଦରେ ରମଣୀୟ ଦୃଶ୍ୟ ପର୍ଯ୍ୟଟକଙ୍କୁ ପୁଲକିତ କରିଥାଏ। ସେହିପରି ରାଜ୍ୟଉଭିଦ ଉଦ୍ୟାନ (ବଟାନୀକାଲ ଗାର୍ଡେନ)ରେ ମନୋରମ ପରିବେଶ ଉପଭୋଗ କରିବା ସହ ବଣଭୋଜି ର ମଜା ଉଠାଇଥାନ୍ତି ପର୍ଯ୍ୟଟକ। ପର୍ଯ୍ୟଟକ ଙ୍କ ସୁରକ୍ଷା ପ୍ରତି ଉଭୟ ଉଦ୍ୟାନ ପାଇଁ ଅତିରିକ୍ତ ଟିକଟ କାଉଣ୍ଟର ଖୋଲିବା ବ୍ୟବସ୍ଥା କରାଯାଇଛି।ନନ୍ଦନକାନନରୁ ଉଭିଦଉଦ୍ୟାନ ରାସ୍ତାକୁ ବନ୍ଦ କରିବା,ଡାକବାଜି ଯନ୍ତ୍ର,ଅଧିକ ପୁଲିସ ଫୋର୍ସ ମୁତୟନ,ଓଡ୍ରାଫ୍ ଟିମ,ବୁଲିବା ବେଳେ ହାଲିଆ ହୋଇଯାଇଥିବା ପର୍ଯ୍ୟଟକଙ୍କ ପାଇଁ ଡାକ୍ତରୀଦଳ ମୁତୟନ ଓ ପ୍ରଥମିକ ଚିକିତ୍ସା, ବିଶ୍ରାମସ୍ଥଳରେ ପାନୀୟଜଳ ବ୍ୟବସ୍ଥା,ପୁରୁଣା ପାର୍କିଂ ସ୍ଥାନରେ ପାର୍କିଂ ବ୍ୟବସ୍ଥା ସହ ପର୍ଯ୍ୟଟକ ମାନେ ମୂହଁରେ ତୁଣ୍ଡି,ସାମାଜିକ ଦୂରତା,ଥର୍ମାଲ ଟେଷ୍ଟ, ଓ ଜ୍ବର,ଥଣ୍ଡା,କାଶ ଥିବା ଲୋକଙ୍କ ପ୍ରବେଶକୁ ବାରଣ।ପ୍ରବେଶ ପଥରେ ପୁରା ଶରୀରକୁ ସାନିଟାଇଜ୍ କରିବା ପ୍ରଭୁତି ବ୍ୟବସ୍ଥା କରାଯାଇଛି। ପରିସରରେ ଥିବା କ୍ୟାଣ୍ଟିନ ଓ ଭୋଜନାଳୟରେ ଖାଇବା ପାଇଁ ଧାର୍ଯ୍ୟ ମୂଲ୍ୟ ରଖାଯାଇଛି। ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଶୁକ୍ଳ ୧୦୦ଟଙ୍କା ହୋଇଥିବାବେଳେ ଭାରତୀୟ ପର୍ଯ୍ୟଟକଙ୍କ ପାଇଁ ୫୦ଟଙ୍କା,୫ରୁ ୧୨ବର୍ଷର ପିଲାଙ୍କ ପାଇଁ ୧୦ଟଙ୍କା ରହିଥିବାବେଳେ ଷ୍ଟିଲ ଓ ଡିଜିଟାଲ କ୍ୟାମେରା ଦେୟମୁକ୍ତ ରହିଛି।ସଫାରୀରେ ଯିବାକୁ ୬୦ଟଙ୍କା,ବୋଟିଂରେ ଦୁଇ ସିଟର ପାଇଁ ୫୦ଟଙ୍କା,ଚାରି ସିଟର ପାଇଁ ୧୦୦ଟଙ୍କା ଓ ୬ସିଟର ପାଇଁ ୧୫୦ଟଙ୍କା ଶୁଳ୍କ ରଖାଯାଇଛି।ବ୍ୟାଟେରିଚାଳିତ ଗାଡି ପାଇଁ ଜଣ ପିଛା ୮୦ଟଙ୍କା ଦେବାକୁ ପଡିଥାଏ।ପର୍ଯ୍ୟଟକଙ୍କ ବ୍ୟାଗ ଓ ବିଭିନ୍ନ ଜିନିଷପତ୍ର ସୁରକ୍ଷିତ ରଖିବା ପାଇଁ ନନ୍ଦନକାନନ ତରଫରୁ ଏକ ଜିନିଷ ରଖିବା ଘର ରହିଛି।ଏଠାରେ ବିନା ମୂଲ୍ୟରେ ବ୍ୟାଗ ରଖିପାରିବେ।ପ୍ଲାଷ୍ଟିକ ପାନୀୟ ଜଳ ବୋତଲ ପାଇଁ ବୋତଲ ଘରକୁ ଯାଇ ୫୦ଟଙ୍କା ଦେୟ ଦେଇ ବୋତଲ ଠିପିରେ ଏକ ଷ୍ଟିକରିଂ ମାରିବେ।ବୋତଲ ଠିପି ଫେରସ୍ତ କଲେ ଜମା ରାଶି ଫେରସ୍ତ ପାଇବେ।କୋଭିଡ ପାଇଁ କର୍ତ୍ତୁପକ୍ଷ ରାଜ୍ୟଉଭିଦ ଉଦ୍ୟାନରେ ଡିସେମ୍ବର ୩୧ ଓ ନୂଆ ବର୍ଷରେ ପର୍ଯ୍ୟଟକମାନଙ୍କ ପାଇଁ ବଣଭୋଜିକୁ ବନ୍ଦ ରଖାଯାଇଛି। କେବଳ ପର୍ଯ୍ୟଟକମାନେ ବୁଲିବାକୁ ଆସିପାରିବେ ବୋଲି ରାଜ୍ୟଉଭିଦ ଉଦ୍ୟାନ ସହକାରୀ ବନସଂରକ୍ଷକ ବନମାଳୀ ସାହୁ କହିଛନ୍ତି।ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ନନ୍ଦନକାନନ ଉପନିର୍ଦେଶକ ଡ.ସଞିତ୍ କୁମାର,ନନ୍ଦନକାନନ ସହକାରୀ ବନସଂରକ୍ଷକ ଶରତ ଚନ୍ଦ୍ର ବେହେରାଙ୍କ ସମେତ ରେଞ୍ଜରମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.